ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଓ ଅପମାନଜନକ ପୋଷ୍ଟ କରିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏକ ମାମଲାର ଶୁଣାଣିବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୌଣସି ପ୍ରକାର ଅପମାନଜନକ ଏବଂ ଅଶ୍ଳୀଳ ପୋଷ୍ଟର ପରିଣାମ ଦଣ୍ଡନୀୟ ହୋଇପାରେ । ଏଥିସହ ଏଭଳି ମାମଲାରେ କେବଳ କ୍ଷମା ମାଗିବା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ କ୍ଷମା ଦେବା ପାଇଁ ଯଥେଷ୍ଟ ହେବ ନାହିଁ । ଅଭିନେତା ତଥା ତାମିଲନାଡୁର ପୂର୍ବତନ ବିଧାୟକ ଏସ୍ ଭି ଶେଖର ରାଓଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିବା ମାମଲାକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହି ପୋଷ୍ଟରେ ମହିଳା ସାମ୍ବାଦିକଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିଲା ।
ଅଜାଣତରେ ପୋଷ୍ଟ ସେୟାର କରାଯାଇଥିଲା ବୋଲି ଓକିଲ କହିଛନ୍ତି
୭୨ ବର୍ଷୀୟ ଅଭିନେତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଶେଖର ଏକ ଫେସବୁକ୍ ପୋଷ୍ଟ ସେୟାର କରିବା ପରେ ତାମିଲନାଡୁରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା । ଶେଖରଙ୍କ ଓକିଲ କହିଛନ୍ତି ଯେ ଭୁଲ ଅନୁଭବ କରିବା ପରେ ଅଭିନେତା ପୋଷ୍ଟକୁ ଡିଲିଟ୍ କରିଥିଲେ । ଏଥିସହ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଅଭିନେତା ଅଜାଣତରେ ଅନ୍ୟ କାହାର ପୋଷ୍ଟକୁ ନ ପଢ଼ି ସେୟାର କରିଥିଲେ କାରଣ ସେହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅସ୍ପଷ୍ଟ ଥିଲା ।
ଏହି ପୋଷ୍ଟ ଭାଇରାଲ ହୋଇଥିଲା
ଅଭିନେତାଙ୍କ ଓକିଲ ତଥା ତାମିଲନାଡୁର ପୂର୍ବତନ ବିଧାୟକ ଏସ ଭି ଶେଖର କହିଛନ୍ତି ଯେ ଏହି ପୋଷ୍ଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ମୁଁ ଏକ ସମ୍ମାନଜନକ ପରିବାରରୁ ଆସିଛି । ମୋ ପରିବାର ମହିଳା ସାମ୍ବାଦିକଙ୍କୁ ସମ୍ମାନ ଦିଅନ୍ତି । ସେହି ସମୟରେ ମୋ ଆଖିରେ ଔଷଧ ଥିଲା । ଏହି କାରଣରୁ ମୁଁ ମୋ’ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟର ବିଷୟବସ୍ତୁ ପଢ଼ି ପାରିନଥିଲି । ତେବେ ଜଷ୍ଟିସ ବିଆର୍ ଗବାଇ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଷୟବସ୍ତୁ ନ ପଢ଼ି କିପରି ଏହି ପୋଷ୍ଟକୁ ଏତେ ସହଜରେ ସେୟାର କରିଛନ୍ତି ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଅଦାଲତ ତାଙ୍କ ବିରୋଧରେ ଚାଲିଥିବା ଶୁଣାଣି ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।
ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ
କୋର୍ଟ ତାଙ୍କୁ ବିଚାରର ସମ୍ମୁଖୀନ ହେବାକୁ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟଭାବେ କହିଛନ୍ତି ଯେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ବହୁତ ସାବଧାନ ରହିବାକୁ ପଡ଼ିବ । ସୋସିଆଲ ମିଡ଼ିଆ ବ୍ୟବହାର କରିବା ଜରୁରୀ ନୁହେଁ, କିନ୍ତୁ ଯଦି କେହି ଏହାକୁ ବ୍ୟବହାର କରୁଛନ୍ତି ତେବେ ସେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବା ଉଚିତ । ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ସୋସିଆଲ ମିଡ଼ିଆରେ ପଠାଯାଇଥିବା କିମ୍ବା ଫରୱାର୍ଡ କରାଯାଇଥିବା ବାର୍ତ୍ତା ଧନୁରୁ ଛଡ଼ା ଯାଇଥିବା ତୀର ପରି ଅଟେ । ଯେପର୍ଯ୍ୟନ୍ତ ସେ ମେସେଜ୍ ପ୍ରେରଣକାରୀଙ୍କ ପାଖରେ ରହିବେ, ତାହା ତାଙ୍କ ନିୟନ୍ତ୍ରଣରେ ରହିବ । ଥରେ ପଠାଯିବା ପରେ ବାର୍ତ୍ତା ପ୍ରେରକ ସେହି ତୀର (ବାର୍ତ୍ତା) ଦ୍ୱାରା ହୋଇଥିବା କ୍ଷତିର ପରିଣାମର ଦାୟିତ୍ୱ ନେବା ଆବଶ୍ୟକ । କ୍ଷୟକ୍ଷତି ହେବା ପରେ କ୍ଷମା ପ୍ରାର୍ଥନା କରି ପୁନରୁଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ ।
୨୦୧୮ରେ ଏହି ମାମଲା ରୁଜୁ ହୋଇଥିଲା
୨୦୧୮ରେ ଏକ ସାମ୍ବାଦିକ ସଂଘ ଚେନ୍ନାଇ, କାରୁର ଏବଂ ତିରୁନେଲଭେଲି ଜିଲ୍ଲାର ଅଦାଲତରେ ଅପରାଧିକ ମାମଲା ରୁଜୁ କରିଥିଲା । ମାଡ୍ରାସ ହାଇକୋର୍ଟ ଫୌଜଦାରୀ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଶେଖର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନିମ୍ନ ଅଦାଲତରେ ଶେଖରଙ୍କୁ ବ୍ୟକ୍ତିଗତ ହାଜର ହେବାରୁ ମୁକ୍ତ କରିବାକୁ ଶେଖରଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନ ସମ୍ପର୍କରେ ନିମ୍ନ ବିଚାରପତିଙ୍କ ନିକଟକୁ ଯିବାକୁ କହିଥିଲେ ।