ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ଏହି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କ’ଣ ? ବାସ୍ତବରେ ,’ଏକ ଦେଶ ଗୋଟିଏ ନିର୍ବାଚନ’ ହେଉଛି ଏକ ପ୍ରସ୍ତାବ ଯାହା ଲୋକସଭା (ଭାରତୀୟ ସଂସଦର ନିମ୍ନ ସଦନ) ଏବଂ ସମସ୍ତ ରାଜ୍ୟ ବିଧାନସଭାପାଇଁ ଏକକାଳୀନ ନିର୍ବାଚନ ପାଇଁ ପରାମର୍ଶ ଦେଇଥାଏ । ଅର୍ଥାତ୍ ସମଗ୍ର ଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ବର୍ତ୍ତମାନ ପ୍ରତି ୫ ବର୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥାଏ ।
କ’ଣ ଲାଭ ହେବ ?
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେଲେ ଏହାଦ୍ୱାରା ନିର୍ବାଚନରେ ଖର୍ଚ୍ଚ ହ୍ରାସ ପାଇବ ବୋଲି ଯୁକ୍ତି କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ରାଶିରେ ନିର୍ବାଚନ ଲଢ଼ୁଥିବା ରାଜନୈତିକ ଦଳମାନେ ଖର୍ଚ୍ଚ କରିଥିବା ଅର୍ଥ ଏବଂ ନିର୍ବାଚନ ପରିଚାଳନାରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଖର୍ଚ୍ଚ କରିଥିବା ଅର୍ଥ ଅନ୍ତର୍ଭୁକ୍ତ । ସେହିପରି ୧୯୫୧-୧୯୫୨ରେ ହୋଇଥିବା ଲୋକସଭା ନିର୍ବାଚନରେ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏ ସଂକ୍ରାନ୍ତରେ ଆଇନ ଆୟୋଗ କହିଛନ୍ତି ଯେ ଯଦି ୨୦୧୯ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୁଏ, ତେବେ ଖର୍ଚ୍ଚ ୪୫୦୦ କୋଟି ଟଙ୍କା ବୃଦ୍ଧି ପାଇବ । ଏହି ଖର୍ଚ୍ଚ ଇଭିଏମ୍ କିଣିବାରେ ହେବ, କିନ୍ତୁ ୨୦୨୪ରେ ଏକକାଳୀନ ନିର୍ବାଚନ ପାଇଁ ଖର୍ଚ୍ଚ ୧୭୫୧ କୋଟି ଟଙ୍କା ବୃଦ୍ଧି ପାଇବ । ଏହାଦ୍ୱାରା ଧୀରେ ଧୀରେ ଏହି ଅତିରିକ୍ତ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଏହାଦ୍ୱାରା ସମଗ୍ର ଦେଶରେ ପ୍ରଶାସନିକ ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି ପାଇବ ବୋଲି ଏକକାଳୀନ ନିର୍ବାଚନ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମତଦାନ ସମୟରେ ପ୍ରଶାସନିକ ବ୍ୟବସ୍ଥାର ଗତି ଯଥେଷ୍ଟ ମନ୍ଥର ହୋଇଯାଏ ବୋଲି କୁହାଯାଉଛି । ଅଧିକାରୀମାନେ ମତଦାନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସାଧାରଣ ପ୍ରଶାସନିକ ଦାୟିତ୍ୱ ନିର୍ବାଚନଦ୍ୱାରା ପ୍ରଭାବିତ ହୋଇଥାଏ । ଏହାକୁ ସମର୍ଥନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମରେ ନିରନ୍ତରତା ସୁନିଶ୍ଚିତ କରିବାରେ ମଧ୍ୟ ଏହା ସହାୟକ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ଯେତେବେଳେ ବି ନିର୍ବାଚନ ହେବାକୁ ଯାଉଛି ସେତେବେଳେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଉଛି । ଫଳରେ ସେହି ସମୟ ମଧ୍ୟରେ ଜନକଲ୍ୟାଣ ପାଇଁ ନୂତନ ପ୍ରକଳ୍ପ ଆରମ୍ଭ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଦେଶର ସମ୍ବଳକୁ ବଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏଥିସହିତ ବିକାଶର ଗତି ମଧ୍ୟ କମିବ ନାହିଁ ।
କ’ଣ ରହିଛି ଆହ୍ୱାନ ?
ଏକାସାଙ୍ଗରେ ନିର୍ବାଚନ କରାଇବା ପାଇଁ ମଧ୍ୟ ଅନେକ ଆହ୍ୱାନ ରହିଛି । ଏଥିପାଇଁ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଲୋକସଭା ସହ ଯୋଡ଼ିବା ପାଇଁ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ରହିଛି । ଏହାବ୍ୟତୀତ ଜନପ୍ରତିନିଧି ଆଇନ ସହ ଅନ୍ୟାନ୍ୟ ସଂସଦୀୟ ପ୍ରକ୍ରିୟାରେ ସଂଶୋଧନ ଆଣିବାକୁ ପଡ଼ିବ । ଏକାସାଙ୍ଗରେ ନିର୍ବାଚନ କରାଇବା ନେଇ ଆଞ୍ଚଳିକ ଦଳଗୁଡ଼ିକର ମୁଖ୍ୟ ଭୟ ହେଉଛି ଯେ ଜାତୀୟ ପ୍ରସଙ୍ଗ କେନ୍ଦ୍ରରେ ଥିବାରୁ ସେମାନେ ସେମାନଙ୍କ ସ୍ଥାନୀୟ ପ୍ରସଙ୍ଗକୁ ଦୃଢ଼ତାର ସହ ଉଠାଇପାରିବେ ନାହିଁ । ଏଥିସହିତ ନିର୍ବାଚନ ଖର୍ଚ୍ଚ ଓ ନିର୍ବାଚନ ରଣନୀତି ଦୃଷ୍ଟିରୁ ସେମାନେ ଜାତୀୟ ଦଳସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ମଧ୍ୟ ଅସମର୍ଥ ହେବେ । ୨୦୧୫ରେ ଆଇଡିଏଫସି ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଲୋକସଭା ଏବଂ ରାଜ୍ୟ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୁଏ, ତେବେ ଭୋଟରମାନେ ସମାନ ରାଜନୈତିକ ଦଳ ବା ମେଣ୍ଟ ଚୟନ କରିବାର ୭୭ ପ୍ରତିଶତ ସମ୍ଭାବନା ରହିଛି । ତେବେ ୬ ମାସ ବ୍ୟବଧାନରେ ନିର୍ବାଚନ ହେଲେ ମାତ୍ର ୬୧ ପ୍ରତିଶତ ଭୋଟର ସେହି ଦଳକୁ ବାଛିବେ । ଦେଶର ସଂଘୀୟ ବ୍ୟବସ୍ଥାର ଏକକାଳୀନ ନିର୍ବାଚନଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ମଧ୍ୟ ଆଶଙ୍କା ରହିଛି ।
ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ
୧୯୯୯ମସିହାରେ ଆଇନ ଆୟୋଗ ମଧ୍ୟ ନିଜର ଏକ ରିପୋର୍ଟରେ ଏହାକୁ ସମର୍ଥନ କରିଥିଲେ । ୨୦୧୮ ଅଗଷ୍ଟମାସରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ଆଇନ ଆୟୋଗଙ୍କ ରିପୋର୍ଟ ଆସିଥିଲା । ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ବୋଲି ଆଇନ କମିଶନଙ୍କ ରିପୋର୍ଟରେ ଦର୍ଶାଯାଇଥିଲା । ଏକକାଳୀନ ନିର୍ବାଚନ କରାଇବା ପାଇଁ ଅତି କମରେ ୫ଟି ସାମ୍ବିଧାନିକ ସୁପାରିସ ଆବଶ୍ୟକ ହେବ ବୋଲି ଆଇନ ଆୟୋଗ କହିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦରେ କହିଥିଲେ ଯେ ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ । ଏଥିପାଇଁ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଓ ୩୫୬ରେ ସଂଶୋଧନ ଉଲ୍ଲେଖ କରାଯାଇଥିଲା ।
ପୂର୍ବରୁ ଏକାଠି ନିର୍ବାଚନ ହୋଇସାରିଛି
୧୯୬୭ ମସିହା ପର୍ଯ୍ୟନ୍ତ ଭାରତରେ ରାଜ୍ୟ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ହେବା ଏକ ସାଧାରଣ କଥା ଥିଲା । ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୬୭ ପରେ ବିଭିନ୍ନ ସମୟରେ ଲୋକସଭା ଓ ବିଧାନସଭା ଭଙ୍ଗ ହେବାରୁ ଏହି ଧାରା ଭାଙ୍ଗି ଯାଇଥିଲା । ୧୯୬୮ ଓ ୧୯୬୯ରେ କେତେକ ବିଧାନସଭା ଏବଂ ୧୯୭୦ରେ ଲୋକସଭା ଅକାଳ ଭଙ୍ଗ ହୋଇଥିଲା । ଏହାର ଏକ ଦଶନ୍ଧି ପରେ ୧୯୮୩ମସିହାରେ ନିର୍ବାଚନ ଆୟୋଗ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ତତ୍କାଳୀନ ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ ବୋଲି କମିଶନ ତାଙ୍କ ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି । ୧୯ର ଆଇନ ଆୟୋଗ ରିପୋର୍ଟରେ ମଧ୍ୟ ଏକାସାଙ୍ଗରେ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନିକଟରେ ଭାରତୀୟ ଜନତା ପାର୍ଟି ଜୋର ଦେଇଥିଲା । ୨୦୧୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ କହିଥିଲା ଯେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନଙ୍କ ପାଇଁ ଏକକାଳୀନ ନିର୍ବାଚନ କରିବାପାଇଁ ଏକ ଉପାୟ ବିକଶିତ କରିବାକୁ ଚେଷ୍ଟା କରିବ ।
କେତେ ପ୍ରସ୍ତୁତ ଅଛନ୍ତି ନିର୍ବାଚନ କମିଶନ ?
୨୦୨୨ରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଥିଲେ ଯେ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ନିର୍ବାଚନ ଆୟୋଗ ଏକାସାଙ୍ଗରେ ନିର୍ବାଚନ କରିବାକୁ ସକ୍ଷମ ବୋଲି ସେ କହିଥିଲେ । ତେବେ ଏହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି ଏବଂ ଏହା ସଂସଦରେ ସ୍ଥିର ହେବା ଦରକାର ବୋଲି ସେ କହିଛନ୍ତି । ୨୦୨୨ ଡିସେମ୍ବରରେ ଆଇନ ଆୟୋଗ ଦେଶରେ ଏକକାଳୀନ ନିର୍ବାଚନ କରିବା ପ୍ରସ୍ତାବ ଉପରେ ଜାତୀୟ ରାଜନୈତିକ ଦଳ, ଭାରତୀୟ ନିର୍ବାଚନ ଆୟୋଗ, ଅମଲା, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସମେତ ଅଂଶୀଦାରଙ୍କ ମତାମତ ଲୋଡ଼ିଥିଲେ ।
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କମିଟିର ଅର୍ଥ କ’ଣ ?
ଏହି କମିଟିର ଉଦ୍ଦେଶ୍ୟ ହେଉଛି ଏହା ଦଳ, ନେତା ଓ ସାଧାରଣ ଜନତାଙ୍କ ସହ ପରାମର୍ଶ କରିବ । ସେମାନଙ୍କ ମତାମତ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ । ଏହାପରେ ସରକାର ଆଇନ ପ୍ରଣୟନ କରି ସଂସଦରେ ବିଲ ଆଣିବାକୁ ଆଗେଇ ଯିବେ ।
ବିଜ୍ଞପ୍ତି କାହିଁକି ଗୁରୁତ୍ୱପୂର୍ଣ୍ଣ ?
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କମିଟି ଗଠନ ହେବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ଏହି ବିଜ୍ଞପ୍ତିରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନର ସର୍ତ୍ତାବଳୀ ଉଲ୍ଲେଖ ରହିବ ।