ସତ କଥା କହିଲେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବାହାରିବା ପଛର କାରଣ ସ୍ପଷ୍ଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସରକାର ଆମକୁ ସଂସଦରେ ଆମର ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦେଇନଥିବାରୁ କଂଗ୍ରେସ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି ବୋଲି ଖଡଗେ କହିଛନ୍ତି । ଏହି ପ୍ଲାଟଫର୍ମ ଜରିଆରେ ଆମେ ଲୋକଙ୍କ କଥା ଶୁଣିବୁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ମଣିପୁର ରାଜଧାନୀ ଇମ୍ଫାଲରୁ ଆରମ୍ଭ କରି ୬୬ ଦିନ ମଧ୍ୟରେ ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବ । ଏଥିରେ ସାମିଲ ଲୋକମାନେ ବସ୍ ଓ ପାଦରେ ଯାତ୍ରା କରିବେ ।
ଖଡଗେ କହିଛନ୍ତି ଯେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଦେଶର ମୌଳିକ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଧ୍ୟାନ ଦେବ । ଏହି ପଦଯାତ୍ରାରେ ସାମିଲ ହେବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟର ନେତା ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି । ପୂର୍ବରୁ କଂଗ୍ରେସ କହିଥିଲା ଯେ ପୂର୍ବରୁ ପଶ୍ଚିମ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପୂର୍ବର ‘ଦକ୍ଷିଣରୁ ଉତ୍ତର ଭାରତ ଯୋଡ଼ୋ ଯାତ୍ରା’ ପରି ପ୍ରଭାବଶାଳୀ ଏବଂ ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି ଯେ ମଣିପୁରରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଏବଂ ସବୁଠି କଥାବାର୍ତ୍ତା କରୁଥିବା ଏବଂ ଫଟୋ ଉଠାଇଥିବା ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ହିଂସା ପ୍ରଭାବିତ ରାଜ୍ୟକୁ ଯାଇ ନାହାନ୍ତି । କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧୀ ନେତାଙ୍କୁ ଧମକ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗ ଭଳି ଏଜେନ୍ସିର ଅପବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେକି ବୋଲି ପଚରାଯିବାରୁ ଖଡଗେ କହିଛନ୍ତି ଯେ ତାଙ୍କୁ ଏହି ସମାରୋହ ପାଇଁ ନିମନ୍ତ୍ରଣ ମିଳିଛି ଏବଂ ସେ ଖୁବ୍ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ । ନୂଆ ଶ୍ରମ ଆଇନ ଓ ଅପରାଧିକ ଆଇନ ସମ୍ପର୍କରେ ଉଲ୍ଲେଖ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ସରକାର ଆଣିଥିବା ଆଇନ ଏକଛତ୍ରବାଦର ସଙ୍କେତ ଦେଉଛି ।