ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବ ଓଡ଼ିଶାର ‘ମିନି ଜଙ୍ଗଲ’

Must read

ମନିଶ କୁମାର  

ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ଯେ ଏହି ଛୋଟ ଜଙ୍ଗଲଗୁଡ଼ିକ ସେମାନଙ୍କର ଉପକୂଳବର୍ତ୍ତୀ ବାସସ୍ଥାନକୁ ବନ୍ୟା ଦାଉରୁ ରକ୍ଷା କରିବ ଓ ସେମାନଙ୍କୁ ନିଶ୍ୱାସ ନେବାପାଇଁ ନିର୍ମଳ ବାୟୁ ଦେବ।  

ତ ବର୍ଷ ‘ସାଇନ୍ସ ଅଫ ଦି ଟୋଟାଲ ଏନଭାରନମେଣ୍ଟ’ରେ ପ୍ରକାଶିତ ଏକ ଅନୁସନ୍ଧାନ ଲେଖା ଅନୁଯାୟୀ, ଓଡିଶାର ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ୧୨.୫୫ପ୍ରତିଶତ ରୁ ୨୦୪୦ ସୁଦ୍ଧା ୨୭.୩୫ପ୍ରତିଶତ କୁ ବୃଦ୍ଧି ପାଇବ । ଜଗତସିଂହପୁରର ପରିବେଶ ଅବସ୍ଥା କେବଳ ଭୂମି ନୁହେଁ ବରଂ ବାୟୁ ମଧ୍ୟ ଖରାପ । ଏଠାରେ ବାୟୁ ବହୁତ ପ୍ରଦୂଷିତ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨୦୧୮ ରିପୋର୍ଟରେ ଉକ୍ତ ଜିଲ୍ଲାରେ ଥିବା ପାରାଦୀପ ବନ୍ଦରକୁ ଗୁରୁତର ପ୍ରଦୂଷିତ ବୋଲି ବର୍ଣ୍ଣନା କରାଯାଇଛି ।

ଏହି ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କୁଜଙ୍ଗ ବ୍ଲକର ଲୋକମାନେ ଏହି ଦୁଇଟି ସମସ୍ୟାର ମୁକାବିଲାପାଇଁ ଏକ ‘ମିନି ଜଙ୍ଗଲ’ ଯୋଜନା ଆରମ୍ଭ କରିଛନ୍ତି । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ବ୍ଲକର ୨୦ଟି ଗାଁର ଛୋଟ ସ୍ଥାନରେ ବଡ଼ ଆକାରରେ ବୃକ୍ଷରୋପଣ କରାଯାଇଛି । ଏହି ଜଙ୍ଗଲଗୁଡ଼ିକ ପ୍ରାୟ ଏକ ଏକର କିମ୍ବା ତା’ଠାରୁ କମ୍ ଅଞ୍ଚଳରେ ବ୍ୟାପିଛି ଏବଂ ଏହିପରି ଜଙ୍ଗଲର ସମୁଦାୟ କ୍ଷେତ୍ର ୩୫ ଏକର ପର୍ଯ୍ୟନ୍ତ ରହିଛି ।

ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ଯେ ଏହି ଛୋଟ ଜଙ୍ଗଲଗୁଡ଼ିକ ସେମାନଙ୍କର ଉପକୂଳବର୍ତ୍ତୀ ବାସସ୍ଥାନକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରିବ ଓ ସେମାନଙ୍କୁ ନିଶ୍ୱାସ ନେବାପାଇଁ ନିର୍ମଳ ବାୟୁ ଦେବ ।

ବାସ୍ତବରେ, ଏହି ଗାଁର ଲୋକଙ୍କ ଚିନ୍ତାଧାରା ବହୁତ ଉନ୍ନତ । କୁଜଙ୍ଗ ବ୍ଲକର ଉତ୍ତରରେ ମହାନଦୀ ପ୍ରବାହିତ ହେଉଥିବାବେଳେ ପୂର୍ବକୁ ମାତ୍ର ୧୦ କିଲୋମିଟର ଦୂରରେ ବଙ୍ଗୋପସାଗର ଅବସ୍ଥିତ । ନଦୀ ଏବଂ ସମୁଦ୍ରର ନିକଟବର୍ତ୍ତୀ ହେତୁ ଏହି ଅଞ୍ଚଳ ପ୍ରାୟତଃ ବନ୍ୟା ଏବଂ ଘୂର୍ଣ୍ଣିବଳୟର ସମ୍ମୁଖୀନ ହୁଏ । ଏହି ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ଜୀବନ ଏବଂ ସମ୍ପତ୍ତି ନଷ୍ଟ, ବିଦ୍ୟୁତ୍, ଇଣ୍ଟରନେଟ୍ ଏବଂ ସଡ଼କପଥ ଅବରୋଧ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ।

ଲଣ୍ଡନର ୱେଷ୍ଟର୍ଣ୍ଣ ୟୁନିଭରସିଟିରେ ଗବେଷଣା କରୁଥିବା ଓଡ଼ିଶାର ଗବେଷକ ମୋହିତ ମହାନ୍ତି କହିଛନ୍ତି ଯେ ଏରସମା ଏବଂ କୁଜଙ୍ଗ ଭଳି ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ରହିଛି । ସେ ୨୦୧୮ ମସିହାରେ ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ମଧ୍ୟ ଏକ ଅଧ୍ୟୟନ କରିଥିଲେ।

ଗଛର ସଠିକ ପ୍ରଜାତି ବାଛିବା ଜରୁରୀ   

ଏଠାକାର ଲୋକମାନେ ଏହି ଛୋଟ ଜଙ୍ଗଲରେ ଭାରତୀୟ କରଞ୍ଜ, ଚାକୁଣ୍ଡା, ଶାଗୁଆନ, ଜାମୁ, ପିଜୁଳି ଏବଂ କଦଳୀ ପରି ସ୍ଥାନୀୟ ଭାବରେ ବଢ଼ୁଥିବା ପ୍ରଜାତିର ଗଛ ଲଗାଇଛନ୍ତି ।

ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ସାମୁଦାୟିକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ଗଛଗୁଡ଼ିକ ମାଟିକୁ ଦୃଢ଼ ଭାବରେ ଧରି ରଖିଛନ୍ତି ଏବଂ ଘୂର୍ଣ୍ଣିବଳୟ ଏବଂ ବନ୍ୟା ପରି ବିପର୍ଯ୍ୟୟର ପ୍ରଭାବକୁ ହ୍ରାସ କରୁଛନ୍ତି । ୨୦୧୧ର ଏକ ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ ମୃତ୍ତିକା କ୍ଷୟକୁ ରୋକିବାପାଇଁ କରଞ୍ଜ (Milletia Pinnata)  ପ୍ରଜାତିର ଗଛଗୁଡ଼ିକ ରାଜପଥ, ସଡ଼କ ଏବଂ କେନାଲଗୁଡ଼ିକରେ ଲଗାଯିବା ଉଚିତ । ସେହିଭଳି ଅନ୍ୟ ଏକ ଅଧ୍ୟୟନ ଚାକୁଣ୍ଡାର ମାଟି ଧାରଣ କ୍ଷମତା ବିଷୟରେ ସୂଚନା ଦେଇଛି ।

ସେହି ଅଞ୍ଚଳର ଉଚବନଦାପୁର ଗାଁର ବାସିନ୍ଦା ସୁରେନ୍ଦ୍ର ତରାଇ କହିଛନ୍ତି ଯେ ଯେଉଁ ସ୍ଥାନଗୁଡ଼ିକରେ ମୃତ୍ତିକା କ୍ଷୟ ହେଉଛି ତାହାକୁ ରୋକିବାପାଇଁ ରାସ୍ତା, କେନାଲ ଏବଂ ବନ୍ଧ୍ୟା ଜମିରେ ଏହି ସବୁ ଗଛ ଲଗାଯାଇଛି । ସେ କହିଛନ୍ତି ଯେ ବନ୍ୟା ସମୟରେ ମୃତ୍ତିକା କ୍ଷୟକୁ ରୋକିବାରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହା ବ୍ୟତୀତ ଗ୍ରାମବାସୀମାନେ ଝାଉଁ, ଆକାସିଆ ଏବଂ ଇଉକ୍ଲିପଟାସ୍ ଗଛ ମଧ୍ୟ ଲଗାଇଛନ୍ତି, ଯଦିଓ ସେମାନଙ୍କ ସଂଖ୍ୟା ତୁଳନାତ୍ମକଭାବେ କମ୍ ରହିଛି । ଜଙ୍ଗଲକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଥିବା ଅମରେଶ ନରେଶ ସାମନ୍ତ କୁହନ୍ତି, “ଗୋଟିଏ ପଟେ ଏହି ଗଛଗୁଡ଼ିକ ଦ୍ରୁତ ଗତିରେ ବଢ଼ୁଥିବାବେଳେ ଅନ୍ୟପଟେ ଏଗୁଡ଼ିକ ଆକ୍ରମଣକାରୀ ପ୍ରଜାତି ଯାହା ସ୍ଥାନୀୟ ଉଦ୍ଭିଦକୁ ବୃଦ୍ଧିରେ ରୋକିଥାଏ । ସେଥିପାଇଁ ଆମେ ସେଗୁଡ଼ିକୁ ଅଧିକ ଲଗାଇ ନାହୁଁ ।”

“ଡାଉନ୍ ଟୁ ଆର୍ଥ”ର ଏହି ରିପୋର୍ଟରେ ଝାଉଁ ବୃକ୍ଷରୋପଣକୁ ସମୁଦ୍ର କୂଳରେ ‘ବାୟୋଶିଲ୍ଡସ୍’ ଭାବରେ ବର୍ଣ୍ଣନା କରାଯାଇଛି, ଯାହାକି ତାମିଲନାଡୁ ସରକାର ୨୦୦୪ ମସିହାରେ ଭାରତ ମହାସାଗରରେ ସୁନାମି ପରେ ବ୍ୟାପକ ଲଗାଇଥିଲେ ।

ଜଣେ ବ୍ୟକ୍ତି ପଛରେ ଅନେକ ସ୍ୱେଚ୍ଛାସେବୀ 

୨୦୦୦ ମସିହାରେ କୁଜଙ୍ଗ ବ୍ଲକର ବିଶ୍ୱାଳି ଗ୍ରାମରୁ ଏହି ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା  ଆଜି ଏହି ଅଭିଯାନ ନିକଟସ୍ଥ ଅନେକ ଗ୍ରାମକୁ ମଧ୍ୟ ବ୍ୟାପିଛି । ଯେତେବେଳେ ଅମରେଶ ନରେଶ ସାମନ୍ତ ଏହି ଅଭିଯାନ ଆରମ୍ଭ କଲେ, ତାଙ୍କୁ ୨୫ ବର୍ଷ ହୋଇଥିଲା । ତାଙ୍କ ଗାଁ କିପରି ବନ୍ଧ୍ୟା ଏବଂ ଦୁର୍ବଳ ଦେଖାଯାଉଛି ସେ ବିଷୟରେ ଚିନ୍ତା କରି ସେ ଏହାକୁ ପୁନର୍ବାର ଜଙ୍ଗଲ କରିବାକୁ ସ୍ଥିର କଲେ । କୋଡ଼ିଏ ବର୍ଷ ପରେ ପାରାଦୀପ ବନ୍ଦରରେ ବୈଦ୍ୟୁତିକ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ଅମରେଶ ନରେଶ ସାମନ୍ତ ଜଗତସିଂହପୁରର ‘ବୃକ୍ଷ ମାନବ’ (ଫରେଷ୍ଟ ମ୍ୟାନ୍) ଭାବରେ ପରିଚିତ ହୋଇଥିଲେ ।

ଆଜି ତାଙ୍କର ବୃକ୍ଷରୋପଣ ମିଶନ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ଏହି ‘ମିନି ଜଙ୍ଗଲ’ କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରେ ପ୍ରାୟ ୧୫ ଏକର ଅଞ୍ଚଳରେ ବ୍ୟାପିଛି ।

ବର୍ତ୍ତମାନ ୪୬ ବର୍ଷର ଅମରେଶ ନରେଶ ସାମନ୍ତ କହିଛନ୍ତି ଯେ ସ୍ଥାନୀୟ ସମ୍ପ୍ରଦାୟର ସମର୍ଥନ ବିନା ଏହି ସଫଳତା ହାସଲ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ସେ କହିଛନ୍ତି, “ଏହା ଆରମ୍ଭରେ କିଛି ସମୟ ନେଇଥିଲା, କିନ୍ତୁ ଧୀରେ ଧୀରେ ଯୁବକମାନେ ମୋ ସହିତ ସ୍ୱେଚ୍ଛାକୃତ ଭାବରେ ଏବଂ ମାଗଣାରେ କାମ କରିବା ଆରମ୍ଭ କଲେ । ଏହି ସମସ୍ତ ଲୋକ ଉତ୍ସାହର ସହିତ ଏହି ଅଭିଯାନରେ ଭାଗ ନେଇଥିଲେ ଏବଂ ଅଧିକ ଲୋକଙ୍କୁ ସଂଯୋଗ କରିବାପାଇଁ କାର୍ଯ୍ୟ କରିଥିଲେ । ଆଜି ମୋର ୧୧୦ ସ୍ୱେଚ୍ଛାସେବୀଙ୍କର ଏକ ନେଟୱାର୍କ ଅଛି । ଆମେ ଜଙ୍ଗଲର ମହତ୍ତ୍ୱ ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବୃକ୍ଷ ରୋପଣ କରିବାରେ ମଧ୍ୟ ପରିଚାଳନା କରୁଛୁ ।”

ପାରାଦୀପଗଡ଼ର ଜଣେ ସ୍ୱେଚ୍ଛାସେବୀ ୩୭ ବର୍ଷର ସୁଖଦେବ ତରାଇ କହିଛନ୍ତି, “ମୁଁ ସ୍କୁଲରେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ବୃକ୍ଷର ମହତ୍ତ୍ୱ ବିଷୟରେ ପଢ଼ିଥିଲି। ଯେତେବେଳେ ଦେଖିଲି ଯେ ଆମ ଅଞ୍ଚଳ କ୍ରମାଗତ ଭାବରେ ମହାବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ମୁଁ ଏହାକୁ ବନ୍ଦ କରିବାକୁ ଏବଂ ପରିବେଶକୁ ଉନ୍ନତ କରିବାରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି ।

ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣପାଇଁ ସ୍ଥାନୀୟ ଲୋକ ବ୍ୟବସ୍ଥା କରନ୍ତି । ଜଙ୍ଗଲ ବିଭାଗ କେବଳ ଥରେ ସାହାଯ୍ୟ ଯୋଗାଇ ଦେଇଥିଲା, କିନ୍ତୁ ଏହା ପରେ ସେମାନେ କୌଣସି ଯତ୍ନ ନେଲେ ନାହିଁ ।

ରାଜନଗର ଡିଭିଜନାଲ ବନ ଅଧିକାରୀ ବିକାଶ କୁମାର ନାୟକ କହିଛନ୍ତି, “କୁଜଙ୍ଗରେ ଗ୍ରାମବାସୀଙ୍କଦ୍ୱାରା ବୃକ୍ଷରୋପଣକୁ ଆମେ ଉତ୍ସାହିତ କରୁଛୁ । ବିହନ ୧ଟଙ୍କା ମୂଲ୍ୟରେ ସେମାନଙ୍କୁ ସବସିଡ଼ିଯୁକ୍ତ ମଞ୍ଜି ଦେଇଛୁ । ଏହା ବ୍ୟତୀତ ଆମେ ସବୁଜ ମହାନଦୀ ମିଶନ ଅଧୀନରେ ମାଗଣା ବିହନ ଦେଇଛୁ । ଆମେ ଫଳ ଏବଂ ଫୁଲ ସହିତ ଅନେକ ପ୍ରକାରର ପ୍ରଜାତିର ମଞ୍ଜି ବିତରଣ କରିଥିଲୁ ।

ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ଜଙ୍ଗଲ ଆବଶ୍ୟକ  

୧୯୯୯ର ମହାବତ୍ୟାରୁ ଶିକ୍ଷା ଗ୍ରହଣ କରି ଏଠାରେ ଥିବା ଲୋକମାନେ ନିଜ ଗ୍ରାମରେ ଜଙ୍ଗଲକୁ ପୁନର୍ଜୀବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱାଳି ନିବାସୀ ଦିଲୀପ କୁମାର ପଲାଇ କୁହନ୍ତି, “ଘୂର୍ଣ୍ଣିବଳୟ ସମୟରେ ଆମ ଗାଁର ୯୦ପ୍ରତିଶତ ଗଛ ଉପୁଡ଼ି ଯାଇଥିଲା କିମ୍ବା ନଷ୍ଟ ହୋଇଯାଇଥିଲା । କିନ୍ତୁ ଯଦି ଏହି ଗଛଗୁଡ଼ିକ ନ ଥା’ନ୍ତା, ତେବେ ଆମେ ଅଧିକ ଜୀବନ ଓ ସମ୍ପତ୍ତି ହରାଇଥାନ୍ତୁ ।”

ପୁରୁଷ ଏବଂ ମହିଳାଙ୍କଠାରୁ ସମସ୍ତେ ଏହି ବୃକ୍ଷରୋପଣ ମିଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି । ଗାଁର ଜଣେ ଗୃହିଣୀ ସବିତା ସେଠୀ କୁହନ୍ତି, “ଆମେ ଗଛଗୁଡ଼ିକୁ ନିୟମିତ ଜଳସେଚନ କରିଥାଉ ଯାହାଦ୍ୱାରା ଗଛଗୁଡ଼ିକ ଶକ୍ତିଶାଳୀ ହୋଇ ଶୀଘ୍ର ବଢ଼ିଥାଏ । ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ପରି ବଡ଼ ଦିନରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଆୟୋଜନ କରିଥାଉ ।”

ମିନି ଜଙ୍ଗଲର ସୁରକ୍ଷା ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ ବିଶ୍ୱାଳିର ଡେପୁଟି ସରପଞ୍ଚ ଶରତ ଚନ୍ଦ୍ର ମଲ କହିଛନ୍ତି, “ଗ୍ରାମବାସୀଙ୍କ ଜଙ୍ଗଲ ପ୍ରତି କୌଣସି ବିପଦ ନାହିଁ, କାରଣ ସେମାନେ ଏହାକୁ ବହୁ ପରିଶ୍ରମ କରି ବଢ଼ାଇଛନ୍ତି ଏବଂ ସେମାନେ ଏହାର ଗୁରୁତ୍ୱ ବୁଝିଛନ୍ତି । ତଥାପି, ଆମେ ଉଦ୍ଭିଦ ଚାରିପାଖରେ କଣ୍ଟା ତାର ଲଗାଇଛୁ । ଜଙ୍ଗଲ ଚାରିପାଖରେ ରହୁଥିବା ଗ୍ରାମବାସୀ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉଥିବାରୁ ଗଛକୁ କେହି କ୍ଷତି ପହଞ୍ଚାନ୍ତି ନାହିଁ।

ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା କରି ଭୁବନେଶ୍ୱରର ପରିବେଶବିତ୍ ଏସ୍.ଏନ୍ ପାତ୍ର କହିଛନ୍ତି ଯେ ଯଦି ଅଧିକରୁ ଅଧିକ ଉପକୂଳବର୍ତ୍ତୀ ଗ୍ରାମରେ ଜଙ୍ଗଲର ଘନତା ବଢ଼େ, ତେବେ ଏହା ବନ୍ୟା ଏବଂ ମୃତ୍ତିକା କ୍ଷୟକୁ ମୁକାବିଲା କରିବାର କ୍ଷମତାକୁ ଦୃଢ଼ କରିବ ।

ଜଙ୍ଗଲର ଅନେକ ପ୍ରକାରର ଲାଭ 

ଆଜି, ଅମରେଶ ନରେଶ ସାମନ୍ତଙ୍କ କଳ୍ପନା ଅନୁଯାୟୀ, ଏହି ମିନି ଜଙ୍ଗଲ ଗ୍ରାମବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଉଛି । ମଲ୍ଲ କହିଛନ୍ତି ଯେ ଗ୍ରାମବାସୀ ପ୍ରଥମେ ଏହି ଜଙ୍ଗଲରୁ କାଠ, ଫଳ ଏବଂ ଚାରା ଗାଁର ଗରିବ ସଦସ୍ୟଙ୍କୁ ବଣ୍ଟନ କରନ୍ତି । କାରଣ ସେମାନଙ୍କ ଗାଁର ଅନେକ ପରିବାରରେ ରୋଷେଇପାଇଁ ଗ୍ୟାସ୍ ସିଲିଣ୍ଡର ନାହିଁ ଏବଂ ଏଥିପାଇଁ କାଠ ଉପରେ ନିର୍ଭର କରନ୍ତି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମ୍ବ ଏବଂ କଦଳୀ ପରି ଫଳ ସବୁ ଗ୍ରାମବାସୀଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯାଇଥାଏ ।

ଯେହେତୁ ଏହି ଜଙ୍ଗଲଗୁଡ଼ିକ ଛୋଟ ଏବଂ ଏଠାରେ ଉତ୍ପାଦନ ମଧ୍ୟ ଋତୁକାଳୀନ ଅଟେ, ଗ୍ରାମବାସୀ ସେମାନଙ୍କ ଜୀବିକାପାଇଁ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିପାରିବେ ନାହିଁ । ଏଠାରେ ଅଧିକାଂଶ ଗ୍ରାମବାସୀ ନିର୍ମାଣ ସ୍ଥଳରେ କିମ୍ବା ପାରାଦୀପ ବନ୍ଦରରେ କାମ କରନ୍ତି ।  ବାୟୁ ପ୍ରଦୂଷଣ ବିଷୟରେ କଥାବାର୍ତ୍ତା କରି ଏଠାରେ କିଛି ଗ୍ରାମବାସୀ ଅନୁଭବ କରୁଛନ୍ତି ଯେ ବାୟୁ ଗୁଣବତ୍ତା ଉନ୍ନତ ହୋଇଛି ।

ପାରାଦୀପଗଡ଼ ଗ୍ରାମ ବିଷୟରେ କହିବାକୁ ଗଲେ ଏହା ପାରାଦୀପ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ଭାରତର ୧୨ଟି ବୃହତ୍ତମ ବନ୍ଦର ମଧ୍ୟରୁ ପାରାଦୀପ ବନ୍ଦର ମଧ୍ୟ ରହିଛି । ପାରାଦୀପ ବନ୍ଦରର ସର୍ବଶେଷ ବିସ୍ତୃତ ପରିବେଶ ପ୍ରଦୂଷଣ ସୂଚକାଙ୍କ ହେଉଛି ୬୯.୨୬, ଯାହା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ “ଅତ୍ୟଧିକ ପ୍ରଦୂଷିତ” ।

ପାରାଦୀପଗଡ଼ର ସରପଞ୍ଚ ମିହିର ରଂଜନ ସାହୁ କହିଛନ୍ତି, “ଆମ ଗାଁ ସହର ରାଜପଥ ନିକଟରେ ଥିବାରୁ ଗାଡ଼ିରୁ ଆସୁଥିବା ଧୂଳିକୁ ଗଛ ଅବରୋଧ କରି ବର୍ତ୍ତମାନ ଏହି ସମସ୍ୟାକୁ ହ୍ରାସ କରିଛି ।”  କୁଜଙ୍ଗ ବ୍ଲକର ବାସିନ୍ଦା ଆଜି ବହୁତ ଖୁସି ଅଛନ୍ତି, କିନ୍ତୁ ଜଙ୍ଗଲ ସ୍ଥାପନ ଆରମ୍ଭ କରିଥିବା ବାୟୁ ଅମରେଶ ନରେଶ ସାମନ୍ତ ଅନୁଭବ କରୁଛନ୍ତି ଯେ ତାଙ୍କର କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେ ନିକଟସ୍ଥ ଅନ୍ୟ ଗାଁର ଲୋକଙ୍କୁ ଜଙ୍ଗଲର ମହତ୍ତ୍ୱ ବିଷୟରେ ଅବଗତ କରାଇବାକୁ ଚାହାଁନ୍ତି ଏବଂ ଏହା ସହିତ ସେ ସେମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିବାକୁ ଚାହାଁନ୍ତି ।

ସୌଜନ୍ୟ-ଇଣ୍ଡିଆସ୍ପେଣ୍ଡ            

 

 

More articles

LEAVE A REPLY

Please enter your comment!
Please enter your name here

Latest article