ବିଜେଡିରେ ପାଣ୍ଡିଆନ ଯୁଗ ଆରମ୍ଭ : ବରିଷ୍ଠଙ୍କ ସ୍ଥାନରେ ପୁଅମାନେ ରାଜନୀତିକୁ ଆସିବେ

Must read

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳରେ ଧାର୍ମିକ ମାସ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେୟ ପାଣ୍ଡିଆନଙ୍କ ଯୁଗ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି । ଦଳରେ ପାଣ୍ଡିଆନଙ୍କ ଯୁଗ ଆରମ୍ଭ ହେବା ସହିତ ବରିଷ୍ଠ ନେତାମାନଙ୍କର ଯୁଗ ଶେଷ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ନେତାମାନେ ଏବେ ନିଜର ପୁଅ ଓ ନିଜର ସମ୍ପର୍କୀୟମାନଙ୍କୁ ରାଜନୀତିରେ ସେଟ କରିବାକୁ ତତ୍ପର ହୋଇଉଠିଛନ୍ତି ।

୨୦୨୪ ନିର୍ବାଚନ ପାଇଁ ଚାଲିଥିବା ଟିକଟ ରାଜନୀତିରେ ଏହାହିଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଶାସକ ବିଜୁ ଜନତା ଦଳରେ ସର୍ବାଧିକ ନେତା ଦଳର ନେତୃତ୍ୱ ନେଉଥିବା ଯୁବନେତାମାନଙ୍କ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ନିଜର ରାଜନୀତିକ ପତିଆରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପର ପିଢ଼ିକୁ ରାଜନୀତିରେ ସେଟ କରିବା ପାଇଁ ଲବି କରିବା ଆରମ୍ଭ କରିଛନ୍ତି ।

ଏହି ଯୋଜନାରେ ପୂର୍ବରୁ ଚୌଦ୍ୱାରରୁ ପ୍ରଭାତ ବିଶ୍ୱାଳ, ବାଙ୍କୀରୁ ପ୍ରଭାତ କୁମାର ତ୍ରିପାଠୀ, ସୁକିନ୍ଦାରୁ ପ୍ରଫୁଲ ଘଡ଼େଇ, ଧର୍ମଶାଳାରୁ କଳ୍ପତରୁ ଦାଶ ଓ ଡା. ପାରାଦୀପରୁ ଦାମୋଦର ରାଉତ ନିଜ ପୁଅଙ୍କୁ ରାଜନୀତିରେ ସେଟ କରିସାରିଛନ୍ତି । ତେଣୁ କଟକ ଜିଲ୍ଲା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ପୁଅକୁ ରାଜନୀତିରେ ପ୍ରବେଶ କରାଇବା ପାଇଁ ମନସ୍ଥ କରିଛନ୍ତି । ତେଣୁ ସେ ଏଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କ ପୁଅ ଟିକଟ ଲବିରେ ସବୁଠାରୁ ଆଗରେ ଅଛନ୍ତି । ଏମିତିରେ ବି ସେ ବିଜେଡିର ସାଙ୍ଗଠନିକ କାର୍ଯ୍ୟରେ ବେଶ୍ ସକ୍ରିୟ ଅଛନ୍ତି । ଯାଜପୁର ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥି ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇ ପୁଅକୁ ବିଧାୟକ କରିବା ଚିନ୍ତାରେ ଅଛନ୍ତି । ତେଣୁ ଅମରଙ୍କ ପୁଅ ରାଜନୀତିରେ ପାଦ ଦେଇ ସଙ୍ଗଠନ କାମ ବୁଝିଲେଣି । ତାଙ୍କୁ ଟିକଟ ଦେବା ପାଇଁ ବି ଲବି ଆରମ୍ଭ ହୋଇଛି ।

ଜଗତସିଂହପୁର ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ଅସୁସ୍ଥ ଅଛନ୍ତି । ସେ ପୁଅକୁ ଆସନଟି ଛାଡ଼ି ଦେବାକୁ ଆଗ୍ରହୀ । ଏଭଳି ସ୍ଥିତିରେ ବାଲିକୁଦାର ପୂର୍ବତନ ବିଧାୟକ ତଥା ଜଗତସିଂହପୁରର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ମୁଦୁଲି ପୁଣି ବାଲିକୁଦା ପେରିବାକୁ ଆଗ୍ରହୀ ବୋଲି ଆଲୋଚନା ହେଉଛି । କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଶାରିରୀକ ଅସୁସ୍ଥତା ପାଇଁ ନିର୍ବାଚନ ମଣ୍ଡଳୀରେ ସମୟ ଦେଇପାରୁନାହାନ୍ତି । ତେଣୁ ସେ ତାଙ୍କ ପୁଅକୁ କିପରି ଆଗାମୀ ନିର୍ବାଚନରେ ବିଜେଡି ଟିକଟ ମିଳିବ ସେଥିପାଇଁ ଲବି ଜୋରଦାର ଚଳାଇଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ବି ପଛରେ ନାହାନ୍ତି । ଆଗାମୀ ନିର୍ବାଚନରେ ପୁଅ ପାଇଁ ଟିକଟ ଳବିରେ ସେ ଲାଗିପଡ଼ିଛନ୍ତି ।

କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ସେ ମଧ୍ୟ ପୁଅ ପାଇଁ ଚିନ୍ତିତ ଅଛନ୍ତି । ଭଦ୍ରକ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ ସାମଲ ଗତଥର ପୁଅ ପାଇଁ ଟିକଟ ଲବି କରି ବିଫଳ ହୋଇଥିଲେ । ଏଥର ସେ ଏ ଦିଗରେ ସଫଳ ହେବେ ବୋଲି ଆଶାବାନ୍ଧି ବସିଛନ୍ତି । ଗତଥର ଭଦ୍ରକ ଆସନରୁ ଦଳୀୟ ଟିକଟ ହରାଇଥିବା ଯୁଗଳ କିଶୋର ପଟ୍ଟନାୟକ ଆଗାମୀ ନିର୍ବାଚନରେ ପୁଅ କିପରି ଟିକଟ ପାଇବ ସେହି ଚିନ୍ତାରେ ଲବି କରୁଛନ୍ତି ।

ବାଲେଶ୍ୱରରେ ଭୋଗରାଇ ବିଧାୟକ ଅନନ୍ତ ଦାସ ସମାନ ରାସ୍ତାରେ ଅଛନ୍ତି । ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସନ୍ନ୍ୟାସ ନେଇ ପୁଅର ଥଇଥାନ ପାଇଁ ଗୋଟି ଚଳାଉଛନ୍ତି । ସେଠାରେ ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ଦଳୀୟ ଟିକଟ ପାଇଁ ଆଖେଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ ପୁଅ ପାଇଁ ଟିକଟ୍ ଚାହୁଁଛନ୍ତି । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବୋହୂଙ୍କୁ କାମାକ୍ଷାନଗର ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି ।

ପୁରୀ ସଦର ଆସନରେ ଦିବଂଗତ ନେତା ମହେଶ୍ୱର ମହାନ୍ତିଙ୍କ ପୁଅ ବି ଟିକଟ ଲବିରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଅ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ଦିଗପହଣ୍ଡିର ପୂର୍ବତନ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହୋଇନାହିଁ । ଆସନ୍ତା ନିର୍ବାଚନରେ ଏହି ଆସନ ପାଇଁ ସ୍ୱର୍ଗତ ପାତ୍ରଙ୍କ ପୁଅ ହିଁ ବଡ଼ ଦାବିଦାର ରହିଛନ୍ତି ।

ଏବେ ରାଜ୍ୟର ସବୁ ଜିଲ୍ଲାରେ ପର ପିଢ଼ିର ନେତାମାନେ ରାଜନୀତିକୁ ଆସିବାକୁ ବେଶ୍ ତତ୍ପର । ବହୁ ବରିଷ୍ଠ ବିଧାୟକ ଓ ପୂର୍ବତନ ବିଧାୟକ ନିଜେ ପ୍ରାର୍ଥୀ ନ ହୋଇ ପୁଅମାନଙ୍କୁ ଥଇଥାନ କରିବାକୁ ଲାଗି ପଡ଼ିଲେଣି । ହାତଗୋଡ଼ ଚାଲୁଥିଲାବେଳେ ପୁଅ ପାଇଁ ରାଜନୀତିରେ ସୁରକ୍ଷିତ ଜାଗାଟିଏ ରଖିବାକୁ ସେମାନେ ଯେ କୌଣସି ସ୍ତରକୁ ଯିବାକୁ ଚାହୁଛନ୍ତି । ପୂର୍ବ ନିର୍ବାଚନମାନଙ୍କରେ ମଧ୍ୟ ଅନେକ ଆସନରେ ଏହି ସୂତ୍ରରେ ଉତ୍ତରାଧିକାରୀ ନିର୍ଣ୍ଣୟ ହୋଇସାରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article