‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ

Must read

  • ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ
  • ଡିସେମ୍ବର ୧୯ରେ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ହେବ । ବୈଠକରେ ମୁଖ୍ୟ ଏଜେଣ୍ଡା ପ୍ରସ୍ତୁତ କରିବା, ଆସନ ବଣ୍ଟନ ଓ ମିଳିତ ରାଲି ଆୟୋଜନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ବିରୋଧୀ ଦଳ ଇଣ୍ଡି ମେଣ୍ଟର ନେତାମାନଙ୍କର ଚତୁର୍ଥ ବୈଠକ ୧୯ ଡିସେମ୍ବର ୨୦୨୩ ମଙ୍ଗଳବାର ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଲୋକମାନେ ‘ମୋଦୀଙ୍କ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ୨୦୨୪ରେ ଲୋକମାନେ ପୁଣିଥରେ ତାଙ୍କ ସରକାରକୁ ନିର୍ବାଚିତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ଏକତା ବଜାୟ ରଖି ବିରୋଧୀ ଦଳଗୁଡ଼ିକ ‘ମୁଁ ନୁହେଁ, ଆମେ’ ସ୍ଲୋଗାନ ଦେଇ ଆଗକୁ ବଢ଼ିବାକୁ ଚାହୁଁଛୁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିକଳ୍ପ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା ଏବେ ବିରୋଧୀଦଳମାନଙ୍କ ଆଗରେ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ନିର୍ବାଚନ ଫଳାଫଳ ଏହି ପ୍ରଚାରରେ ଉଠାଯାଇଥିବା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିବା ନୁହେଁ । ତେବେ ୨୦୨୪ରେ ବିଜେପିକୁ ଟକ୍କର ଦେବା ପାଇଁ ଦଳ ଚିନ୍ତା କରିବ ବୋଲି ସେ ସ୍ୱୀକାର କରିଛନ୍ତି । ମୋଦୀଙ୍କୁ ଟକ୍କର ଦେବା ପାଇଁ ବିରୋଧୀଦଳମାନେ ଯେଉଁ ସମ୍ଭାବ୍ୟ ସ୍ଲୋଗାନ ଉପରେ କାମ କରିବେ, ସେଥିମଧ୍ୟରୁ ‘ମୁଁ ନୁହେଁ ଆମେ’ ଅନ୍ୟତମ ବୋଲି ସେ କହିଛନ୍ତି ।

ବିରୋଧୀ ଦଳମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଇଣ୍ଡି ମେଣ୍ଟ ପାଇଁ ମୁଖ୍ୟ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା, ଯାହା ସେମାନଙ୍କୁ ବିଜେପିକୁ ଟକ୍କର ଦେବାରେ ସହାୟକ ହେବ ବୋଲି ଦଳୀୟ ନେତା କହିଛନ୍ତି । ଏହି ବୈଠକରେ ବିରୋଧୀ ଦଳମାନେ ଆସନ ବୁଝାମଣା, ମିଳିତ ନିର୍ବାଚନୀ ରାଲି କରିବା ସହ ସେମାନଙ୍କ ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ସୂତ୍ରରୁ ପ୍ରକାଶ ଯେ ଇଣ୍ଡି ମେଣ୍ଟ ଜାତିଭିତ୍ତିକ ଗଣନା, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇପାରେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଡିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ରହିବେ ଏବଂ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି । ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ କାମ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ ।

More articles

LEAVE A REPLY

Please enter your comment!
Please enter your name here

Latest article