ଏକ ଦେଶ ଗୋଟିଏ ନିର୍ବାଚନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

Must read

  • ସହମତି ହେଲେ ୨୦୨୯ରୁ ଏହାକୁ କାର୍ଯ୍ୟକାରୀ କରିବାର ଯୋଜନା
  • ଏହି ୨୫ଟି ବିଧାନସଭା ନିର୍ବାଚନ ପାଇଁ ୨୦୨୬ ସୁଦ୍ଧା ଜରୁରୀ

ନୂଆଦିଲ୍ଲୀ: ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଏହି ତାଲିକାରେ ସ୍ଥାନ ପାଇନଥିବାରୁ ଚଳିତ ମାସ ପ୍ରାରମ୍ଭରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ ।

ଏକ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାର ତିନିଟି ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ: ଜୁନ୍ ୨୦୨୪ରେ ୮ ଟି ରାଜ୍ୟରେ ମତଦାନ

  • ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମର କାର୍ଯ୍ୟକାଳ ଜୁନ୍ ୨୦୨୪ରେ ଶେଷ ହେଉଛି ।
  • ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ରାଜ୍ୟର କାର୍ଯ୍ୟକାଳ ୫ରୁ ୮ ମାସ ହ୍ରାସ କରିବାକୁ ପଡ଼ିବ । ତା’ପରେ ଜୁନ୍ ୨୦୨୯ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ବିଧାନସଭା ପୂରା ୫ ବର୍ଷ ଚାଲିବ ।

ଦ୍ୱିତୀୟ ପର୍ଯ୍ୟାୟ: ୬ ରାଜ୍ୟରେ ମତଦାନ: ନଭେମ୍ବର ୨୦୨୫

  • ବିହାର ବିଧାନସଭାର ଚଳିତ କାର୍ଯ୍ୟକାଳ ଶେଷ ହେବ ପରେ ଆଗାମୀ କାର୍ଯ୍ୟକାଳ ସାଢ଼େ ୩ ବର୍ଷ ବାକି ରହିବ ।
  • ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀର ଚଳିତ କାର୍ଯ୍ୟକାଳ ୩ ବର୍ଷ ୭ ମାସ ହ୍ରାସ ପାଇବ । ପରବର୍ତ୍ତୀ କାର୍ଯ୍ୟକାଳ ମଧ୍ୟ ସାଢ଼େ ତିନି ବର୍ଷ ହେବ ।

ତୃତୀୟ ପର୍ଯ୍ୟାୟ: ୧୧ ଟି ରାଜ୍ୟରେ ମତଦାନ: ଡିସେମ୍ବର ୨୦୨୬

  • ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଓ ଉତ୍ତରାଖଣ୍ଡ: ଚଳିତ କାର୍ଯ୍ୟକାଳ ୩ରୁ ୫ ମାସ ହ୍ରାସ ପାଇବ । ଏହାପରେ ଅଢ଼େଇ ବର୍ଷ ସମୟ ଲାଗିବ।
  • ଗୁଜରାଟ, କର୍ଣ୍ଣାଟକ, ହିମାଚଳ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରାର ଚଳିତ କାର୍ଯ୍ୟକାଳ ୧୩ରୁ ୧୭ ମାସ ହ୍ରାସ ପାଇବ । ଆଗାମୀ ଅଢ଼େଇ ବର୍ଷ ବାକି ରହିବ ।

ଏହି ତିନିଟି ପର୍ଯ୍ୟାୟ ପରେ ଦେଶର ସମସ୍ତ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୦୨୯ରେ ଶେଷ ହେବ । ମିଳିଥିବା ସୂଚନା ଅନୁଯାୟୀ, କୋବିନ୍ଦ କମିଟି ଆଇନ ଆୟୋଗଙ୍କଠାରୁ ଆଉ ଏକ ପ୍ରସ୍ତାବ ମାଗିବ, ଯେଉଁଥିରେ ସ୍ଥାନୀୟ ସଂସ୍ଥାର ନିର୍ବାଚନ ମଧ୍ୟ ସାମିଲ ହେବ ।

ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଏକ ଦେଶ ଏକ ନିର୍ବାଚନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । କମିଟି ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବାକି ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ରହିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏହି କମିଟିର ସ୍ୱତନ୍ତ୍ର ସଦସ୍ୟ କରାଯାଇଛି ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ ?

ବର୍ତ୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ । ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ୍ ଦେବେ

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା । ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା । ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article