ଟିକସ ଆଦାୟରେ ଭର୍ତ୍ତି ସରକାରୀ ରାଜକୋଷ, ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି, ରେକର୍ଡ ଭାଙ୍ଗିଲା

Must read

ନୂଆଦିଲ୍ଲୀ: ଦେଶରେ ଆୟକର ରିଟର୍ଣ୍ଣ (ଆଇଟିଆର ଫାଇଲିଂ) ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଦିନକୁ ଦିନ ଆୟକର ଫାଇଲଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଗତ ୧୦ ବର୍ଷ ମଧ୍ୟରେ ଆଇଟିଆର ଫାଇଲ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ୧୦ ବର୍ଷରେ ଆଇଟିଆର ଫାଇଲ କରିଥିବା ଲୋକଙ୍କ ସଂଖ୍ୟା ୭.୭୮ କୋଟିରେ ପହଞ୍ଚିଛି । ଏନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତଥ୍ୟ ଜାରି କରିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ୭.୭୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି । ଏହା ୨୦୧୩-୧୪ରେ ଦାଖଲ ହୋଇଥିବା ୩.୮ କୋଟି ଆୟକର ରିଟର୍ଣ୍ଣ ତୁଳନାରେ ୧୦୪.୯୧ ପ୍ରତିଶତ ଅଧିକ ।

ସମାନ ଅବଧିରେ ପ୍ରତ୍ୟକ୍ଷ ଟିକସ ଆଦାୟ ୧୬୦.୫୨ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ରେ ୧୬,୬୩,୬୮୬ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୧୩-୧୪ରେ ୬,୩୮,୫୯୬ କୋଟି ଟଙ୍କା ଥିଲା । ସରକାର ୨୦୨୩-୨୪ ବଜେଟରେ ପ୍ରତ୍ୟକ୍ଷ ଟିକସ (ବ୍ୟକ୍ତିଗତ ଆୟକର ଏବଂ କର୍ପୋରେଟ ଟିକସ)ରୁ ୧୮.୨୩ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବ ଆର୍ଥିକ ବର୍ଷରେ ସଂଗ୍ରହ କରାଯାଇଥିବା ୧୬.୬୧ ଲକ୍ଷ କୋଟି ଟଙ୍କା ତୁଳନାରେ ୯.୭୫ ପ୍ରତିଶତ ଅଧିକ ଅଟେ ।

ସିବିଡିଟି ତଥ୍ୟ ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ୭,୨୧,୬୦୪ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭୩.୩୧ ପ୍ରତିଶତ ବୃଦ୍ଧି ପାଇ ୧୯,୭୨,୨୪୮ କୋଟି ଟଙ୍କାରେ ପହଞ୍ଚିଛି । ଏହା ସହିତ ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ୫.୬୨ ପ୍ରତିଶତରୁ ୬.୧୧ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ୨୦୧୩-୧୪ରେ ଆଦାୟ ଖର୍ଚ୍ଚ ୦.୫୧ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୦.୫୭ ପ୍ରତିଶତକୁ ବୃଦ୍ଧି ପାଇଛି ।

More articles

LEAVE A REPLY

Please enter your comment!
Please enter your name here

Latest article