ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦେଶର ୭୨୨ଟି ଜିଲ୍ଲାରେ ପ୍ରତୀକାତ୍ମକ ପଦଯାତ୍ରା କରିବାକୁ ଯାଉଛି । ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୟୁରୋପ ଗସ୍ତରେ ଥିବାବେଳେ ୪ଟି ଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ସେ ସେହି ଦେଶରେ ରହୁଥିବା ପ୍ରବାସୀ ଭାରତୀୟ, ଭାରତୀୟ ବଂଶୋଦ୍ଭବ, ସାଂସଦ, ବିଶ୍ୱବିଦ୍ୟାଳୟ ଛାତ୍ର, ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଆଲୋଚନା କରିବେ । ଗତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଗାନ୍ଧିଜୀ ତାମିଲନାଡୁର କନ୍ୟାକୁମାରୀରୁ ତାଙ୍କର ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଥିଲେ । ଚଳିତ ସପ୍ତାହରେ ଦେଶରେ ଜି-୨୦ ଭଳି ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଏହି ସମୟ ମଧ୍ୟରେ ୟୁରୋପର ବିଭିନ୍ନ ଦେଶର ସମାଜର ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ ।
ରାହୁଲ ଗାନ୍ଧିଙ୍କ ଗସ୍ତ ପଛରେ କଂଗ୍ରେସର ସାଂଗଠନିକ ଶାଖା ବିଦେଶୀ କଂଗ୍ରେସର ହାତ ରହିଛି । ବିଦେଶୀ ଶାଖାଏହି ପୂରା କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ତେବେ ଏହା ପ୍ରଥମଥର ନୁହେଁ ଯେ ରାହୁଲ ଗାନ୍ଧି ବିଦେଶ ଯାଇ ସେଠାକାର ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ଏହି ଗସ୍ତ ୟୁରୋପୀୟ ଦେଶ ବେଲଜିୟମରୁ ଆରମ୍ଭ ହେଉଛି । ଯେଉଁଠାରେ ସେ ଗୁରୁବାର ରାଜଧାନୀ ବ୍ରସେଲସରେ ପହଞ୍ଚିବେ । ଯେଉଁଠାରେ ସେ ୟୁରୋପୀୟ ସଂଘର ସାଂସଦମାନଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ସେ ନାଗରିକ ସମାଜର ସଦସ୍ୟ ଏବଂ ଏନଆରଆଇ ଏବଂ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ସହ ସାକ୍ଷାତ୍ କରିବେ । ସେମାନଙ୍କ ସହ ରାହୁଲ ମଧ୍ୟାହ୍ନ ଭୋଜନ ମଧ୍ୟ କରିବେ ।
ସେପ୍ଟେମ୍ବର ୮ତାରିଖରେ ରାହୁଲ ଗାନ୍ଧି ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନା କରିବା ସହ ସକାଳ ଜଳଖିଆରେ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟିବେ । ସେହିଦିନ ରାହୁଲ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ । ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯ତାରିଖରେ ରାହୁଲ ଗାନ୍ଧି ଫ୍ରାନ୍ସ ସାଂସଦଙ୍କ ସହ ଆଲୋଚନା କରିବେ । ଏହାପରେ ସେ ପ୍ୟାରିସର ସାଇନ୍ସ ପୋ ବିଶ୍ୱବିଦ୍ୟାଳୟ ଏବଂ ଇନାଲକୋ ବିଶ୍ୱବିଦ୍ୟାଳୟରେ ଦୁଇଟି ପୃଥକ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେପ୍ଟେମ୍ବର ୧୦ରେ ରାହୁଲ ହଲାଣ୍ଡରେ ପହଞ୍ଚିବେ । ସେ ୪୦୦ ବର୍ଷ ପୁରୁଣା ଲିଡିନ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେପ୍ଟେମ୍ବର ୧୧ରେ ରାହୁଲ ନରୱେର ରାଜଧାନୀ ଓସ୍ଲୋରେ ରହିବେ । ସେ ଓସ୍ଲୋ ବିଶ୍ୱବିଦ୍ୟାଳୟରେ ଓସ୍ଲୋ ସାଂସଦମାନଙ୍କୁ ଭେଟିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହାବ୍ୟତୀତ ସେ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଏକ ବୈଠକ କରିବେ ।
ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ଉପରେ ନଜର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବଡ଼ ରାଜନୈତିକ ସଫଳତା ପଛର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ ଭାବମୂର୍ତ୍ତି ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବିଜେପିର ଦବଦବା । ଗତ କିଛିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସିଧାସଳଖ କଥାବାର୍ତ୍ତା କରିଥିଲେ । ବିରୋଧୀମାନେ ମଧ୍ୟ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ, କିନ୍ତୁ ପରେ ସେମାନେ ଅନୁଭବ କଲେ ଯେ ସେମାନେ ଏଭଳି ଜନସଂଖ୍ୟାକୁ ଅଣଦେଖା କରୁଛନ୍ତି, ଯେଉଁମାନେ ଦେଶ ଭିତରେ ମଧ୍ୟ ଜନମତ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହି ଭୁଲରୁ ଶିକ୍ଷା ନେଇ ଏବେ କଂଗ୍ରେସ ମଧ୍ୟ ବିଳମ୍ବରେ ସଠିକ୍ ପଦକ୍ଷେପ ନେଇଛି । କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ଷେତ୍ରରେ ସୃଷ୍ଟି କରିଥିବା ଲମ୍ବା ଲାଇନକୁ ଟକ୍କର ଦେବା ପାଇଁ କଂଗ୍ରେସକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ ।