କଂଗ୍ରେସ ତାମିଲନାଡୁର ଗୋଟିଏ ଆସନରୁ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିପାରେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇଣ୍ଡି ମେଣ୍ଟର ୨୮ଟି ଦଳ ମଧ୍ୟରେ ଆସନ ବଣ୍ଟନକୁ ନେଇ ବିତର୍କ ଜାରି ରହିଛି । ମେଣ୍ଟରେ ଆସନ ବୁଝାମଣା କେନ୍ଦ୍ରରେ କଂଗ୍ରେସ ରହିଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଦଳ ଅଶୋକ ଗେହଲଟ, ମୁକୁଲ ୱାସନିକଙ୍କ ସମେତ ୫ ଜଣ ବଡ଼ ନେତାଙ୍କୁ ନିଯୁକ୍ତ କରିଛି ।
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ବିହାର, ବେଙ୍ଗଲ, ମହାରାଷ୍ଟ୍ର ଓ ତାମିଲନାଡୁରେ ଦଳ ସହଯୋଗୀ ଦଳମାନଙ୍କଠାରୁ ଆସନ ଚାହୁଁଛି । ଏହାର ୨ଟି ମୁଖ୍ୟ କାରଣ ରହିଛି-
ଏହି ସବୁ ରାଜ୍ୟରେ ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ । ପଶ୍ଚିମବଙ୍ଗ ଓ ବିହାରରେ ଅନେକ ଜିଲ୍ଲାରେ ଦଳର ସଂଗଠନ ନାହିଁ । ପଶ୍ଚିମବଙ୍ଗରେ ଦଳ ୨ ବର୍ଷ ହେଲା ନୂଆ ସଭାପତି ନିଯୁକ୍ତ କରିପାରିନାହିଁ ।
ବଡ଼ ଚେହେରାକୁ ସାମ୍ନାକୁ ଆଣି କଂଗ୍ରେସ ଭାରତ ମେଣ୍ଟରେ ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା କରୁଛି, ଯାହାଦ୍ୱାରା ୩୦୦ ଆସନରେ ଲଢ଼ିବାର ରଣନୀତି ସହଜରେ ସଫଳ ହୋଇପାରିବ ।
ବିଶେଷଜ୍ଞଙ୍କ ମତରେ ଫେସ୍ ଫର୍ମୁଲା ସହ ଆସନ ବୁଝାମଣାବେଳେ କଂଗ୍ରେସ ୫ଟି ରାଜ୍ୟରେ ଅତି କମରେ ୨୦ଟି ଆସନ ହାସଲ କରିପାରେ ।
ବିହାର: ଜେଡିୟୁ-ଆରଜେଡି ୪ଟି ଆସନ ଦେବାକୁ ପ୍ରସ୍ତୁତ, କଂଗ୍ରେସ ୭ ଟି ଆସନ ଚାହୁଛି
ବିହାରରୁ କଂଗ୍ରେସର ଆସନ ଦାବି କଥା ଆରମ୍ଭ କରିବା । କଂଗ୍ରେସ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମେଣ୍ଟ କରିଛି । ରାଜ୍ୟରେ ୪୦ଟି ଲୋକସଭା ଆସନ ରହିଛି । ନିର୍ଦ୍ଧାରିତ ଫର୍ମୁଲା ଅନୁଯାୟୀ ବିହାରରେ କଂଗ୍ରେସକୁ ୪ଟି ଆସନ ମିଳିବ ବୋଲି କୁହାଯାଉଛି । ୨୦୦୪ରେ ମଧ୍ୟ କଂଗ୍ରେସ ସମାନ ସଂଖ୍ୟକ ଆସନରେ ଲଢ଼ିଥିଲା । ଏଠାରେ ଅଧିକ ଆସନରେ ଲଢ଼ିବା ପାଇଁ ଦଳ ଫେସ୍ ଫର୍ମୁଲା ପ୍ରସ୍ତୁତ କରିଛି । ଦଳ ଅତି କମରେ ୭ଟି ଆସନ ଦାବି କରୁଛି । ଏଥିପାଇଁ ଦଳ ୭ ଜଣ ନେତାଙ୍କୁ ସାମ୍ନାକୁ ଆଣିଛି ।
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ କିଶନଗଞ୍ଜରୁ ମହମ୍ମଦ ଜାଭେଦ, କଟିହାରରୁ ତାରିକ୍ ଅନୱର, ପୂର୍ଣ୍ଣିଆ/ସୁପୌଲରୁ ରଞ୍ଜିତ ରଞ୍ଜନ କିମ୍ବା ପପୁ ଯାଦବ, ବେଗୁସରାଇରୁ କହ୍ନେୟା କୁମାର, ସାସାରାମରୁ ମୀରା କୁମାର/ଅଜିତ କୁମାର, ଔରଙ୍ଗାବାଦରୁ ନିଖିଲ ସିଂହ ଏବଂ ବେତିଆରୁ ଅଖିଳେଶ ସିଂହଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । ୨୦୧୯ରେ କହ୍ନେୟା କୁମାର ସିପିଆଇ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସେ ଜିତି ପାରିନଥିଲେ ।
ତେବେ କଂଗ୍ରେସର ଏହି ଫର୍ମୁଲାକୁ ଜେଡିୟୁ ବିରୋଧ କରୁଛି । ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି- ଏହା ଗ୍ରହଣୀୟ ନୁହେଁ ଏବଂ ଆମେ ଏହାକୁ ବିରୋଧ କରିଛୁ । ଜେଡିୟୁ ବିହାରରେ ଗୋଟିଏ ବି ଆସନ ଛାଡ଼ିବ ନାହିଁ । ସେ କଟିହାର ହେଉ, ସୁପୌଲ ହେଉ ।
ତେବେ ଆପଣମାନେ ତାରିକ୍ ଅନୱାର ଏବଂ ପପୁ ଯାଦବ ପରିବାର ପାଇଁ ଆସନ ଛାଡ଼ିବେ ନାହିଁ କି ? ଏହି ପ୍ରଶ୍ନର ଉତ୍ତରରେ ତ୍ୟାଗୀ କହନ୍ତି- ଆଦୌ ନୁହେଁ । ବଡ଼ ଚେହେରାଙ୍କ ନାଁରେ ଆମେ ଆମ ସାଂସଦମାନଙ୍କୁ କାହାକୁ ହଟାଇବୁ ନାହିଁ । କେସି ତ୍ୟାଗୀ ଆହୁରି କହିଛନ୍ତି- ବିହାରରେ କଂଗ୍ରେସ ଯାହାକୁ ତଥାକଥିତ ବଡ଼ ଚେହେରା କହୁଛି, ସେମାନେ ନିଜେ ନିର୍ବାଚନ ଜିତି ପାରୁନାହାନ୍ତି । ବିହାରରେ କେବଳ ଲାଲୁ ଯାଦବ ଓ ନୀତୀଶ କୁମାର ବଡ଼ ଚେହେରା । ଦଳ ଏହି ପ୍ରସ୍ତାବକୁ ମେଣ୍ଟ ସହଯୋଗୀଙ୍କ ଆଗରେ ମଧ୍ୟ ରଖିବ । ଗତ ନିର୍ବାଚନରେ ଦଳ କିଶନଗଞ୍ଜ ଆସନରେ ବିଜୟୀ ହୋଇଥିବାବେଳେ କଟିହାର, ସୁପୌଲ ଓ ସାସାରାମରେ ଦଳର ପ୍ରାର୍ଥୀ ମାନେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ୟୁପି: ମିଳିବ ୭ ଟି ଆସନ, ୧୫ଟି ଆସନ ଦାବି
ଉତ୍ତର ପ୍ରଦେଶରେ ମୋଟ ୮୦ଟି ଲୋକସଭା ଆସନ ରହିଛି ଏବଂ କଂଗ୍ରେସ ଏଠାରେ ଏସପି ଏବଂ ଆରଏଲଡି ସହ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି । ସ୍ଥିରୀକୃତ ସମୀକରଣ ଅନୁଯାୟୀ ଏଠାରେ କଂଗ୍ରେସ ପାଇଁ ୭ଟି ଆସନ ପାଇବା କଷ୍ଟକର ହୋଇପାରେ । ୨୦୧୯ ନିର୍ବାଚନରେ ରାଏବରେଲି ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଆମେଠି, କାନପୁର ଓ ଫତେପୁର ସିକ୍ରିରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଅର୍ଥାତ୍ ମୋଟ ୪ଟି ଆସନରେ ବିଜେପି ସହ କଂଗ୍ରେସର ସିଧାସଳଖ ମୁକାବିଲା ହୋଇଥିଲା ।
୨୦୧୪ରେ କଂଗ୍ରେସ ଆମେଥି ଓ ରାଏବରେଲିରେ ବିଜୟୀ ହୋଇଥିବାବେଳେ ଦଳ ୬ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା । ଏଥିରେ ଗାଜିଆବାଦ, କୁଶିନଗର, ବାରାବାଙ୍କି, କାନପୁର, ଲକ୍ଷ୍ନୌ ଓ ସାହାରନପୁର ଭଳି ଆସନ ରହିଛି । ଏଭଳି ସ୍ଥିତିରେ ଦଳ ମଧ୍ୟ ଚେହେରା ଫର୍ମୁଲା ସହ ଆସନ ପାଇବାକୁ ଚେଷ୍ଟା କରୁଛି । ସଲମାନ ଖୁର୍ସିଦ, ଇମ୍ରାନ ପ୍ରତାପଗଡ଼ୀ, ପିଏଲ ପୁନିଆ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରମୋଦ ତିୱାରୀ, ଇମ୍ରାନ ମାସୁଦ, ଅଜୟ ଲଲ୍ଲୁ, ଅଜୟ ରାୟ ଓ ସୁପ୍ରିୟା ଶ୍ରୀନେତଙ୍କ ଭଳି ବଡ଼ ନେତାଙ୍କ ସହାୟତାରେ ଦଳ ୧୫ଟି ଆସନ ହାତେଇବାକୁ ପ୍ରସ୍ତୁତ ହେଉଛି ।
ପଶ୍ଚିମବଙ୍ଗ: ୮ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ
ପଶ୍ଚିମବଙ୍ଗରେ ମେଣ୍ଟ ଓ ଆସନ ବଣ୍ଟନକୁ ନେଇ ସମ୍ପୂର୍ଣ୍ଣ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତୃଣମୂଳ କଂଗ୍ରେସ ଏବଂ ସିପିଏମ୍ ଲଗାତାର ପରସ୍ପର ବିରୋଧରେ ବୟାନ ଦେଉଛନ୍ତି । କଂଗ୍ରେସ ଏଠାରେ ଅତି କମରେ ୮ଟି ଆସନରେ ଲଢ଼ିବାକୁ ଚାହୁଁଛି । ତେବେ ନିର୍ଦ୍ଧାରିତ ସମୀକରଣ ଅନୁଯାୟୀ ତୃଣମୂଳ ୫ରୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନୁହେଁ । ୨୦୧୪ ଓ ୨୦୧୯ରେ କଂଗ୍ରେସ-ଟିଏମସି ମଧ୍ୟରେ ମାତ୍ର ୪ଟି ଆସନରେ ମୁହାଁମୁହିଁ ମୁକାବିଲା ହୋଇଛି ବୋଲି ତୃଣମୂଳ ନେତାମାନେ ଯୁକ୍ତି ବାଢ଼ିଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଅଧିକ ଆସନ ଦାବି କରିବା ସ୍ଥିତିରେ ନାହିଁ ।
ଏଥିପାଇଁ କଂଗ୍ରେସ ଫେସ୍ ଫର୍ମୁଲା ରଖିଛି । ଏମାନଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ, ଅବଦୁଲ ମନ୍ନାନ, ନେପାଳ ମହତୋ, ଇଶୁ ଖାଁ ଚୌଧୁରୀ, ଅବୁ ହୁସେନ ଖାଁ ଚୌଧୁରୀ ଓ ପ୍ରଦୀପ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚେହେରା ଆଧାରରେ ପଶ୍ଚିମବଙ୍ଗରେ ତୃଣମୂଳଠାରୁ ଅଧିକରୁ ଅଧିକ ଆସନ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।
ମହାରାଷ୍ଟ୍ର: ନେତାଙ୍କୁ ଆଗରେ ରଖି ସର୍ବାଧିକ ଆସନରେ ଲଢ଼ିବାକୁ ରଣନୀତି
ମହାରାଷ୍ଟ୍ରରେ ୬ ମାସ ପୂର୍ବରୁ ଶିବସେନା( ୟୁବିଟି), କଂଗ୍ରେସ ଓ ଏନସିପିରେ ସମାନ ଆସନ ବଣ୍ଟନ ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ କଂଗ୍ରେସ ଚେହେରା ଫର୍ମୁଲା ପ୍ରସ୍ତୁତ କରି ଶିବସେନା (ୟୁବିଟି) ଏବଂ ଏନସିପି ଉପରେ ଚାପ ସୃଷ୍ଟି କରୁଛି । ନୂଆ ସମୀକରଣ ଅନୁଯାୟୀ ମହାରାଷ୍ଟ୍ରରେ କଂଗ୍ରେସ ୧୯, ଶିବସେନା ୧୮, ଏନସିପି ୮ ଓ ବହୁଜନ ବିକାଶ ଅଘାଡି ୨ ଏବଂ ରାଜୁ ସେଟ୍ଟୀଙ୍କ ଦଳ ଗୋଟିଏ ଆସନରେ ଲଢ଼ିପାରେ ।
ସବୁଠାରୁ ଅଧିକ ଆସନ ହାତେଇବା ପଛରେ କଂଗ୍ରେସ ମୁହଁ ଖୋଲିଛି । କଂଗ୍ରେସ କହିଛି ଯେ ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଏନସିପି ପାଖରେ ଅଧିକ ନେତା ନାହାନ୍ତି, ତେଣୁ ଦଳ ସମାନ ଭାଗ ନେଇପାରିବ ନାହିଁ । ମହାରାଷ୍ଟ୍ରରେ ଏଥର ଅଶୋକ ଚୌହାନ, ପୃଥ୍ୱୀରାଜ ଚୌହାନ, ବାଲାସାହେବ ଥୋରାଟ, ନାନା ପଟୋଲେ, ମିଲିନ୍ଦ ଦେଓରା, ମୁକୁଲ ୱାସନିକଙ୍କ ଭଳି ବଡ଼ ନେତାଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ଏହି ନାମ ରଖି ସହଯୋଗୀ ଦଳଗୁଡ଼ିକଠାରୁ ଆସନ ମାଗିବା ପାଇଁ ଦଳ ରଣନୀତି ଆପଣାଉଛି ।
ତାମିଲନାଡୁ: ଏଥର ଆଉ ୨ଟି ଆସନ ଦାବି କରୁଛି କଂଗ୍ରେସ, ବଡ଼ ଚେହେରାଙ୍କୁ ଟକ୍କର ଦେବା ନେଇ ଚର୍ଚ୍ଚା
୨୦୧୯ରେ କଂଗ୍ରେସ ତାମିଲନାଡୁରେ ଡିଏମକେ ଓ ବାମପନ୍ଥୀଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା । ଏହି ନିର୍ବାଚନରେ ଡିଏମକେ ତାମିଲନାଡୁରେ କଂଗ୍ରେସକୁ ୯ଟି ଏବଂ ପୁଡୁଚେରୀରେ ଗୋଟିଏ ଆସନ ଦେଇଥିଲା । କଂଗ୍ରେସ ଏଥର ୧୨ଟି ଆସନ ଦାବି କରୁଛି । କଂଗ୍ରେସ ତାମିଲନାଡୁରେ ଡିଏମକେଠାରୁ ଆଉ ଦୁଇଟି ଆସନ ଦାବି କରୁଛି । କଂଗ୍ରେସର ଏହି ଦାବିକୁ ଏକ ବଡ଼ ଚେହେରାଭାବେ ଦେଖିବାକୁ ମିଳୁଛି । ଚର୍ଚ୍ଚା ହେଉଛି ଯେ କଂଗ୍ରେସ ତାମିଲନାଡୁର ଗୋଟିଏ ଆସନରୁ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିପାରେ।