ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ ସୁପ୍ରିମକୋର୍ଟ ନ୍ୟାସନାଲ କନଫରେନ୍ସ ସାଂସଦ ମହମ୍ମଦ ଆକବର ଲୋନଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଜମ୍ମୁ-କଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ପରେ କେନ୍ଦ୍ର ସରକାର ଅନ୍ୟତମ ଆବେଦନକାରୀ ଲୋନଙ୍କୁ ଦେଖାଇ ଏହି ମନ୍ତବ୍ୟ ଦେଇଛନ୍ତି ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠରେ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଲୋନ୍ ମଙ୍ଗଳବାର ସୁଦ୍ଧା ସତ୍ୟପାଠ ଦାଖଲ କରିବେ । ଖଣ୍ଡପୀଠ ମାଗିଥିବା ସତ୍ୟପାଠ ଦାଖଲ ନ କଲେ ସେ ଲୋନଙ୍କ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ବରିଷ୍ଠ ଓକିଲ କହିଛନ୍ତି ।
ସେ ଲୋକସଭାର ସାଂସଦ । ସେ ଭାରତର ନାଗରିକ ଏବଂ ସମ୍ବିଧାନଦ୍ୱାରା ତାଙ୍କ ପଦପାଇଁ ଶପଥ ଗ୍ରହଣ କରିଛନ୍ତି । ସେ ଭାରତର ସାର୍ବଭୌମତ୍ୱକୁ ସ୍ୱୀକାର କରିଛନ୍ତି ବୋଲି ସିବଲ କହିଛନ୍ତି ।
ଆବେଦନର ଶୁଣାଣିର ୧୫ତମ ଦିନରେ କେନ୍ଦ୍ର ସରକାର ଲୋନଙ୍କୁ ପାକିସ୍ତାନ ସପକ୍ଷରେ ଦେଇଥିବା ସ୍ଲୋଗାନ ପାଇଁ ସତ୍ୟପାଠ ମାଗିଥିଲେ ।
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଲୋନ କୋର୍ଟରେ ସତ୍ୟପାଠ ଦାଖଲ କରିବା ଉଚିତ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ମେହେଟା କହିଛନ୍ତି ଯେ ଲୋନ୍ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ସେ ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟ ବଜାୟ ରଖିଛନ୍ତି ଏବଂ ବିଚ୍ଛିନ୍ନତାବାଦୀ ଶକ୍ତି ଏବଂ ଆତଙ୍କବାଦକୁ ବିରୋଧ କରୁଛନ୍ତି ।
କାଶ୍ମୀର ପଣ୍ଡିତଙ୍କ ଏକ ସଂଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିମଳ ଜାଦ୍ ଖଣ୍ଡପୀଠଙ୍କୁ କହିଥିଲେ, ଏହି ଆବେଦନକାରୀଙ୍କୁ ଏହି ମାମଲାର ଅଂଶ ହେବାକୁ ଅନୁମତି ଦିଆଯାଇପାରିବ ନାହିଁ ।
କାଶ୍ମୀର ପଣ୍ଡିତଙ୍କ ସମୂହର ସତ୍ୟପାଠରେ ପ୍ରଶ୍ନ କରାଯାଇଥିଲା ଯେ ବର୍ତ୍ତମାନର ସାଂସଦ ଲୋନ୍ କିପରି ରାଜ୍ୟ ବିଧାନସଭା ଏବଂ ଅନ୍ୟାନ୍ୟ ସ୍ଥାନରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ ।
ସଲିସିଟର ଜେନେରାଲ କହିଛନ୍ତି, ଆକବର ଲୋନ ଏକ ସତ୍ୟପାଠ ଦାଖଲ କରିବା ଉଚିତ ଯେ ମୁଁ ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟ କରୁଛି । କାରଣ ମୁଁ ଦେଶର ସର୍ବୋଚ୍ଚ ଅଦାଲତରେ ଅଛି । ଏବଂ ସେ କହିବା ଉଚିତ ଯେ ମୁଁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ଦୃଢ଼ ବିରୋଧ କରୁଛି ।
ସତ୍ୟପାଠକୁ ରେକର୍ଡରେ ନେବାକୁ ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିବା ସହ ସାଂସଦଙ୍କ କାର୍ଯ୍ୟ ସ୍ୱାଭାବିକ ସ୍ଥିତିରେ ଆମ ପ୍ରୟାସକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ।
ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ଦେଶର ପ୍ରୟାସ ଯଥେଷ୍ଟ ସଫଳ ହୋଇପାରେ ବୋଲି ସେ କହିଛନ୍ତି । ଦାୟିତ୍ୱବାନ ନେତାଙ୍କଠାରୁ ଆସିଲେ ଏହାର ନିଜସ୍ୱ ଗମ୍ଭୀରତା ରହିଛି ବୋଲି ମେହେଟ୍ଟା କହିଛନ୍ତି ।
ବରିଷ୍ଠ ଆଇନଜୀବୀ ଭି ଗିରି ଆହୁରି ମଧ୍ୟ କହିଛନ୍ତି ଯେ ଲୋନ୍ ତାଙ୍କ ଅତୀତ ବୟାନ ପାଇଁ କ୍ଷମା ମାଗିଲେ ହିଁ ତାଙ୍କ ଯୁକ୍ତି ଗ୍ରହଣ କରାଯିବା ଉଚିତ ।
୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଜମ୍ମୁ-କଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ଭଳି ସ୍ଲୋଗାନ ଲୋନ୍ ଦେଇଥିବା ଅଭିଯୋଗ କରିଥିଲେ ରୁଟ୍ସ ଇନ୍ କଶ୍ମୀର ସଂଗଠନ ।