ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ୨୦୪୭ ସୁଦ୍ଧା ବିକଶିତ ଭାରତ କଥା କହିଛନ୍ତି । ଆଜି ଆମେ ଭାରତୀୟମାନଙ୍କ ପାଖରେ ବିକାଶର ମୂଳଦୁଆ ପକାଇବାର ଏକ ବଡ଼ ସୁଯୋଗ ଅଛି ଯାହା ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ରହିବ । ସେ କହିଛନ୍ତି ଯେ ଜି-୨୦ର ଅଧ୍ୟକ୍ଷତା ପାଇବା ପରେ ଅନେକ ସକାରାତ୍ମକ ଘଟଣା ଘଟିଛି । ସେମାନଙ୍କ ମଧ୍ୟରୁ ଅନେକ ମୋ ହୃଦୟର ନିକଟତର । ଆମ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ସ୍ଥାନ ରହିବ ନାହିଁ । ସେ କହିଛନ୍ତି ଯେ ବିଶ୍ୱର ଜିଡିପି-କେନ୍ଦ୍ରୀତ ଦୃଷ୍ଟିକୋଣ ଏବେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ଗତି କରୁଛି; ଭାରତ ଏଥିରେ ଏକ ଉତପ୍ରେରକ ଭୂମିକା ଗ୍ରହଣ କରୁଛି ।
୨୦୦ କୋଟି କୁଶଳୀ ହାତ ଥିବା ଦେଶ
ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ସବକା ସାଥ, ସବକା ବିକାଶ’ ମଧ୍ୟ ବିଶ୍ୱକଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ନୀତି ହୋଇପାରେ । ଜି-୨୦ରେ ଆମ କଥା ଓ ଦୃଷ୍ଟିକୋଣକୁ ବିଶ୍ୱ କେବଳ ଚିନ୍ତାଧାରାଭାବେ ନୁହେଁ ବରଂ ଭବିଷ୍ୟତର ରୋଡ୍ ମ୍ୟାପ୍ଭାବେ ଦେଖୁଛି । ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ୫ ଟି ସ୍ଥାନ ଉପରକୁ ଉଠିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ଦିନ ଧରି ଭାରତକୁ ଏକ ବିଲିୟନ ଭୋକିଲା ପେଟ ଥିବା ଦେଶ ଭାବରେ ଦେଖାଯାଉଥିଲା, ବର୍ତ୍ତମାନ ଏହା ଏକ ବିଲିୟନ ଉଚ୍ଚାକାଂକ୍ଷୀ ମନ ଏବଂ ଦୁଇ ବିଲିୟନ ଦକ୍ଷ ହାତ ବିଶିଷ୍ଟ ଦେଶ ।