ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତିବ କି ନାହିଁ ସନ୍ଦେହ: ମମତା

Must read

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗରେ ଟିଏମସି ଇଣ୍ଡି ମେଣ୍ଟରୁ ଓହରିବାର କିଛିଦିନ ପରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ହାସଲ କରିବାରେ ସକ୍ଷମ ହେବ କି ନାହିଁ ସେ ନେଇ ତାଙ୍କର ସନ୍ଦେହ ରହିଛି ବୋଲି ମମତା ବାନାର୍ଜୀ କହିଛନ୍ତି ।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଜନସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, ମୁଁ ଜାଣେ ନାହିଁ କଂଗ୍ରେସ ୩୦୦ରୁ ୪୦ଟି ଆସନ ଜିତିବେ କି ନାହିଁ । ଏଭଳି ଅହଂକାର କାହିଁକି ? ତୁମେ ବଙ୍ଗଳା ଆସିଛ, ଆମେ ଇଣ୍ଡି ମେଣ୍ଟର ଅଂଶ । ଅତି କମରେ ଆଖଖମକୁ ସୂଚନା ଦେବା କଥା । ରାହୁଲଙ୍କ ବଙ୍ଗଳା ଗସ୍ତ ସମ୍ପର୍କରେ ପ୍ରଶାସନ ପକ୍ଷରୁ ମୁଁ ଜାଣିବାକୁ ପାଇଥିଲି । କଂଗ୍ରେସର ସାହସ ଥିଲେ ବାରଣାସୀରେ ବିଜେପିକୁ ପରାସ୍ତ କରନ୍ତୁ । କଂଗ୍ରେସ ପୂର୍ବରୁ ଜିତିଥିବା ସ୍ଥାନରେ ଏବେ ହାରିବାରେ ଲାଗିଛି ।

ଉତ୍ତରପ୍ରଦେଶରେ ଆମର କେହି ନାହାନ୍ତି । ରାଜସ୍ଥାନରେ କଂଗ୍ରେସ ଜିତି ନାହିଁ । ସେହି ଆସନଗୁଡ଼ିକୁ ଯାଇ କଂଗ୍ରେସ ଜିତି ନେଉ । ମୁଁ ଦେଖିବି କଂଗ୍ରେସ ନେତାମାନେ କେତେ ସାହସୀ । ଆହ୍ଲାବାଦ ଯାଇ ଜିତିବେ, ବାରଣାସୀରେ ଜିତିବେ । ଏବେ ଦେଖିବା କଂଗ୍ରେସ କେତେ ସାହସିକ ପାର୍ଟି ବୋଲି ମମତା କହିଛନ୍ତି ।

ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ବେଙ୍ଗଲ ପର୍ଯ୍ୟାୟରେ କଂଗ୍ରେସ ନେତା ବିଡି ଶ୍ରମିକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିବା ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି, ଏବେ ଏକ ନୂଆ ଶୈଳୀ ସାମ୍ନାକୁ ଆସିଛି । ଏକ ଫଟୋ ସୁଟ୍‍ର । ଯେଉଁମାନେ କେବେ ଚା’ ଦୋକାନକୁ ଯାଇ ନାହାନ୍ତି ସେମାନେ ଏବେ ବିଡି ଶ୍ରମିକଙ୍କ ସହ ବସିଥିବା ଦେଖାଇଛନ୍ତି । ଏମାନେ ସମସ୍ତେ ପ୍ରବାସୀ ପକ୍ଷୀ । ମମତା ବାନାର୍ଜୀ ଆଗାମୀ ନିର୍ବାଚନରେ ନିଜ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାର ଘୋଷଣା କରିବାର କିଛିଦିନ ପରେ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କ ଉପରେ ଏହି ଆକ୍ରମଣ କରିଛନ୍ତି।

ପୂର୍ବରୁ ଟ୍ୱିଟରରେ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଭିଡିଓରେ ରାହୁଲ ଗାନ୍ଧି କିଛି ତମାଖୁ ବିକ୍ରେତାଙ୍କ ସହ ବସିଥିବା ଦେଖିବାକୁ ମିଳିଛି, ଯେଉଁଥିରେ ଅଧିକାଂଶ ମହିଳା ଅଛନ୍ତି । ସେମାନଙ୍କ ରାଜସ୍ୱ ଓ ବାଣିଜ୍ୟକୁ ନେଇ ସେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି।

ଟିଏମସି ଓ କଂଗ୍ରେସ ମଧ୍ୟରେ କିଛିଦିନ ଧରି ଯୁକ୍ତିତର୍କ ହେବା ପରେ ମମତା ବାନାର୍ଜୀ କହିଛନ୍ତି ଯେ ସେ ତାଙ୍କ ରାଜ୍ୟରେ କଂଗ୍ରେସକୁ ଦୁଇଟି ଆସନ ଦେବାକୁ ଇଚ୍ଛୁକ । ତେବେ ଏହାର କିଛିଦିନ ପରେ ସେ ଇଣ୍ଡି ମେଣ୍ଟରେ ଟିଏମସିର ସହଯୋଗୀ ଦଳ କଂଗ୍ରେସ ସହିତ ବୁଝାମଣା ନ କରିବାକୁ ଘୋଷଣା କରିଥିଲେ ।

୨୦୧୯ ନିର୍ବାଚନ ଏବଂ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳଗୁଡ଼ିକର ପ୍ରଦର୍ଶନ ଆଧାରରେ ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ କରିବାକୁ ତୃଣମୂଳ କଂଗ୍ରେସ ଦାବି କରିଛି । ଟିଏମସି ଦର୍ଶାଇଥିଲା ଯେ କଂଗ୍ରେସ ୫ ପ୍ରତିଶତରୁ କମ୍ ଭୋଟ ପାଇଛି ଏବଂ ଆସନ ବୁଝାମଣା ଦାବିକୁ ପ୍ରତ୍ୟାଖ୍ୟାନ କରିଛି ।

More articles

LEAVE A REPLY

Please enter your comment!
Please enter your name here

Latest article