ନୂଆଦିଲ୍ଲୀ: ଡିସେମ୍ବର ୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକ ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର କହିଛନ୍ତି । ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରବଙ୍ଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସେ କହିଛନ୍ତି, ଇଣ୍ଡି ମେଣ୍ଟ ବୈଠକ ବିଷୟରେ ମୁଁ ଜାଣେ ନାହିଁ । ବୈଠକ ବିଷୟରେ କେହି ମୋତେ କହିନଥିଲେ କି ଫୋନ ଆସିନାହିଁ । କୌଣସି ସୂଚନା ମଧ୍ୟ ନାହିଁ । ଡିସେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରବଙ୍ଗରେ ମୋର କାର୍ଯ୍ୟକ୍ରମ ରହିଛି । ମୁଁ ଅନ୍ୟ ଯୋଜନା କରିଥିଲି । ବର୍ତ୍ତମାନ ଯଦି ସେମାନେ ମୋତେ ଡାକନ୍ତି, ତେବେ ମୁଁ ଯୋଜନା କିପରି ପରିବର୍ତ୍ତନ କରିବି । ଯଦି ସେମାନେ ମୋତେ କହିଥାନ୍ତେ ତେବେ ମୁଁ ଯାଇଥାନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି ।
ମମତା ବାନାର୍ଜୀ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ ଥିବାରୁ ଏହି ବୈଠକରେ ଯୋଗ ଦେବେ ନାହିଁ । ତେବେ ଡିସେମ୍ବର ୬ରେ ହେବାକୁ ଥିବା ବୈଠକ ପାଇଁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଯେଉଁ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଟିଏମସି ମଧ୍ୟ ରହିଛି ବୋଲି ପୂର୍ବରୁ ଖବର ଆସିଥିଲା ।
ରବିବାର ସକାଳେ ନିର୍ବାଚନ ଫଳାଫଳ କଂଗ୍ରେସକୁ ପଛରେ ପକାଇବା ପରେ ଏହି ବୈଠକ ଡକାଯାଇଥିଲା । ଇଣ୍ଡିଆ ହେଉଛି ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ବଡ଼ ବଡ଼ ରାଜନୈତିକ ଦଳର ଏକ ମେଣ୍ଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବା ପାଇଁ ଏହା ଗଠନ କରାଯାଇଛି । ଚଳିତ ବର୍ଷ ଜୁଲାଇ ମାସରେ ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳ ବୈଠକରେ ଏହାକୁ ଗଠନ କରାଯାଇଥିଲା ।
ମିଳିତ ବିରୋଧୀ ଦଳର ସ୍ଲୋଗାନ ହେଉଛି ‘ୟୁନାଇଟେଡ୍ ୱି ଷ୍ଟାଣ୍ଡ’ । ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହୋଇଥିବା ୫ଟି ରାଜ୍ୟମଧ୍ୟରୁ ୩ଟିରେ ବିଜେପିର ବିପୁଳ ପ୍ରଦର୍ଶନ ମଧ୍ୟରେ ଏହି ସଦ୍ୟତମ ଇଣ୍ଡି ମେଣ୍ଟ ବୈଠକ ଅନୁଷ୍ଠିତ ହେଉଛି ।
ବିଜେପି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ପରାସ୍ତ କରିବା ସହ ମଧ୍ୟପ୍ରଦେଶରେ ମଧ୍ୟ ସହଜ ସଂଖ୍ୟାଗରିଷ୍ଠତା ସହ କ୍ଷମତା ବଜାୟ ରଖିଛି । ତେବେ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହଟାଇଦେଇଛି କଂଗ୍ରେସ ।