୭୪% ଭାରତୀୟଙ୍କୁ ମିଳୁନାହିଁ ପୁଷ୍ଟିକର ଖାଦ୍ୟ

Must read

ସ୍ୱାସ୍ଥ୍ୟକର ଖାଦ୍ୟ ମହଙ୍ଗା, ଆୟ ଏହାଠାରୁ କମ୍ ବଢ଼ୁଛି

ଭୁବନେଶ୍ୱର: ସୁସ୍ଥ ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ । କିନ୍ତୁ ଦେଶର ତିନି ଚତୁର୍ଥାଂଶ ଲୋକ ଏହାର ବ୍ୟବସ୍ଥା କରିପାରୁନାହାନ୍ତି । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ନିକଟରେ ପ୍ରକାଶିତ ରିପୋର୍ଟରୁ ଏହି ସୂଚନା ମିଳିଛି ।

ରିପୋର୍ଟ ଅନୁଯାୟୀ, ୨୦୨୦ରେ ଭାରତରେ ୭୬% ଲୋକ ସ୍ୱାସ୍ଥ୍ୟକର ଖାଦ୍ୟର ବ୍ୟବସ୍ଥା କରିବାରେ ଅସମର୍ଥ । ୨୦୨୧ରେ ସାମାନ୍ୟ ଉନ୍ନତି ସହିତ ୭୪% ଅର୍ଥାତ୍ ୧୦୦ କୋଟିରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ମିଳୁନାହିଁ ।

ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ୍ ନ୍ୟୁଟ୍ରିସନ୍ (ଏସ୍ଓଏଫ୍ଆଇ) ୨୦୨୩ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ସେହି ସମୟ ମଧ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଯେତିକି ବେଗରେ ବୃଦ୍ଧି ପାଇଛି, ସେହିଭଳି ଆୟ ବୃଦ୍ଧି ହୋଇପାରି ନାହିଁ ।

ପଡ଼ୋଶୀ ଦେଶ ତୁଳନାରେ ଭାରତରେ ପୁଷ୍ଟିକର ଖାଦ୍ୟ ଶସ୍ତା

୨୦୨୧ରେ ଭାରତରେ ବ୍ୟକ୍ତି ପିଛା ସୁସ୍ଥ ଖାଦ୍ୟର ଦୈନିକ ଖର୍ଚ୍ଚ ପ୍ରାୟ ୨୫୦ ଟଙ୍କା ଥିଲା । ବାଂଲାଦେଶରେ ଏହାର ମୂଲ୍ୟ ୨୬୭ ଟଙ୍କା ଥିବାବେଳେ ପାକିସ୍ତାନରେ ଏହାର ମୂଲ୍ୟ ୩୨୫ ଟଙ୍କା ରହିଛି । ଭୁଟାନରେ ସ୍ୱାସ୍ଥ୍ୟକର ଖାଦ୍ୟର ମୂଲ୍ୟ ୪୪୧ ଟଙ୍କା, ନେପାଳରେ ସୁସ୍ଥ ଖାଦ୍ୟର ମୂଲ୍ୟ ୩୮୩ ଟଙ୍କା, ଶ୍ରୀଲଙ୍କାରେ ୩୫୦ ଟଙ୍କା ରହିଛି । ପଡ଼ୋଶୀ ପାକିସ୍ତାନରେ ୮୨% ଲୋକ ସ୍ୱାସ୍ଥ୍ୟକର ଖାଦ୍ୟ କିଣିବାକୁ ଅସମର୍ଥ ଥିବାବେଳେ ବାଂଲାଦେଶରେ ୬୬% ଲୋକ ସ୍ୱାସ୍ଥ୍ୟକର ଖାଦ୍ୟ କିଣିବାକୁ ଅସମର୍ଥ ।

୫ ବର୍ଷରୁ କମ୍ ବୟସର ୨୦ ନିୟୁତରୁ ଅଧିକ ଶିଶୁଙ୍କ ଓଜନ କମ୍

୨୦୨୨ମସିହାରେ ଭାରତରେ ଶିଶୁମାନଙ୍କର ଅପଚୟ ହାର (ଉଚ୍ଚତା ତୁଳନାରେ କମ୍ ଓଜନ) ସର୍ବାଧିକ ଥିଲା । ଏଠାରେ ପାଞ୍ଚ ବର୍ଷରୁ କମ୍ ବୟସର ୨.୧ କୋଟି (୧୮.୭%) ଶିଶୁ ଏହି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଭୁଟାନରେ ଏଭଳି କୌଣସି ମାମଲା ଦେଖିବାକୁ ମିଳିନଥିଲା । ଆଫଗାନିସ୍ତାନରେ ଏହି ହାର ୩ ଲକ୍ଷ, ବାଂଲାଦେଶରେ ୧୪ ଲକ୍ଷ, ଇରାନରେ ୩ ଲକ୍ଷ, ନେପାଳରେ ୨୦ ଲକ୍ଷ, ଶ୍ରୀଲଙ୍କାରେ ୩ ଲକ୍ଷ ଓ ପାକିସ୍ତାନରେ ୨୧ ଲକ୍ଷ ରହିଛି ।

୦-୫ ମାସର ଶିଶୁଙ୍କ ମଧ୍ୟରେ ସ୍ତନ୍ୟପାନ କ୍ଷେତ୍ରରେ ଭାରତ ୬୩.୭%କୁ ଉନ୍ନତ ହୋଇଛି, ଯାହାକି ବିଶ୍ୱର ହାରାହାରି ୪୭.୭% ତୁଳନାରେ ଅଧିକ । ତେବେ ଦକ୍ଷିଣ ଏସିଆରେ ଭାରତରେ କମ୍ ଓଜନ ମାମଲା (୨୭.୪%) ସର୍ବାଧିକ ରହିଛି । ଏହା ପଛକୁ ବାଂଲାଦେଶ ଓ ନେପାଳ ରହିଛି । ଦେଶରେ ୧୫ରୁ ୪୯ ବର୍ଷ ବୟସର ୫୩% ମହିଳା ରକ୍ତହୀନତାରେ ପୀଡ଼ିତ ଥିଲେ, ଯାହାକି ଦକ୍ଷିଣ ଏସିଆରେ ସର୍ବାଧିକ ଥିଲା ।

୭୩୫ ନିୟୁତ ଲୋକ ଭୋକ ଉପାସରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୪୦କୋଟି ଲୋକ ଏସିଆର

୨୦୨୨ରେ ବିଶ୍ୱରେ ୭୩.୫ କୋଟି ଲୋକ ଭୋକ କିମ୍ବା ଅପପୁଷ୍ଟିର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦କୋଟିରୁ ଅଧିକ ଲୋକ ଏସିଆରୁ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୧୦ ନିୟୁତରୁ ଅଧିକ ଲୋକ ଦକ୍ଷିଣ ଏସିଆରେ ବସବାସ କରନ୍ତି । ଆଫ୍ରିକାରେ ୨୮୨ ନିୟୁତ, ଲାଟିନ୍ ଆମେରିକା ଓ କ୍ୟାରିବିଆନରେ ୪୩ ନିୟୁତ ଏବଂ ଓସେନିଆରେ ୩ ନିୟୁତ ଲୋକ ଅପପୁଷ୍ଟିର ଶିକାର ହୋଇଛନ୍ତି । ଉତ୍ତର ଆମେରିକା ଓ ୟୁରୋପରେ ସର୍ବନିମ୍ନ ୧୪ ନିୟୁତ ପୁଷ୍ଟିହୀନ ସମସ୍ୟା ରହିଛି ।

More articles

LEAVE A REPLY

Please enter your comment!
Please enter your name here

Latest article