କେଉଁ ୧୫ଟି ଲୋକସଭା ଆସନ ଉପରେ ବିଜେପିର ନଜର

Must read

ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନରୁ ୩ଟିରେ ବିଜେପି ବିଜୟ ଲାଭ କରି ମନୋବଳ ବୃଦ୍ଧି କରିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ପୂର୍ବ ଥରର ରେକର୍ଡ ଭାଙ୍ଗିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଏହିକ୍ରମରେ ଓଡ଼ିଶାରୁ ୧୫ଟି ଲୋକସଭା ଆସନରେ ଜିତିବା ସହିତ ୪୫ ପ୍ରତିଶତ ଭୋଟ ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଓଡ଼ିଶାରୁ କେଉଁ ୧୫ଟି ଲୋକସଭା ଆସନ ଉପରେ ବିଜେପି ଲକ୍ଷ୍ୟ ରଖିଛି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଗତ ୨୦୧୯ର ନିର୍ବାଚନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ରାଜ୍ୟର ୨୧ଟି ଲୋକସଭା ଆସନରୁ ୮ଟିରେ ବିଜୟୀ ହୋଇ ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ସେହି ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନଠାରୁ ୧୬.୯ ପ୍ରତିଶତ ଅଧିକ ଭୋଟ ପାଇ ୩୮.୪ ପ୍ରତିଶତରେ ପହଞ୍ଚିଥିଲା । ୨୦୧୯ ନିର୍ବାଚନରେ ପୁରୀ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ବ୍ରହ୍ମପୁର ଆସନରେ ଲଢ଼େଇ କରି ହାରିଯାଇଥିଲା । ପୁରୀ ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମାତ୍ର ୧୧ହଜାର ୭୧୪ ଖଣ୍ଡ ଭୋଟ ବ୍ୟବଧାନରେ ହାରିଯାଇଥିବାବେଳେ ଭଦ୍ରକ ଆସନରେ ଅଭିମନ୍ୟୁ ସେଠୀ ୨୮ ହଜାର ୮୦୩ ଭୋଟ, ଢେଙ୍କାନାଳରେ ରୁଦ୍ରନାରାୟଣ ପାଣି ୩୫ ହଜାର ୪୧୩ ଭୋଟ, କେନ୍ଦୁଝରରେ ଅନନ୍ତ ନାୟକ ୬୬ହଜାର ୨୦୩ ଭୋଟ, ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ର ୯୪ ହଜାର ୮୪୪ ଖଣ୍ଡ ଭୋଟରେ ହାରଯାଇଥିଲେ । ବାକି ଯାଜପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଆସ୍କା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଆସନରେ ବିଜେପି ପ୍ରାର୍ଥୀମାନେ ଲକ୍ଷାଧିକ ଭୋଟ ଅନ୍ତରରେ ପରାଜିତ ହୋଇଥିଲେ ।

କିନ୍ତୁ ଗତ ଥରର ରାଜନୀତିକ ସ୍ଥିତି ରାଜ୍ୟରେ ଦ୍ରୂତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି । ତେଣୁ ବିଜେପି କେନ୍ଦ୍ରୀୟ ନେତାମାନେ ୧୫ଟି ଲୋକସଭା ଆସନ ସହିତ ୪୫ ପ୍ରତିଶତ ଭୋଟ ହାସଲ କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି। ଗତଥର ବିଜେପି ଭୁବନେଶ୍ୱର, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଆସନରେ ବିଜୟୀ ହୋଇଥିଲା । ଏହି ୮ଟି ସହିତ ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ, ପୁରୀ, ବ୍ରହ୍ମପୁର, କଟକ, ନବରଙ୍ଗପୁର ଆସନରେ ବିଜୟୀ ହେବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହି ୧୫ଟି ଆସନରେ ଗତଥର ନିର୍ବାଚନ ଲଢ଼ିଥିବା ଅନେକ ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ପରିବର୍ତ୍ତନ କରି ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି । ଯେଉଁସବୁ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହେଲା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର, ବ୍ରହ୍ମପୁର, ନବରଙ୍ଗପୁର ଲୋକସଭା ଆସନ ରହିଛି । ଏପରିକି ବିଜେଡିରୁ ଯେଉଁ ନେତାମାନେ ଦଳୀୟ ଟିକଟରୁ ବଞ୍ଚିତ ହେବେ ସେମାନେ ବିଜେପିରେ ଶେଷ ମୂହୁର୍ତ୍ତରେ ଯୋଗଦେଇ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

More articles

LEAVE A REPLY

Please enter your comment!
Please enter your name here

Latest article