ସଂଖ୍ୟାଲଘୁ ପରିଚୟ ମାମଲା: ରାଜ୍ୟଗୁଡ଼ିକୁ ଜବାବ ଦେବାକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

Must read

ନୂଆଦିଲ୍ଲୀ: ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଚିହ୍ନଟ ସଂକ୍ରାନ୍ତ ଆବେଦନର ଶୁଣାଣିବେଳେ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ ଜବାବ ଦାଖଲ ପାଇଁ ଶେଷ ସୁଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ କେତେକ ରାଜ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ ଜବାବ ଦାଖଲ କରିନାହାଁନ୍ତି । ଏହାକୁ ନେଇ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟମାନଙ୍କୁ ଶେଷ ସୁଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ ସଂଖ୍ୟାଲଘୁ ଶବ୍ଦକୁ ସଂଜ୍ଞା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଏବଂ ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଚିହ୍ନଟ ପାଇଁ ଗାଇଡଲାଇନ ଜାରି କରାଯାଉ । ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା । ଏହି ସମୟରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ତଥ୍ୟ ଉପସ୍ଥାପନ କରିବା ପାଇଁ ରାଜ୍ୟମାନଙ୍କୁ ଶେଷ ସୁଯୋଗ ଦିଆଯାଇଛି, ଯଦି ଏହା କରାନଯାଏ ତେବେ ଆମେ ଜରିମାନା ଆଦାୟ କରିବୁ ।

ସୁପ୍ରିମକୋର୍ଟରେ ରାଜ୍ୟସ୍ତରରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଚିହ୍ନଟ ସଂକ୍ରାନ୍ତ ମାମଲାର ଶୁଣାଣିବେଳେ ୩ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ ଯେଉଁ ରାଜ୍ୟରେ ହିନ୍ଦୁ, ଜୈନ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ସଂଖ୍ୟା କମ୍ ରହିଛି, ସେହି ରାଜ୍ୟଗୁଡ଼ିକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବ କି ନାହିଁ ତାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଷ୍ପତ୍ତି ନେବେ । କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିଜର ନୂଆ ସତ୍ୟପାଠରେ କହିଥିଲେ ଯେ ସଂଖ୍ୟାଲଘୁଙ୍କୁ ସୂଚିତ କରିବାର ଅଧିକାର କେନ୍ଦ୍ରର ରହିଛି ।

କ’ଣ ରହିଛି ଦେବକିନନ୍ଦନ ଠାକୁରଙ୍କ ଆବେଦନ ?

ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନ୍‍ସିଏମ୍) ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ନୂଆ ପିଟିସନ୍ ଦାଖଲ କରାଯାଇଛି । ଜିଲ୍ଲାସ୍ତରରେ ସଂଖ୍ୟାଲଘୁଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି । ମଥୁରା ବାସିନ୍ଦା ଦେବକିନନ୍ଦନ ଠାକୁରଙ୍କ ଦ୍ୱାରା ଦାୟର ପିଟିସନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କରେ ସରକାର ୧୯୯୩ ମସିହା ଅକ୍ଟୋବର ୨୩ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ ମନମୁଖୀ ଓ ଅଯୌକ୍ତିକ ଏବଂ ସମ୍ବିଧାନର ଧାରା ୧୪, ୧୫, ୨୧, ୨୯ ଓ ୩୧ ବିରୋଧରେ ବୋଲି ଦର୍ଶାଯାଇଛି ।

ପୂର୍ବରୁ ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ କ’ଣ ?

ଆବେଦନରେ କୁହାଯାଇଛି ଯେ ଦେଶର ୯ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ କିନ୍ତୁ ସେମାନେ ସଂଖ୍ୟାଲଘୁ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି । ଉପାଧ୍ୟାୟ ୧୯୯୨ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ ସମ୍ବିଧାନର ଧାରା ୧୪ ସମସ୍ତଙ୍କୁ ସମାନ ଅଧିକାର ଦେଇଛି, ଧାରା ୧୫ ଭେଦଭାବକୁ ନିଷେଧ କରିଛି । ଯଦି ଏହି ଆଇନକୁ ବଜାୟ ରଖାଯାଏ ତେବେ ଯେଉଁ ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛନ୍ତି ସେମାନଙ୍କୁ ରାଜ୍ୟଭିତ୍ତିକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଉ, ଯାହାଦ୍ୱାରା ସେମାନେ ସଂଖ୍ୟାଲଘୁ ସୁବିଧା ପାଇପାରିବେ ବୋଲି ଆବେଦନରେ ଦାବି କରାଯାଇଛି ।

More articles

LEAVE A REPLY

Please enter your comment!
Please enter your name here

Latest article