କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା

Must read

ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ୧୦ କେଜି ଓ ୩୦ କେଜି ପ୍ୟାକରେ ଉପଲବ୍ଧ ହେବ ।

ଏହି ଅଟା ସାରାଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ । ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ ।

ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ

ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି ।

ଗହମଦର ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି

ବଜାରରେ ଅଣବ୍ରାଣ୍ଡେଡ୍ ଅଟାର ଖୁଚୁରା ମୂଲ୍ୟ କିଲୋ ପିଛା ୩୦ରୁ ୪୦ ଟଙ୍କା ଥିବାବେଳେ ବ୍ରାଣ୍ଡେଡ୍ ଅଟା କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । କ୍ରମାଗତଭାବେ ଗହମଦର ବୃଦ୍ଧି ପାଉଥିବାରୁ ପର୍ବପର୍ବାଣୀ ଋତୁରେ ଅଟା ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶସ୍ତାରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସରକାର ଶସ୍ତାରେ ପିଆଜ ଓ ଡାଲି ବିକ୍ରି କରୁଛନ୍ତି

ପିଆଜ ଦର ବୃଦ୍ଧିରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ୨୫ ଟଙ୍କା କିଲୋ ଦରରେ ପିଆଜ ବିକ୍ରି କରୁଛନ୍ତି । ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ) ଏବଂ ନାଫେଡ୍ ୨୫ ଟଙ୍କା କିଲୋ ଦରରେ ବଫର ପିଆଜ ବିକ୍ରି କରୁଛନ୍ତି ।

ଏନସିସିଏଫ ୨୦ଟି ରାଜ୍ୟର ୫୪ଟି ସହରର ୪୫୭ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି । ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରର ୩୨୯ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି । ସେହିପରି କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ଶୁକ୍ରବାରଠାରୁ ଦିଲ୍ଲୀ-ଏନସିଆରରେ ପିଆଜର ଖୁଚୁରା ବିକ୍ରି ଆରମ୍ଭ କରିଛି । ଏତଦ୍ ବ୍ୟତୀତ କିଲୋ ପିଛା ୬୦ ଟଙ୍କା ଦରରେ ସରକାର ଭାରତ ଡାଲି (ଚଣା ଡାଲି) ଯୋଗାଇ ଦେଉଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article