ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଏଥିରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ, ଯେଉଁଠାରେ ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବର୍ତ୍ତମାନର ସାଂସଦ ଅଛନ୍ତି । ମୁର୍ଶିଦାବାଦ ଜିଲ୍ଲା ନେତୃତ୍ୱଙ୍କ ସହ ତୃଣମୂଳର ଶୀର୍ଷ ସ୍ତରୀୟ ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୁର୍ଶିଦାବାଦ ଜିଲ୍ଲାରେ ୩ଟି ଲୋକସଭା ଆସନ ରହିଛି- ଜଙ୍ଗୀପୁର, ବ୍ରହ୍ମପୁର ଓ ମୁର୍ଶିଦାବାଦ । ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଅନ୍ୟ ଦୁଇଟି ଆସନ ଟିଏମସି ହାତେଇଥିଲା । ଚୌଧୁରୀ ୧୯୯୯ ମସିହାରୁ ବ୍ରହ୍ମପୁର ଆସନରୁ ବିଜୟୀ ହୋଇ ଆସୁଛନ୍ତି ଏବଂ ଏହା କଂଗ୍ରେସର ଗଡ଼ ଭାବେ ପରିଗଣିତ ।
ଟିଏମସି ସହ ବୁଝାମଣା ଅନୁଯାୟୀ ଦଳ ଲଢ଼ିବା ପାଇଁ ଅଧିକ ଆସନ ଖୋଜୁଥିବାରୁ ଏହି ନିଷ୍ପତ୍ତି କଂଗ୍ରେସକୁ କ୍ଷତି ପହଞ୍ଚାଇବ । ମମତା ବାନାର୍ଜୀଙ୍କ ଦଳ ପ୍ରଥମେ ପଶ୍ଚିମବଙ୍ଗରେ କଂଗ୍ରେସକୁ ଦୁଇଟି ଆସନ ଦେଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ଟି ଆସନ ଜିତି ସମସ୍ତଙ୍କୁ ଚକିତ କରିଥିଲା । ୪୨ଟି ଆସନରୁ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବାବେଳେ ଟିଏମସି ୨୨ଟି ଆସନରେ ବିଜୟୀ ହୋଇଛି ।
୨୦୧୯ ନିର୍ବାଚନ ଏବଂ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳଗୁଡ଼ିକର ପ୍ରଦର୍ଶନ ଆଧାରରେ ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ କରିବାକୁ ତୃଣମୂଳ ଚାହୁଁଥିଲା । ଟିଏମସି ଦର୍ଶାଇଥିଲା ଯେ କଂଗ୍ରେସ ୫ ପ୍ରତିଶତରୁ କମ ଭୋଟ ପାଇଛି । ଗତ ମାସରେ ମମତା ବାନାର୍ଜୀ ରାଜ୍ୟରେ କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ସହ ଆସନ ବୁଝାମଣା ହେବ ନାହିଁ ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ ।
ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଟିଏମସି ରାଜ୍ୟରେ ଏକାକୀ ଲଢ଼ିବ । ସମଗ୍ର ଦେଶରେ ଇଣ୍ଡି ମେଣ୍ଟ ରହିବ । ପଶ୍ଚିମବଙ୍ଗରେ ଟିଏମସି ଲଢ଼ି ବିଜେପିକୁ ପରାସ୍ତ କରିବ । ମନେରଖନ୍ତୁ, ପଶ୍ଚିମବଙ୍ଗରେ କେବଳ ଟିଏମସି ହିଁ ବିଜେପିକୁ ଶିକ୍ଷା ଦେଇପାରିବ, ଅନ୍ୟ କୌଣସି ଦଳକୁ ନୁହେଁ ।