ସପାର ମେଣ୍ଟ ଘୋଷଣା, ଆରଏଲଡିକୁ ୭, ଅଖିଳେଶ ୟୁପିରେ ନେତୃତ୍ୱ ନେବେ

Must read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ଆନୁଷ୍ଠାନିକଭାବେ ମେଣ୍ଟ ଘୋଷଣା କରିଛନ୍ତି । ଏସପି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ଏକ ପୋଷ୍ଟ ଲେଖି ଏ ନେଇ ସୂଚନା ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ଏହି ମେଣ୍ଟରେ ଆରଏଲଡିକୁ ୭ଟି ଆସନ ମିଳିଛି । ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଅଖିଳେଶଙ୍କ ପୋଷ୍ଟର ଜବାବରେ କହିଛନ୍ତି, ଜାତୀୟ ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ଆମ ମେଣ୍ଟ କର୍ମୀମାନେ ନିଜ ଅଞ୍ଚଳର ବିକାଶ ଓ ସମୃଦ୍ଧି ପାଇଁ ପଦକ୍ଷେପ ନେଇ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି । କ’ଣ ରହିବ ସିଟ୍ ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଆରଏଲଡିକୁ ମଥୁରା, ହାଥରସ, ବିଜନୋର, ମୁଜାଫରନଗର, ବାଗପତ, ଅମରୋହା ଏବଂ କୈରାନା ଆସନ ମିଳିଛି ।

କଂଗ୍ରେସ ମଧ୍ୟ ଆସନ ନେଇ ନିଷ୍ପତ୍ତି ନେବ

ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେଉଥିଲେ । ସେତେବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ ସେ କୌଣସି ମେଣ୍ଟରେ ଆସନ ଆଶାୟୀ ଭୂମିକାରେ ରହିବେ ନାହିଁ, ବରଂ ଦେବା ଭୂମିକାରେ ରହିବେ । ଅଖିଳେଶ ଯାଦବ ନିଜ ପ୍ରତିଶ୍ରୁତି ପାଳନ କରି ଶୁକ୍ରବାର ମେଣ୍ଟ ସହଯୋଗୀ ଆରଏଲଡିର ଆସନ ଚୂଡ଼ାନ୍ତ କରିଛନ୍ତି । ଏହାଦ୍ୱାରା ଯଦି କଂଗ୍ରେସ ୟୁପିରେ ସପା ସହିତ ରହିବ ତେବେ ଅଖିଳେଶ ମଧ୍ୟ କଂଗ୍ରେସ ପାଇଁ ଆସନ ଚୂଡ଼ାନ୍ତ କରିବାର ସମ୍ଭାବନା ବଢିଯାଇଛି । ଜୟନ୍ତଙ୍କ ସହ ମେଣ୍ଟ ଘୋଷଣା କରି ସପା ସଭାପତି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।

ଚନ୍ଦ୍ରଶେଖରଙ୍କୁ ନେଇ ସନ୍ଦେହ

ଏସପି ଆରଏଲଡି ପାଇଁ ୭ଟି ଆସନ ଘୋଷଣା କରିଛି । ତେବେ ଅଖିଳେଶ ଓ ଜୟନ୍ତଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭୀମ ଆର୍ମିକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଲୋକସଭାରେ ଭୀମ ଆର୍ମି (ଆଜାଦ ସମାଜ ପାର୍ଟି) ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଏସପି ଅଲଗା ଆସନ ଦେବ ନା ଆରଏଲଡିକୁ ନିଜ ଭାଗରୁ ଲୋକସଭା ନିର୍ବାଚନ ଲଢିବାକୁ ପଡ଼ିବ ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଆରଏଲଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ଆରଏଲଡି ନିଜ ଚିହ୍ନରେ ଚନ୍ଦ୍ରଶେଖରଙ୍କୁ ହାଥରସ ସୁରକ୍ଷିତ ଆସନରୁ ପ୍ରାର୍ଥୀ କରିପାରେ ।

୨୦୧୮ ଉପନିର୍ବାଚନରୁ ମେଣ୍ଟ

ୟୁପିରେ ଆରଏଲଡି ସହ ଏସପିର ମେଣ୍ଟ ୨୦୧୮ ଲୋକସଭା ଉପନିର୍ବାଚନରୁ ଆରମ୍ଭ ହୋଇଛି । କୈରାନା ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଏସପି ପ୍ରାର୍ଥୀ ତବସ୍ସୁମ ହାସନ ଆରଏଲଡି ଚିହ୍ନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଏସପି ମଧ୍ୟ ଏହି ଦୁଇଜଣଙ୍କ ସହ ମେଣ୍ଟ କରିଥିଲା । ଏସପି ଆରଏଲଡିକୁ ୩ଟି ଆସନ ଦେଇଥିଲେ ମଧ୍ୟ ଆରଏଲଡି ଗୋଟିଏ ବି ଆସନ ଜିତି ପାରିନଥିଲା । ସପା ୫ଟି ଆସନ ଜିତିଥିବାବେଳେ ବିଏସପି ୧୦ଟି ଆସନରେ ବିଜୟୀ ହୋଇଥିଲା । ଏହି ନିର୍ବାଚନ ପରେ ଏସପି ଓ ଆରଏଲଡି ମଧ୍ୟ ୨୦୨୨ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିଥିଲେ । ଏସପି ଆରଏଲଡିକୁ ୩୩ଟି ଆସନ ଦେଇଥିବାବେଳେ ସେଥିରୁ ଆରଏଲଡି ୯ଟି ଆସନରେ ବିଜୟୀ ହୋଇଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article