ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ‘କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗର ତଦନ୍ତ ପାଇଁ ନଭେମ୍ବର ୯ (ଗୁରୁବାର) ଲୋକସଭା ନୈତିକତା କମିଟିର ଏକ ବୈଠକ ଡକାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଏହି ବୈଠକ ଆସନ୍ତାକାଲି (ମଙ୍ଗଳବାର) ହେବାର ଥିଲା ।
ବିଜେପି ନେତା ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକସଭାର ନୈତିକତା କମିଟି ଏହାର ତଦନ୍ତ ଶେଷ କରିଛି । ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ କମିଟି ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିପାରେ । ସମ୍ଭବତଃ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇପାରେ ।
ସମ୍ପୂର୍ଣ୍ଣ ଘଟଣାଟି ଏପରି
ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଲାଞ୍ଚ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଲୋକସଭାରେ ପ୍ରଶ୍ନ ପଚାରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଲୋକସଭା ମେଲ୍ ଆଇଡିର ଲଗଇନ୍ ହିରାନନ୍ଦାନୀଙ୍କୁ ଦେଇଥିଲେ ଏବଂ ସେ ଏହାକୁ ବିଭିନ୍ନ ସ୍ଥାନରୁ ପ୍ରଶ୍ନ ଅପଲୋଡ଼ କରୁଥିଲେ । ଅନ୍ୟପକ୍ଷରେ ମହୁଆ ମଧ୍ୟ ସ୍ୱୀକାର କରିଛନ୍ତି ଯେ ହିରାନନ୍ଦାନୀ ତାଙ୍କ ଲଗଇନ୍ ବ୍ୟବହାର କରିଥିଲେ, କିନ୍ତୁ ଟିଏମସି ସାଂସଦ କହିଛନ୍ତି ଯେ ଲାଞ୍ଚ ପାଇବା ପାଇଁ କିମ୍ବା କୌଣସି ଉପହାର ପାଇବା ପାଇଁ ସେ ଏପରି କରିନଥିଲେ ।
ମୋଇତ୍ରା ତଦନ୍ତ ଅଧାରୁ ଛାଡ଼ି ଚାଲିଗଲେ
‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ଗୁରୁବାର (ନଭେମ୍ବର ୨) ସଂସଦର ନୈତିକତା କମିଟି ସମ୍ମୁଖରେ ହାଜର ହୋଇଥିଲେ ମହୁଆ ମୋଇତ୍ରା । ତେବେ ସେ ତଦନ୍ତକୁ ଅଧାବାଟରେ ଛାଡ଼ି ଚାଲିଯାଇଥିଲେ । ବୈଠକରେ ନୈତିକତା କମିଟି ପକ୍ଷରୁ ତାଙ୍କୁ ଆପତ୍ତିଜନକ ଓ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିଲା ବୋଲି ସେ ପରେ ଅଭିଯୋଗ କରିଛନ୍ତି ।
ମୋଇତ୍ରା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କହିଛନ୍ତି ଯେ ବୈଠକରେ ତାଙ୍କୁ ‘ନଗ୍ନ’ କରାଯାଇଛି । ନୈତିକତା କମିଟି ବ୍ୟକ୍ତିଗତ ଓ ଅନୈତିକ ପ୍ରଶ୍ନ ପଚାରିଥିବା ସେ ଅଭିଯୋଗ କରିଛନ୍ତି ।
ମୋଇତ୍ରାଙ୍କ ଅଭିଯୋଗକୁ ଖଣ୍ଡନ କଲେ ସୋନକର
ନୈତିକତା କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିର । ବିଶେଷ କରି ଗତ ବୈଠକରେ ସୋନକର ତାଙ୍କୁ ଅଯଥା ଓ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିବା ପରେ କମିଟି ମୋଇତ୍ରାଙ୍କ ଆଚରଣକୁ ଗମ୍ଭୀରତାର ସହ ନେବାର ସମ୍ଭାବନା ରହିଛି ।
ସୋନକର ମୋଇତ୍ରାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । କମିଟିରେ ଥିବା ବିରୋଧୀ ଦଳର ସଦସ୍ୟମାନେ ମୋଇତ୍ରାଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ ଏବଂ ହଙ୍ଗାମା ପରେ ନଭେମ୍ବର ୨ ବୈଠକରୁ ଓହରି ଯାଇଥିଲେ ।