ଇଣ୍ଡି ମେଣ୍ଟକୁ ବଡ଼ ଝଟକା: ମମତା ବାନାର୍ଜୀ ଘୋଷଣା କଲେ, ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବି

Must read

ନୂଆଦିଲ୍ଲୀ: ବୁଧବାର ଇଣ୍ଡି ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ । ମମତା କହିଛନ୍ତି- ପଶ୍ଚିମବଙ୍ଗରେ ଆସନ ବଣ୍ଟନ ନେଇ ମୋର ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି । ଏଭଳି ସ୍ଥିତିରେ ମେଣ୍ଟରେ ରହିବାର କୌଣସି ଅର୍ଥ ନାହିଁ । ବଙ୍ଗଳାରେ ଆମେ ଏକାକୀ ଲଢ଼ିବୁ ।

ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କଂଗ୍ରେସ ୧୦ରୁ ୧୨ଟି ଆସନ ଦାବି କରୁଛି । ଅନ୍ୟପକ୍ଷରେ ଟିଏମସି ମାତ୍ର ୨ଟି ଆସନ ଦେବାକୁ ଜିଦ୍ ଧରିଛି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ସବୁ ଆସନରେ ବିଜୟୀ ହୋଇଥିଲା ।

ପଶ୍ଚିମବଙ୍ଗର ଟିଏମସି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ଇଣ୍ଡି ମେଣ୍ଟରେ ସାମିଲ ଅଛନ୍ତି । ଏଭଳି ସ୍ଥିତିରେ ଆସନ ବଣ୍ଟନ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି । ମମତା ପୂର୍ବରୁ କହିସାରିଛନ୍ତି ଯେ ଯଦି ଟିଏମସିକୁ ଗୁରୁତ୍ୱ ଦିଆନଯାଏ ତେବେ ଟିଏମସି ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ସିଧାସଳଖ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବ ।

ଦୁଇଦିନ ତଳେ ମମତା କହିଥିଲେ ଯେ ଟିଏମସି ପାଖରେ ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଶକ୍ତି ଅଛି ଏବଂ ସମର୍ଥନ ଭିତ୍ତି ଭୂମି ମଧ୍ୟ ରହିଛି । କିନ୍ତୁ କିଛି ଲୋକ ଆସନ ବଣ୍ଟନ ପ୍ରସଙ୍ଗରେ ଆମ କଥା ଶୁଣିବାକୁ ଚାହୁଁନାହାନ୍ତି ବୋଲି ସେ କଂଗ୍ରେସର ନାମ ନ ନେଇ କହିଛନ୍ତି । ଯଦି ଆପଣ (କଂଗ୍ରେସ) ବିଜେପି ସହ ଲଢ଼ିବାକୁ ଚାହୁଁନାହାଁନ୍ତି, ତେବେ ଲଢ଼େଇ କରନ୍ତୁ ନାହିଁ । ଅନ୍ତତଃ ଆମକୁ (ଟିଏମସି) ଏହି ଆସନ ଦିଅନ୍ତୁ । ଆସନ ବଣ୍ଟନରେ ବିଳମ୍ବ ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article