ଆସନ୍ତା ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ରହିବ ୟୁନିକ୍ ଆଇଡି, ଆଇଏମଆର ବଦଳରେ ଏନଏମଆର

Must read

ନୂଆଦିଲ୍ଲୀ: ୨୦୨୪ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ଏକ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (ୟୁନିକ୍ ଆଇଡି) ରହିବ । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ଜାତୀୟ ମେଡିକାଲ ରେଜିଷ୍ଟର ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

ଆସନ୍ତା ୬ ମାସ ମଧ୍ୟରେ ଆରମ୍ଭ ହେବ ଏନଏମଆରର ପାଇଲଟ ପ୍ରୋଜେକ୍ଟ

ଏନଏମସି ସଦସ୍ୟ ଡାକ୍ତର ଯୋଗେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ଆସନ୍ତା ଛଅ ମାସ ମଧ୍ୟରେ ଜାତୀୟ ମେଡିକାଲ ରେଜିଷ୍ଟର (ଏନଏମଆର)ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ । ୨୦୨୪ ଶେଷ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ।

IMR ର ସ୍ଥାନ ନେବ NMR

ଏନଏମଆର ଇଣ୍ଡିଆନ ମେଡିକାଲ ରେଜିଷ୍ଟର ଆଇଏମଆରର ସ୍ଥାନ ନେବ । ଏନଏମସି ୱେବସାଇଟରେ ଏହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ଏଥିରେ ଡାକ୍ତରଙ୍କ ୟୁଆଇଡି ନମ୍ବର, ରେଜିଷ୍ଟ୍ରେସନ ନମ୍ବର, ନାମ, କାର୍ଯ୍ୟସ୍ଥଳ, ଯୋଗ୍ୟତା ଓ ଅନ୍ୟାନ୍ୟ ବିବରଣୀ ରହିବ ।

ଆଇଏମଆରରେ ପଞ୍ଜୀକୃତ ହେଲେ ୧୪ ଲକ୍ଷ ଡାକ୍ତର

ଡାକ୍ତର ମଲ୍ଲିକ କହିଛନ୍ତି ଯେ ଡାକ୍ତରମାନଙ୍କ ପାଇଁ ‘ଏକ ଦେଶ ଗୋଟିଏ ପଞ୍ଜୀକରଣ ପ୍ଲାଟଫର୍ମ’ ସୃଷ୍ଟି କରିବାର ଉଦ୍ଦେଶ୍ୟ ଲାଲଫିତାକୁ ଦୂର କରିବା । ବର୍ତ୍ତମାନ ପ୍ରାୟ ୧୪ ଲକ୍ଷ ଡାକ୍ତର ଆଇଏମ୍ଆରରେ ପଞ୍ଜୀକୃତ ହୋଇଛନ୍ତି । ସେମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ସମସ୍ତ ଡାଟା ଏନଏମଆରକୁ ସ୍ଥାନାନ୍ତର ହେବ । ସେମାନଙ୍କୁ ଆଉ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ।

ୟୁଆଇଡି ପ୍ରସ୍ତୁତ କରିବ ଇଏମଆରବି

ଏନଏମସିର ନୈତିକତା ଏବଂ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ (ଇଏମଆରବି) ଦ୍ୱାରା ୟୁଆଇଡି ପ୍ରସ୍ତୁତ କରାଯିବ । ଚଳିତ ବର୍ଷ ମେ ମାସରେ ଏନଏମସି ଦ୍ୱାରା ଏହି ପଦକ୍ଷେପ ଘୋଷଣା କରାଯାଇଥିଲା । ପ୍ରକ୍ରିୟା ଅନୁଯାୟୀ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମାସ୍କ ଯୁକ୍ତ ୟୁଆଇଡି ଦିଆଯିବ । ଏମ୍‍ବିବିଏସ୍ ସରିବା ପରେ ସେମାନଙ୍କ ଆଇଡି ଉନ୍ମୋଚନ କରାଯାଇ ଆବଣ୍ଟନ କରାଯିବ । ଏହି ୟୁଆଇଡି ଆଜୀବନ ବୈଧ ରହିବ । ପୋର୍ଟାଲରେ ଡାକ୍ତରମାନେ ନିଜର ଯୋଗ୍ୟତା ଅପଡେଟ୍ କରିପାରିବେ ।

More articles

LEAVE A REPLY

Please enter your comment!
Please enter your name here

Latest article