ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସେମିଫାଇନାଲରେ ବିଜୟୀ ହୋଇ ବିଜେପି ଦ୍ୱିତୀୟ ବାଧା ଅତିକ୍ରମ କରିଛି । ୩ଟି ରାଜ୍ୟରେ ବମ୍ପର ବିଜୟ ପରେ ଦଳ ଏବେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଛତିଶଗଡ଼ରେ ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ରାଜ୍ୟର କମାଣ୍ଡ ଦିଆଯାଇଛି । ସେହିପରି ମଧ୍ୟପ୍ରଦେଶରେ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବେ । ଶେଷରେ ମଙ୍ଗଳବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରାରୁ ପରଦା ହଟିଛି । ବ୍ରାହ୍ମଣ ସମ୍ପ୍ରଦାୟର ସଦସ୍ୟ ଭଜନ ଲାଲ ଶର୍ମାଙ୍କୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ସବୁ ଥର ଭଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହି ତିନିଜଣଙ୍କ ନାମ ଘୋଷଣାରେ ଦଳ ସୋସିଆଲ ଇଞ୍ଜିନିୟରିଂର ପୂରା ଯତ୍ନ ନେଇଛି । ଖାସ୍ କଥା ହେଉଛି ଶିବରାଜ ଓ ବସୁନ୍ଧରାଙ୍କ ଭଳି ହେଭିୱେଟ୍ ପ୍ରାର୍ଥୀଙ୍କୁ ଦଳ ଯେଉଁଭଳିଭାବେ ପ୍ରାର୍ଥୀ ନ କରି ସେମାନଙ୍କୁ ଚୁପ କରାଇଛି ତାହା ପ୍ରଶଂସନୀୟ । ଏଭଳି ସ୍ଥିତିରେ ଦଳ କିପରି ଗୋଷ୍ଠୀକନ୍ଦଳ ଦୂର ହେବ ତାହାର ବାର୍ତ୍ତା ଦେଇଛି । ଏଥିରେ ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲୁଚି ରହିଛି ।
ରାଜ୍ୟରେ ଗୋଷ୍ଠୀକନ୍ଦଳ ନିୟନ୍ତ୍ରଣ
ବିଜେପିର ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ଗୋଟିଏ ଜିନିଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଗୋଷ୍ଠୀକନ୍ଦଳ । ତିନିଟି ଯାକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦଳ ସମୟ ନେଇଥିଲେ ମଧ୍ୟ କୌଣସି ରାଜ୍ୟରେ ଗୋଷ୍ଠୀକନ୍ଦଳର କଥା ନ ଥିଲା । ଏହା ବିଜେପିର ବିଶେଷତ୍ୱ ଯେ ଦଳର ବଡ଼ ବଡ଼ ନେତା ମଧ୍ୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରନ୍ତି । ଏହାର ଉଦାହରଣ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦେଇପାରେ । ଏଥିରୁ ଜଣାପଡ଼ୁଛି ଯେ ଜଣେ ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, ସେ ଦଳଠାରୁ ଅଧିକ ନୁହଁନ୍ତି । ମଧ୍ୟପ୍ରଦେଶର ବିଜୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ସହ ଶିବରାଜ ସିଂ ଚୌହାନଙ୍କ କାମକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଲାଡଲି ବେହନା ଯୋଜନାରୁ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ଦଳକୁ କ୍ଷମତାକୁ ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାସତ୍ତ୍ୱେ ଦଳ ତାଙ୍କୁ କମାଣ୍ଡ ଦେଇନାହିଁ । ସେପଟେ ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବା ପରେ ବସୁନ୍ଧରା କ୍ୟାମ୍ପ ବିଧାୟକଙ୍କ ବୈଠକ ନେଇ ଖବର ଆସିଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା । ଏପରି ନୁହେଁ ଯେ ବିଜେପିରେ କୌଣସି ଗୋଷ୍ଠୀକନ୍ଦଳ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳୀୟ ନେତୃତ୍ୱ ଦଳ ଭିତରେ ଥିବା ଅସନ୍ତୋଷକୁ କିପରି ପରିଚାଳନା କରଛନ୍ତି । କଂଗ୍ରେସ ଅନେକ ରାଜ୍ୟରେ ଗୋଷ୍ଠୀକନ୍ଦଳ ସହ ଲଢ଼େଇ କରୁଛି । ଏହାଦ୍ୱାରା କଂଗ୍ରେସ ବିଜେପିଠାରୁ ଶିକ୍ଷା ନେଇପାରେ ।
ନୂଆ ଚେହେରାରେ ନାହିଁ ଆଣ୍ଟି ଇନକମ୍ବେନ୍ସି ଲହର
ବିଜେପିର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆଣ୍ଟି-ଇନକମ୍ବେନ୍ସିର ମୁକାବିଲା କରିବା । କ୍ଷମତାରେ ଥିବା ରାଜ୍ୟଗୁଡ଼ିକରେ ଆଣ୍ଟି-ଇନକମ୍ବେନ୍ସି ଲହରର ମୁକାବିଲା ପାଇଁ ବିଜେପି ହାଇକମାଣ୍ଡ ମୁହଁ ବଦଳାଇବାକୁ ଆଦୌ ଦ୍ୱିଧା କରୁନାହାନ୍ତି । ରାଜ୍ୟ ମୁଖ୍ୟ ପରିବର୍ତ୍ତନ ହେଉ ଅବା ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକଙ୍କ ଟିକେଟ କାଟିବା ହେଉ ସବୁଥିରେ କଂଗ୍ରେସଠାରୁ ଆଗରେ ରହିଛି ବିସଜେପି । ଉତ୍ତରାଖଣ୍ଡଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ନିର୍ବାଚନ ପୂର୍ବରୁ ଦଳ ସରକାର ବିରୋଧୀ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ବଦଳାଇ ଦେଇଛି । ଅପରପକ୍ଷରେ ଏଥର ଛତିଶଗଡ଼ରେ ବାଘେଲଙ୍କ ନେତୃତ୍ୱରେ ନିର୍ବାଚନକୁ ନେଇ ଦିଲ୍ଲୀରୁ ଛତିଶଗଡ଼ ପର୍ଯ୍ୟନ୍ତ କଂଗ୍ରେସ ଭିତରେ ମତଭେଦ ଦେଖାଦେଇଥିଲା । ଶେଷରେ ହାଇକମାଣ୍ଡ ରିସ୍କ ନେବାରୁ ଦୂରେଇ ରହିଥିଲେ । ଭୂପେଶ ବଘେଲଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା । ଛତିଶଗଡ଼ର ଫଳାଫଳ ସମସ୍ତଙ୍କ ସାମ୍ନାରେ ରହିଛି । ତେବେ ନିର୍ବାଚନ ପରାଜୟର ଏକମାତ୍ର କାରଣ ଚେହେରା ନୁହେଁ, ବରଂ ଏହା ନିଶ୍ଚିତଭାବେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ବିଜେପି ତିନିଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନିର୍ବାଚନ ଲଢ଼ିଥିଲା ଏବଂ ଚମତ୍କାର ବିଜୟ ମଧ୍ୟ ହାସଲ କରିଥିଲା ।
ଜାତିଗତ ସମୀକରଣ ପରିଚାଳନା କରୁଛି ବିଜେପି
୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଦଳ ଅନେକ ରାଜ୍ୟରେ ସରକାର ମଧ୍ୟ ଗଠନ କରିଛି । ଏଥିରେ ୟୁପି, ଗୁଜରାଟ, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅନ୍ତର୍ଭୁକ୍ତ । ବିଜେପିକୁ ପ୍ରଥମେ ଉଚ୍ଚ ଜାତିର ଦଳଭାବେ ବିବେଚନା କରାଯାଉଥିଲା । ତେବେ ଦଳ ଏବେ ନିଜର ପାରମ୍ପରିକ ପରିଚୟଠାରୁ ଆଗକୁ ବଢ଼ିବାରେ ଲାଗିଛି । ବିଜେପିକୁ ଆଉ କେବଳ ଉଚ୍ଚ ଜାତି କିମ୍ବା ବୈଶ୍ୟଙ୍କ ଦଳ କୁହାଯାଇପାରିବ ନାହିଁ । ଓବିସିଙ୍କ ସହ ଦଳ ଦଳିତ ଓ ଆଦିବାସୀ ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛି । ଖାସ୍ କଥା ହେଉଛି ଦଳରେ ଓବିସି ସମ୍ପ୍ରଦାୟକୁ ଏବେ କ୍ୟାବିନେଟ୍, କେନ୍ଦ୍ରୀୟ ନିର୍ବାଚନ କମିଟି ସହିତ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଓବିସି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିହାର ଓ ହରିୟାଣାରେ ଦଳ ଯଥାକ୍ରମେ ନିତ୍ୟାନନ୍ଦ ରାୟ ଓ ରାଓ ଇନ୍ଦ୍ରଜିତ ସିଂହଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛି । ସେହିପରି ହରିୟାଣାର ସୁଧା ଯାଦବ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି । ଭୁପେନ୍ଦ୍ର ଯାଦବ ଓ ଅନ୍ନପୂର୍ଣ୍ଣା ଦେବୀଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ହଂସରାଜ ଗଙ୍ଗାରାମ ଅହିରଙ୍କୁ ଦଳ ଜାତୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷଭାବେ ନିଯୁକ୍ତ କରିଛି । ନିକଟରେ ବିଜେପି ମଧ୍ୟ ଛତିଶଗଡ଼ରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇଛି । ଏହିପରି ଭାବେ ଜାତିଗତ ସମୀକରଣକୁ ନିସଜ ସପକ୍ଷରେ ସନ୍ତୁଳନ କରିବା ବିଜେପିର ଏକ ବଡ଼ ବୈଶିଷ୍ଟ୍ୟ । ସେହିପରି ଜାତିଗତ ସମୀକରଣ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ବିଜେପିଠାରୁ ପଛରେ ରହିଛି । ଖାସ୍ କଥା ହେଉଛି କଂଗ୍ରେସର ପାରମ୍ପରିକ ବ୍ରାହ୍ମଣ ଓ ଦଳିତ ଭୋଟରମାନେ ଦଳଠାରୁ ଦୂରେଇ ଯାଇଛନ୍ତି, ମୁସଲମାନ ଭୋଟରମାନେ ମଧ୍ୟ ଧୀରେ ଧୀରେ ଏଥିରୁ ନିଜକୁ ଦୂରେଇ ନେଉଛନ୍ତି ।
କିଛି ନୂଆ କରୁଥିବା ଦଳ
ଗତ ଏକ ଦଶନ୍ଧି ମଧ୍ୟରେ ବିଜେପିର ଭାବମୂର୍ତ୍ତିରେ ଏକ ବଡ଼ ପରିବର୍ତ୍ତନ ଆସିଛି । ନିଜ ନିଷ୍ପତ୍ତିରେ ଅପ୍ରତ୍ୟାଶିତ ହେବା ଦଳର ଅଭ୍ୟାସରେ ପରିଣତ ହୋଇଛି । ଦଳର ଭାବମୂର୍ତ୍ତି ଏପରି ହୋଇଛି ଯେ ଲୋକମାନେ ସବୁବେଳେ ଅନୁଭବ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ କିଛି ଅପ୍ରତ୍ୟାଶିତ ନିଷ୍ପତ୍ତି ନେବେ । ସରକାରଠାରୁ ଆରମ୍ଭ କରି ଦଳ ପର୍ଯ୍ୟନ୍ତ ଦଳ ପକ୍ଷରୁ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଥାଏ ଯାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । ବିଧାନସଭା ନିର୍ବାଚନରେ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ଦଳର ନିଷ୍ପତ୍ତି ଏଥର ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛି । ଦଳ ଏଥର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା । ସେଥିମଧ୍ୟରୁ ୧୨ ଜଣ ସାଂସଦ ବିଜୟୀ ହୋଇଛନ୍ତି । ଛତିଶଗଡ଼ରେ ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ ବିଜୟୀ ହୋଇଛନ୍ତି । ରାଜସ୍ଥାନରେ ଦଳ କେବଳ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢ଼ାଇ ନ ଥିଲା ବରଂ ଦିୟା କୁମାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରିଛି । ଖାସ୍ କଥା ହେଉଛି ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିବାରେ ଦଳ ଆଦୌ ପଛଘୁଞ୍ଚା ଦେଉନାହିଁ । ଦଳର ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିନ୍ତାଧାରା ଅତ୍ୟନ୍ତ ସ୍ପଷ୍ଟ ।