ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ବିଜେପି ମେଣ୍ଟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆର ଆବାହକ ହେବାକୁ ମନା କରିଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏବେ ଇଣ୍ଡିଆର ଆବାହକ କରାଯାଇପାରେ ବୋଲି କୁହାଯାଉଛି ।
ଜେଡିୟୁ ଇଣ୍ଡିଆର ଆବାହକ ପଦ ପାଇଁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ହେବାକୁ ଥିବା ଇଣ୍ଡିଆ ଆଲାଏନ୍ସ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟର ଆବାହକ ହେବାକୁ ମନା କରିଦେଇଛନ୍ତି ।
ଗତକାଲି ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୁଁ କିଛି ହେବାକୁ ଚାହୁଁନାହିଁ । ମୁଁ ଆପଣଙ୍କୁ ବାରମ୍ବାର ଏହା କହୁଛି । ‘‘ମୋର ସେପରି କୌଣସି ଇଚ୍ଛା ନାହିଁ । ମୁଁ କେବଳ ସମସ୍ତଙ୍କୁ ଏକାଠି କରିବାକୁ ଚାହୁଁଛି ।’’
ଏନଡିଏ ସହ ଜଡ଼ିତ କିଛି ଦଳ ମଧ୍ୟ ଇଣ୍ଡିଆ ଆଲାଏନ୍ସ ବୈଠକରେ ଭାଗ ନେବେ ବୋଲି ନୀତିଶ ଦାବି କରିଛନ୍ତି । ଅଗଷ୍ଟ ୩୧ରେ ହେବାକୁ ଥିବା ଇଣ୍ଡିଆ ବୈଠକରେ ଯୋଗ ଦେବା ପାଇଁ ନୀତିଶ କୁମାର ମୁମ୍ବାଇ ଯିବେ । ତେବେ ଖଡ଼ଗେ ଆବାହକ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଖଡ଼ଗେ ଏହି ପଦ ଗ୍ରହଣ କରିବେ କି ? ଏ ନେଇ କଂଗ୍ରେସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।