‘ମୋଦି ଗ୍ୟାରେଣ୍ଟି’ ଉପରେ ଆଧାରିତ ହେବ ବିଜେପିର ଲୋକସଭା ନିର୍ବାଚନ ପ୍ରଚାର

Must read

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ‘ମୋଦି ଗ୍ୟାରେଣ୍ଟି’କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିବାକୁ ଯାଉଛି । ଦିଲ୍ଲୀରେ ବିଜେପି କର୍ମକର୍ତ୍ତାଙ୍କ ଦୁଇଦିନିଆ ବୈଠକ ଶନିବାର ଶେଷ ହୋଇଛି । ବୈଠକ ପରେ ଜଣାପଡ଼ିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚାରର ବିଷୟବସ୍ତୁ ହେବ ‘ମୋଦି ଗ୍ୟାରେଣ୍ଟି’ । ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା ଏହି ବୈଠକକୁ ସମ୍ବୋଧିତ କରିଥିଲେ । ଉଭୟ ନେତା ଲୋକସଭା ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସୂତ୍ରରୁ ପ୍ରକାଶ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ସ୍ଲୋଗାନ ବିଜେପି ପ୍ରଚାରର ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ହେବାକୁ ଯାଉଛି ।

ମୋଦି ଗ୍ୟାରେଣ୍ଟି ସ୍ଲୋଗାନ ଉପରେ ଜୋର

ସୂତ୍ରରୁ ପ୍ରକାଶ ଯେ ବୈଠକରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଦ୍ୱାରା ଗ୍ରହଣ କରାଯାଇଥିବା ଭଲ ଅଭ୍ୟାସ ବିଷୟରେ କହିଥିଲେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୨୪ ନିର୍ବାଚନ ପାଇଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର ମଧ୍ୟ ଦେଇଛନ୍ତି । ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଏବଂ ଭାରତ ପ୍ରତି ଏହାର ଆଭିମୁଖ୍ୟକୁ ‘ମୋଦୀ ଗ୍ୟାରେଣ୍ଟି’ ସ୍ଲୋଗାନରେ ବର୍ଣ୍ଣନା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ସ୍ଲୋଗାନକୁ ବିଜେପି ଅନେକ ସମୟରେ ବ୍ୟବହାର କରିଥିଲା ।

୧୦ ପ୍ରତିଶତ ଭୋଟ ବୃଦ୍ଧି ଯୋଜନା

ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ କର୍ମକର୍ତ୍ତାମାନଙ୍କ ବୈଠକକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଅନ୍ୟର ନକାରାତ୍ମକ କାହାଣୀରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ଭାରତୀୟଙ୍କ ବିଶ୍ୱାସ ଜିତିବା ଉପରେ ଧ୍ୟାନ ଦିଅନ୍ତୁ । ବିରୋଧୀ ନେତାଙ୍କ ଦ୍ୱାରା କରାଯାଉଥିବା ରାଜନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଲୋକସଭା ନିର୍ବାଚନରେ ୧୦ ପ୍ରତିଶତ ଭୋଟ ବୃଦ୍ଧି ପାଇଁ ବୁଥ୍ ସ୍ତର ପର୍ଯ୍ୟନ୍ତ କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଗରିବ, କୃଷକ, ଯୁବକ ଓ ମହିଳାଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଛି ।

‘ବିକାଶ ଭାରତ ସଂକଳ୍ପ ଯାତ୍ରା’ ଉପରେ ଗୁରୁତ୍ୱାରୋପ

ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ଏହି ଯାତ୍ରା ସହ ଯୋଡ଼ିବା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବାକୁ ମୋଦୀ ବୈଠକରେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ । ବିଜେପି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସମସ୍ତେ ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି । ବିଜେପିର ସାଂଗଠନିକ ଶକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦଳୀୟ ନେତାମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଜନସାଧାରଣଙ୍କ ନିକଟକୁ ଯିବାକୁ ଆହ୍ୱାନ ଦେଇଥିଲେ ।

More articles

LEAVE A REPLY

Please enter your comment!
Please enter your name here

Latest article