୨୦୨୪ରେ କାହାକୁ ମିଳିବ ବିଜେପି ଟିକେଟ, କେଉଁ ରାଜ୍ୟରେ ଚାଲିବ ମୋଦି-ଶାହଙ୍କ କଇଁଚି ?

Must read

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର କାର୍ଡ ଖୋଲିନାହିଁ । ବିଜେପି ଏଥର ୧୦ ପ୍ରତିଶତ ଭୋଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଗତ ନିର୍ବାଚନରେ ବିଜେପି ୩୭.୩୬ ପ୍ରତିଶତ ଭୋଟ ପାଇ ୩୦୩ଟି ଆସନରେ ବିଜୟୀ ହୋଇଥିଲା । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ମୋଦି-ଶାହା ଯୋଡ଼ି ସମସ୍ତ କର୍ମୀଙ୍କୁ ନିୟୋଜିତ କରିଛନ୍ତି । ଗତ ଦୁଇବର୍ଷ ହେଲା ତୃଣମୂଳ ସ୍ତରରେ ବିଜେପି କର୍ମୀ ସକ୍ରିୟ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବର୍ଷର ସଫଳତା ସହ ଦଳୀୟ କର୍ମୀ, ବିଧାୟକ ଓ ସାଂସଦମାନେ ଜନସମ୍ପର୍କ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ଦାୟିତ୍ୱ ନେଇଛନ୍ତି । କ୍ରମାଗତ ତୃତୀୟ ବିଜୟ ପାଇଁ ଦଳ ଏଭଳି ଅନେକ ପରୀକ୍ଷା ନିରୀକ୍ଷା କରିବାକୁ ଯାଉଛି, ଯାହା ନିକଟରେ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ନେତୃତ୍ୱ ବର୍ତ୍ତମାନର ସାଂସଦଙ୍କ କାର୍ଯ୍ୟଦକ୍ଷତା ଆକଳନ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ରାଜ୍ୟ ଅଧିକାରୀଙ୍କଠାରୁ ମତାମତ ନିଆଯାଇଛି । ଟିକେଟ୍ ଚୂଡ଼ାନ୍ତ କରିବା ପୂର୍ବରୁ କମିଟିଗୁଡ଼ିକ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରକୁ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଏହାବ୍ୟତୀତ ଜାତିଗତ ଓ ସାମାଜିକ ସମୀକରଣ ଆଧାରରେ ନୂଆ ଚେହେରାଙ୍କ ଉପରେ ବାଜି ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏଥର ଅନେକ ଯୁବ ଆଇଏଏସ୍ ଓ ଆଇପିଏସ୍ ଚେହେରାଙ୍କୁ ବିଜେପି ଟିକେଟ୍ ଦିଆଯିବ, ଯାହାର ଭାବମୂର୍ତ୍ତି ଭଲ ବୋଲି ଜନମାନସରେ ଆଲୋଚନା ହେଉଛି ।

ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ବିଧାୟକମାନେ ଲୋକସଭା ନିର୍ବାଚନ ଲଢ଼ିବେ

ବିଜେପି ଶାସିତ ରାଜ୍ୟରେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଲୋକପ୍ରିୟ ନେତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ଡେପୁଟି ସିଏମ୍ ବ୍ରଜେଶ ପାଠକ, କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଜିତନ ପ୍ରସାଦଙ୍କୁ ମଧ୍ୟ ଲୋକସଭା ପାଇଁ ମନୋନୀତ କରାଯାଇପାରେ । ୨୦୧୯ରେ ମଧ୍ୟ ବିଜେପି ଯୋଗୀ ସରକାରଙ୍କ ୪ ଜଣ ମନ୍ତ୍ରୀ ରୀତା ବହୁଗୁଣା ଯୋଶୀ, ସତ୍ୟଦେବ ପଚୌରୀ, ମୁକୁଟ ବିହାରୀ ବର୍ମା ଓ ଏସପି ସିଂ ବାଘେଲଙ୍କୁ ପ୍ରାର୍ଥୀ କରିଥିଲା । ମୁକୁଟ ବିହାରୀ ବର୍ମାଙ୍କ ବ୍ୟତୀତ ଅନ୍ୟ ସମସ୍ତ ମନ୍ତ୍ରୀ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ । କେଶବ ମୌର୍ଯ୍ୟଙ୍କୁ ଫୁଲପୁରରୁ ବାଦ୍ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଜିତନ ପ୍ରସାଦ ତାଙ୍କ ପାରମ୍ପରିକ ଆସନ ଶାହାଜାହାନପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏଭଳି ପରୀକ୍ଷଣ କରାଯିବ । ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ବିଦିଶା କିମ୍ବା ଭୋପାଳ ଲୋକସଭା ଆସନରୁ ଲଢ଼ିପାରନ୍ତି । ଏହାବ୍ୟତୀତ ରାଜ୍ୟ ସଭାପତି ବିଡି ଶର୍ମା ଓ ନରୋତ୍ତମ ମିଶ୍ରଙ୍କ ନାମ ପ୍ରାର୍ଥୀ ତାଲିକାରେ ରହିପାରେ । ସମଗ୍ର ଦେଶରେ ମଧ୍ୟ ସମାନ ପରୀକ୍ଷଣ କରାଯିବ ।

ରାଜ୍ୟସଭା ଜରିଆରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ନେତାମାନେ ମଧ୍ୟ ବିପଦରେ ପଡ଼ିବେ

୨୦୨୪ ଲୋକସଭା ନିର୍ବାଚନରେ ଏଭଳି ମନ୍ତ୍ରୀମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯେଉଁମାନେ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ଅଛନ୍ତି । ସଂସଦୀୟ ଦଳ ବୈଠକରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସ୍ତାବ ଆଣିଥିଲେ । ଏହି ତାଲିକାରେ ସେହି ନେତାଙ୍କ ନାମ ରହିଛି ଯେଉଁମାନେ କ୍ରମାଗତଭାବେ ଦୁଇଥର ରାଜ୍ୟସଭା କାର୍ଯ୍ୟକାଳ ଶେଷ କରିଛନ୍ତି । ଗତ ନିର୍ବାଚନରେ ପାଟନା ସାହିବ ଆସନରୁ ରବିଶଙ୍କର ପ୍ରସାଦ ଓ ଆମେଥିରୁ ସ୍ମୃତି ଇରାନୀ ଙ୍କୁ ପ୍ରାର୍ଥୀ କରାଯାଇଥିଲା ଏବଂ ଉଭୟ ଜିତିବାରେ ସଫଳ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗଜେନ୍ଦ୍ର ଶେଖାୱତଙ୍କ ନାମ ଶୀର୍ଷରେ ରହିଛି । ଏହାବ୍ୟତୀତ ନିର୍ମଳା ସୀତାରମଣ, ଅଶ୍ୱିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, ନାରାୟଣ ରାଣେ, ପୁରୁଷୋତ୍ତମ ରୁପାଲା, ହରଦୀପ ସିଂ ପୁରୀ, ରାଜୀବ ଚନ୍ଦ୍ରଶେଖର ଓ ପୀୟୂଷ ଗୋୟଲଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ମଧ୍ୟ ରହିଛି । ଧର୍ମେନ୍ଦ୍ର ପ୍ରଧାନ ନିଜ ରାଜ୍ୟ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ । ଦିଲ୍ଲୀରୁ ହରଦୀପ ସିଂହ ପୁରୀ ଓ ହରିୟାଣାରୁ ଭୁପେନ୍ଦ୍ର ଯାଦବଙ୍କୁ ବାଦ୍ ଦିଆଯାଇପାରେ । ପୁରୁଷୋତ୍ତମ ରୁପାଲା ଓ ପୀୟୂଷ ଗୋୟଲ ଗୁଜରାଟରୁ ନିର୍ବାଚନ ଲଢ଼ିବେ । କେରଳରୁ ନିର୍ମଳା ସୀତାରମଣ ଏବଂ କର୍ଣ୍ଣାଟକରୁ ରାଜୀବ ଚନ୍ଦ୍ରଶେଖର ନିର୍ବାଚନ ଲଢ଼ିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ । ରାଜ୍ୟସଭା ସାଂସଦ ଦୀପକ ପ୍ରକାଶଙ୍କୁ ଝାଡ଼ଖଣ୍ଡର ହଜାରୀବାଗ ଆସନରୁ ସୁଯୋଗ ମିଳିପାରେ ।

ଲୋକସଭା ନିର୍ବାଚନରେ ମଧ୍ୟ କାମ କରିବ ଯୋଗୀ-ମୋଦିଙ୍କ ଗୁଜରାଟ ଫର୍ମୁଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ଟିକେଟ ବଣ୍ଟନରେ ଗୁଜରାଟର ଫର୍ମୁଲା କାର୍ଯ୍ୟକାରୀ କରିବେ । ୭୦ ବର୍ଷରୁ ଅଧିକ ବୟସ ଓ ପ୍ରଦର୍ଶନର ମାନଦଣ୍ଡ ପୂରଣ କରୁନଥିବା ପ୍ରାୟ ୩୦ ପ୍ରତିଶତ ସାଂସଦ ଟିକେଟ୍ ପାଇବେ ନାହିଁ । ଟିକେଟ କଟୁଥିବା ଲୋକସଭା ସାଂସଦଙ୍କ ସଂଖ୍ୟା ୬୫ରୁ ୭୦ ମଧ୍ୟରେ ହୋଇପାରେ । ଏହି ସବୁ ଆସନରେ ନୂଆ ଚେହେରା, ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରାଯିବ । ଏହାବ୍ୟତୀତ ଅନ୍ୟ ଦଳରୁ ଆସୁଥିବା ବରିଷ୍ଠ ନେତାମାନଙ୍କୁ ମଧ୍ୟ ଏହି ଆସନରେ ଟିକେଟ ଦିଆଯାଇପାରେ । ମିଳିଥିବା ସୂଚନା ଅନୁଯାୟୀ, ୟୁପି ଓ ବିହାରରେ ଅମିତ ଶାହାଙ୍କ କଇଁଚି ଅଧିକ ଚାଲିବ । ପଶ୍ଚିମବଙ୍ଗ, ହରିୟାଣା, ଆସାମ, ଉତ୍ତରାଖଣ୍ଡ, ଓଡ଼ିଶା ଓ ଝାଡ଼ଖଣ୍ଡରେ ମଧ୍ୟ ବଡ଼ ଧରଣର ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ । ଜାତିଗତ ସମୀକରଣ ଆଧାରରେ ଏମାନଙ୍କ ମଧ୍ୟରୁ ଅନେକ ନେତାଙ୍କୁ ରାଜ୍ୟସଭାକୁ ଅଣାଯିବ କିମ୍ବା ଅନ୍ୟ ସାମ୍ବିଧାନିକ ପଦବୀରେ ନିଯୁକ୍ତି ଦିଆଯାଇପାରେ । ବିଜେପି ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଏହି ପରୀକ୍ଷଣ କରିବାକୁ ଚେଷ୍ଟା କରିଛି, ଯେଉଁଠାରୁ ଏହା ଭଲ ଫଳାଫଳ ପାଇଛି ।

ଜାନୁଆରୀ-ଫେବ୍ରୁଆରିରେ ଦୁର୍ବଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ

୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଖରେ ଦୁଇଟି ବଡ଼ ଚ୍ୟାଲେଞ୍ଜ ରହିଛି । ପ୍ରଥମତଃ ୨୦୧୯ରେ ବିଜେପି ୪୩୬ ଆସନରେ ଲଢ଼ି ୧୩୩ଟି ଆସନ ହରାଇଥିଲା । ୨୦୨୪ରେ ସେହି ଆସନରେ ଜିତିବା ସହଜ ନୁହେଁ । ଦ୍ୱିତୀୟତଃ, ଗତ ପାଞ୍ଚବର୍ଷ ମଧ୍ୟରେ ଅନେକ ରାଜ୍ୟରେ ପୁରୁଣା ଏଡିଏ ମେଣ୍ଟ ସହଯୋଗୀମାନେ ବିରୋଧୀ ଶିବିରକୁ ଯାଇଛନ୍ତି । ବିହାରରେ ଜେଡିୟୁ, ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଆଉ ମେଣ୍ଟରେ ଅଂଶୀଦାର ନୁହଁନ୍ତି । ମେଣ୍ଟ ପରିବର୍ତ୍ତନ ଫଳରେ ୩ଟି ରାଜ୍ୟର ୫୬ଟି ଆସନର ସମୀକରଣ ବଦଳିଯାଇଛି । ଏସବୁ ଆସନରେ ବିଜେପି ଏବେ ପ୍ରାର୍ଥୀ ଦେବ । ବିହାର, ପଞ୍ଜାବ ଓ ମହାରାଷ୍ଟ୍ରରେ ବିଜେପିକୁ ୨୫ରୁ ୩୦ଟି ଆସନରେ ନୂଆ ବିଜୟୀ ପ୍ରାର୍ଥୀ ଖୋଜିବାକୁ ପଡ଼ିବ । ମହାରାଷ୍ଟ୍ରରେ ଶିବସେନା (ସିନ୍ଦେ) ଏବଂ ଏନସିପି (ଅଜିତ ଗୋଷ୍ଠୀ) ମେଣ୍ଟରେ ସାମିଲ ଅଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଦଳ ଯୋଜନା ପ୍ରସ୍ତୁତ କରିଛି । ଗତ ନିର୍ବାଚନରେ ହାରିଥିବା ଆସନଗୁଡ଼ିକରେ ଜାନୁଆରି ୨୨ ପରେ ଯେକୌଣସି ସମୟରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଏହାବ୍ୟତୀତ ଫେବ୍ରୁଆରି ଶେଷ ସୁଦ୍ଧା ନୂଆ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାବେଶ ମଧ୍ୟ ଅନୁଷ୍ଠିତ ହେବ ।

More articles

LEAVE A REPLY

Please enter your comment!
Please enter your name here

Latest article