ନିଜ କ୍ଷେତ୍ରରେ ବଂଶବାଦର ବିଲୋପ କଲେ ନବୀନ – ଦଳରେ ଲାଗୁ କରିପାରିବେ ତ ?

Must read

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ବଂଶବାଦର ବୁନିୟାଦ ଉପରେ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ହୋଇଥିବା ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ହୋଇ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଓ ପରେ ୨୦୦୦ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାମଧ୍ୟରେ ନବୀନଙ୍କ ରାଜନୀତିର ୨୬ ବର୍ଷ ବିତିଗଲାଣି । ସମସ୍ତେ ଭାବୁଥିଲେ ନବୀନଙ୍କ ପୁତୁରା ତାଙ୍କର ଉତ୍ତରାଧିକାରୀ ହେବେ । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନବୀନ ପଟ୍ଟନାୟକ ଏବେ ନିଜର ଉତ୍ତରାଧିକାରୀ (ଅଘୋଷିତ)ଭାବେ ପୂର୍ବତନ ଆଇଏଏସ ଅଧିକାରୀ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଚୟନ କରିଛନ୍ତି । ଏହି ଉତ୍ତରାଧିକାରୀ ଚୟନ କ୍ଷେତ୍ରରେ ସେ ଦଳରେ ବଂଶବାଦ ରାଜନୀତି ବିଲୋପର ସୂଚନା ଦେଇଛନ୍ତି । ଯାହାଫଳରେ ଦଳରେ ପୁଅମାନଙ୍କୁ ରାଜନୀତିରେ ପ୍ରବେଶ କରାଇବାର ସ୍ୱପ୍ନ ଦେଖୁଥିବା ନେତାମାନଙ୍କର ଚିନ୍ତା ବଢ଼ି ଯାଇଛି ।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ୨୦୦୨ ମସିହାରେ ନବୀନ ପଟ୍ଟନାୟକ ଦଳରେ ବଂଶବାଦ ରାଜନୀତିର ମୂଳଦୁଆ ପକାଇଥିଲେ । ୨୦୦୨ମସିହାରେ ନୟାଗଡ଼ ବିଧାୟକ ଭାଗବତ ବେହେରାଙ୍କ ପରଲୋକ ପରେ ତାଙ୍କ ପତ୍ନୀ ମନ୍ଦାକିନୀ ବେହେରାଙ୍କୁ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିଥିଲେ । ଏହାପରେ ବିଜେପୁର ଉପନିର୍ବାଚନରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ, ବ୍ରଜରାଜନଗର ଉପନିର୍ବାଚନରେ ବିଧାୟକ କିଶୋର ମହାନ୍ତିଙ୍କ ଅଳକା ମହାନ୍ତି, ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ତାଙ୍କ ଝିଅ ବର୍ଷା ସିଂହ ବରିହା, ପିପିଲି ଉପନିର୍ବାଚନରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତା ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିସାରିଛି । ଏପରିକି ଗତ ନିର୍ବାଚନ ସମୟରେ ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପରଲୋକ ହେବାରୁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ, ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଶାସକ ବିଜେଡି ପ୍ରାର୍ଥୀ କରିଥିଲା ।

କେବଳ ଉପନିର୍ବାଚନ ନୁହେଁ ସାଧାରଣ ନିର୍ବାଚନରେ ମଧ୍ୟ ନବୀନ ପଟ୍ଟନାୟକ ଦଳରେ ପରିବାରବାଦକୁ ଗୁରୁତ୍ୱ ଦେଇ ଆସିଛନ୍ତି । ବାଙ୍ଗିରିପୋଷିରେ ଅଦ୍ୱୈତ ଚରଣ ମାଝୀଙ୍କ କନ୍ୟା ସରୋଜିନୀ ହେମ୍ବ୍ରମ, ବଲାଙ୍ଗୀରରେ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁତ୍ର କଳିକେଶ ସିଂହଦେଓ, ଅର୍କେଶ ସିଂହଦେଓ, ଧର୍ମଶାଳରେ କଳ୍ପତରୁ ଦାସଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟ, ପାରାଦୀପରେ ଡା ଦାମୋଦର ରାଉତଙ୍କ ପୁତ୍ର ସମ୍ବିତ ରାଉତରାୟ, ଭଦ୍ରକ ଲୋକସଭାରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ, ସିମୁଳିଆରେ ପର୍ଶୁରାମ ପାଣିଗ୍ରାହୀଙ୍କ ପୁତ୍ର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଲେପୁରରେ ଧର୍ମାନନ୍ଦ ବେହେରା ପୁତ୍ର ପ୍ରଶାନ୍ତ ବେହେରା, ବାଙ୍କୀରେ ପ୍ରଭାତ ତ୍ରିପାଠୀଙ୍କ ପୁତ୍ର ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାରରେ ପ୍ରଭାତ ବିଶ୍ୱାଳଙ୍କ ପୁତ୍ର ସୌଭିକ ବିଶ୍ୱାଳ, ଅନୁଗୁଳରେ ଅଦ୍ୱୈତ ପ୍ରସାଦ ସିଂହଙ୍କ ପୁତ୍ର ରଜନୀକାନ୍ତ ସିଂହ, ବରଗଡ଼ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭାଇ ଆନନ୍ଦ ଆଚାର୍ଯ୍ୟ ଓ ତାଙ୍କ ପରେ ପୁଅ ଦେବେଶ ଆଚାର୍ଯ୍ୟଙ୍କୁ ଦଳୀୟ ପ୍ରାର୍ଥୀ କରି ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରିଛନ୍ତି । ସମଗ୍ର ଓଡ଼ିଶାରୁ କେବଳ ବରଗଡ଼ ଏକମାତ୍ର ଜିଲ୍ଲା ଯେଉଁଠି ବଂଶବାଦ ରାଜନୀତି ଶୀର୍ଷରେ ରହିଛି ।

ଆଗାମୀ ନିର୍ବାଚନରେ ବିଜେଡିର ଅନେକ ନେତା ନିଜ ପୁତ୍ରକନ୍ୟାମାନଙ୍କୁ ରାଜନୀତିରେ ସେଟ କରିବାକୁ ଚାହିଁ ବସିଛନ୍ତି । ଏପରି କ୍ଷେତ୍ରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିଜ ଉପରେ ଲାଗୁ କରିଥିବା ବଂଶବାଦ ବିରୋଧି ନୀତିକୁ ଲାଗୁ କରିପାରିବେ କି ନାହିଁ ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି ।

More articles

LEAVE A REPLY

Please enter your comment!
Please enter your name here

Latest article