ଚାନ୍ଦା ପାଇଁ କଂଗ୍ରେସର ନୂଆ ଯୋଜନା
ନୂଆଦିଲ୍ଲୀ: ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସ ଶନିବାର କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି । ଦଳ ଏହାକୁ ’ଡୋନେଟ ଫର ନ୍ୟାୟ’ ନାମ ଦେଇଛି । ଏହି ଅଭିଯାନ ଅଧୀନରେ ଦାତାମାନେ ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍ ଥିବା ଟି-ସାର୍ଟ ଏବଂ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସାମଗ୍ରୀ ପାଇବେ । ଦଳର କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନ ଧରି ଚାଲିବ । ଏଭଳି ସ୍ଥିତିରେ ଯେକୌଣସି ବ୍ୟକ୍ତି ସର୍ବନିମ୍ନ ୬୭ ଟଙ୍କା କିମ୍ବା ୬୭୦ ଟଙ୍କା, ୬୭୦୦ ଟଙ୍କା, ୬୭୦୦୦ ଟଙ୍କା କିମ୍ବା ୬.୭ ଲକ୍ଷ ଟଙ୍କା ଦେଇପାରିବେ । ଶନିବାର ‘ଡୋନେଟ ଫର ନ୍ୟାୟ’ ଅଭିଯାନ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି । ଯେଉଁମାନେ ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ଦାନ କରିବେ ସେମାନଙ୍କୁ ରାହୁଲଙ୍କ ଦସ୍ତଖତ ଥିବା ଟି-ସାର୍ଟ ମିଳିବ ।
ମାକେନଙ୍କ କହିବା ଅନୁଯାୟୀ, ପୂର୍ବରୁ କଂଗ୍ରେସଦ୍ୱାରା ପରିଚାଳିତ ‘ଡୋନେଟ ଫର ନେସନ’ ଅଭିଯାନ ଅଧୀନରେ ଗୋଟିଏ ମାସରେ ୧୭ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଥିଲା । ଏଭଳି ଅଭିଯାନର ଉଦ୍ଦେଶ୍ୟ କେବଳ ପାଣ୍ଠି ସଂଗ୍ରହ କରିବା ନୁହେଁ ବରଂ ଲୋକସଭା ନିର୍ବାଚନ ପୂର୍ବରୁ କର୍ମୀ ଓ ସମର୍ଥକଙ୍କୁ ଏକାଠି କରିବା ବୋଲି ସେ କହିଛନ୍ତି । ଯିଏ ଦଳକୁ ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରିବ ତାଙ୍କୁ ରାହୁଲ ଗାନ୍ଧିଙ୍କ ଦସ୍ତଖତ ଥିବା ଟି-ସାର୍ଟ ଦିଆଯିବ ବୋଲି ମାକେନ କହିଛନ୍ତି ।
ଜାନୁଆରୀ ୧୪ତାରିଖରୁ ମଣିପୁରରୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ୬,୭୧୩ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ମାର୍ଚ୍ଚ ୨୦ କିମ୍ବା ୨୧ରେ ମୁମ୍ବାଇରେ ଶେଷ ହେବା ପୂର୍ବରୁ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଗତି କରିବ ।