ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ସ୍ୱତନ୍ତ୍ର ଟିମ୍, ବଜେଟର ଦାୟିତ୍ୱ ସେମାନଙ୍କ କାନ୍ଧରେ

Must read

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଫେବ୍ରୁଆରି ପହିଲାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଅର୍ଥମନ୍ତ୍ରୀଙ୍କ ଏହି ଷଷ୍ଠ ବଜେଟକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି । ବଜେଟ ଟିମରେ ଅନେକ ବରିଷ୍ଠ ଅଧିକାରୀ ଓ ଅର୍ଥନୀତିଜ୍ଞ ରହିଛନ୍ତି । ଆଜି ଆମେ ଆପଣଙ୍କୁ ନିର୍ମଳା ସୀତାରମଣଙ୍କ କୋର ବଜେଟ ଟିମ୍ ସହ ପରିଚିତ କରାଇବାକୁ ଯାଉଛୁ । ଏହି ଅନ୍ତରୀଣ ବଜେଟର କମାଣ୍ଡ ଏହି ସ୍ୱତନ୍ତ୍ର ଲୋକଙ୍କ ହାତରେ ରହିବ ।

ନିର୍ମଳା ସୀତାରମଣ

ସୀତାରମଣ ଭାରତର ଇତିହାସରେ କ୍ରମାଗତ ଷଷ୍ଠ ବଜେଟ ଉପସ୍ଥାପନ କରିବାରେ ଦ୍ୱିତୀୟ ଅର୍ଥମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ମୋରାରଜୀ ଦେଶାଇ ମଧ୍ୟ ୫ଟି ପୂର୍ଣ୍ଣାଙ୍ଗ ଓ ୧ଟି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ । ଫେବ୍ରୁଆରି ପହିଲାରେ ସେ ମନମୋହନ ସିଂହ, ଅରୁଣ ଜେଟଲୀ, ପି ଚିଦାମ୍ବରମ ଓ ଯଶବନ୍ତ ସିହ୍ନାଙ୍କୁ ପଛରେ ପକାଇଦେବେ । ସମସ୍ତଙ୍କୁ କ୍ରମାଗତ ୫ଟି ବଜେଟ ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାର ଯୁବବର୍ଗ, ମହିଳା, କୃଷକ ଏବଂ ଗରିବଙ୍କ ଉପରେ ଧ୍ୟାନ ଦେଉଛନ୍ତି । ଫଳରେ ଅନ୍ତରୀଣ ବଜେଟରେ ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ସୃଷ୍ଟି ହୋଇଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରୁ ଅର୍ଥନୀତି ଅଧ୍ୟୟନ କରିଥିବା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଓ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ତୁଲାଇଥିଲେ ।

ଟିଭି ସୋମନାଥନ

ଟିଭି ସୋମନାଥନ ହେଉଛନ୍ତି ଅର୍ଥ ମନ୍ତ୍ରାଳୟର ସବୁଠାରୁ ବରିଷ୍ଠ ସଚିବ । ସୋମନାଥନ ଅର୍ଥ ସଚିବ ଅଛନ୍ତି । ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସୋମନାଥନ ଏପ୍ରିଲ ୨୦୧୫ରୁ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନିଷ୍ଠ । ଅର୍ଥ ସଚିବ ଅର୍ଥନୀତିରେ ପିଏଚଡି କରିଛନ୍ତି । ଅର୍ଥନୀତି ଉପରେ ତାଙ୍କର ୮୦ରୁ ଅଧିକ ଗବେଷଣା ପତ୍ର ଓ ପ୍ରବନ୍ଧ ପ୍ରକାଶିତ ହୋଇଛି । ସେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଅଜୟ ସେଠ

କର୍ଣ୍ଣାଟକ କ୍ୟାଡରର ୧୯୮୭ ବ୍ୟାଚ ଆଇଏଏସ ଅଧିକାରୀ ଅଜୟ ସେଠ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଛନ୍ତି । ଗତବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକରେ ସେ ଚର୍ଚ୍ଚାକୁ ଆସିଥିଲେ । ସେଠ ଭାରତର ପ୍ରଥମ ସାବରେନ୍ ଗ୍ରୀନ୍ ବଣ୍ଡ ଜାରି କରିବା ଏବଂ ଭିତ୍ତିଭୂମି ଅର୍ଥ ସଚିବାଳୟ ଗଠନର ନେତୃତ୍ୱ ମଧ୍ୟ ନେଇଥିଲେ ।

ତୁହିନକାନ୍ତି ପାଣ୍ଡେ

ଏୟାର ଇଣ୍ଡିଆର ଘରୋଇକରଣ ଏବଂ ଏଲଆଇସିର ଆଇପିଓ ପାଇଁ ନିବେଶ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍)ର ସଚିବ ତୁହିନକାନ୍ତି ପାଣ୍ଡେ ନିଜର ଭୂମିକା ପାଇଁ ଜଣାଶୁଣା । ପାଣ୍ଡେ ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚ୍ ର ଅଧିକାରୀ ।

ସଞ୍ଜୟ ମାଲହୋତ୍ରା

ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚର ଅଧିକାରୀ ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ରାଜସ୍ୱ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଆର୍ଥିକ ସେବା ବିଭାଗର ମୁଖ୍ୟ ଥିଲେ । ବଜେଟ ପ୍ରକ୍ରିୟାରେ ମାଲହୋତ୍ରା ଟିକସ ରାଜସ୍ୱ ବୃଦ୍ଧି ପାଇଁ ଦାୟୀ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ ଅଭିଭାଷଣର ପାର୍ଟ ବି ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିଛି ।

ବିବେକ ଯୋଶୀ

ବଜେଟ ଉପରେ ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଗୋଷ୍ଠୀର ନୂଆ ସଦସ୍ୟଭାବେ ବିବେକ ଯୋଶୀଙ୍କୁ ଗଣନା କରାଯାଏ । ସେ ନଭେମ୍ବର, ୨୦୨୨ରେ ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବରେ ଯୋଗ ଦେଇଥିଲେ । ହରିୟାଣା କ୍ୟାଡରର ୧୯୮୯ ବ୍ୟାଚର ଅଧିକାରୀ ଯୋଶୀ ଜେନେଭା ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ବିବେକ ଯୋଶୀ ପୂର୍ବରୁ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଥିଲେ । ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ବୀମା କମ୍ପାନୀ ଏବଂ ନ୍ୟାସନାଲ ପେନସନ ସିଷ୍ଟମ ଭଳି କ୍ଷେତ୍ର ଯୋଶୀଙ୍କ ପାଇଁ ଦାୟୀ ରହିବେ ।

ଭି ଅନନ୍ତ ନାଗେଶ୍ୱରନ

ଭି ଅନନ୍ତ ନାଗେଶ୍ୱରନ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅଟନ୍ତି । ସେ ଜଣେ ଲେଖକ ଓ ଶିକ୍ଷକ ଭାବରେ ମଧ୍ୟ ଜଣାଶୁଣା । ଅର୍ଥନୀତି ଉପରେ ସେ ସୀତାରମଣଙ୍କ ଅନ୍ୟତମ ଘନିଷ୍ଠ ପରାମର୍ଶଦାତା । ସେ ଭାରତୀୟ ଅର୍ଥନୀତି ଉପରେ ବୈଶ୍ୱିକ ଅସ୍ଥିରତାର ପ୍ରଭାବ ଉପରେ ମଧ୍ୟ ନଜର ରଖିଛନ୍ତି । ଅଜୟ ସେଠଙ୍କ ସହ ଜି-୨୦ ବୈଠକରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନାଗେଶ୍ୱରନ ଆଇଆଇଏମ ଅହମ୍ମଦାବାଦରୁ ଏମବିଏ କରିଛନ୍ତି । ସେ ୟୁମାସ୍ ଆମହର୍ଷ୍ଟସ୍ଥିତ ଇସେନବର୍ଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ତେବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ଜାରି କରିଥାନ୍ତି । ତେବେ ଅନ୍ତରୀଣ ବଜେଟ ଯୋଗୁଁ ଏଥର ତାହା ହେବ ନାହିଁ ।

More articles

LEAVE A REPLY

Please enter your comment!
Please enter your name here

Latest article