ଦ୍ୱିତୀୟ ଶ୍ରେଣୀ ପାଠ୍ୟକ୍ରମ ପଢ଼ିପାରୁ ନାହାନ୍ତି ଦେଶର ଏକ ଚତୁର୍ଥାଂଶ ଯୁବକ

Must read

ଗାଁରେ ୪୨.୭% ପିଲା ଇଂରାଜୀ ବାକ୍ୟ ଜାଣନ୍ତି ନାହିଁ: ଏଏସଇଆର ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ୧୪ରୁ ୧୮ ବର୍ଷ ବୟସର ୮୬.୮ ପ୍ରତିଶତ ପିଲା ସ୍କୁଲ କିମ୍ବା କଲେଜରେ ପାଠ ପଢ଼ୁଛନ୍ତି । କିନ୍ତୁ ଏହି ଯୁବକମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ (୨୫ ପ୍ରତିଶତ) ସେମାନଙ୍କ ଆଞ୍ଚଳିକ ଭାଷାରେ ଦ୍ୱିତୀୟ ଶ୍ରେଣୀ ପାଠ୍ୟକ୍ରମ ପଢ଼ିପାରୁ ନାହାନ୍ତି । ସେହିପରି ଗାଁର ୪୨.୭ ପ୍ରତିଶତ ପିଲା ଇଂରାଜୀ ବାକ୍ୟ ପଢ଼ିବାକୁ ଜାଣନ୍ତି ନାହିଁ ।

ବୁଧବାର (ଜାନୁଆରୀ ୧୭) ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର)ରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ୨୦୧୭ରେ ୧୪ରୁ ୧୮ ବର୍ଷ ବୟସର ୭୬.୬ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଠ୍ୟକ୍ରମ ପଢ଼ି ପାରିନଥିଲେ । ତେବେ ୨୦୨୩ରେ ଏଥିରେ ସୁଧାର ଆସିଛି ଏବଂ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୭୩.୬ ପ୍ରତିଶତରେ ପହଞ୍ଚିଛି ।

ଏଏସଇଆର ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ସମୟରେ ଅର୍ଥନୈତିକ ସଙ୍କଟ ଯୋଗୁଁ ବହୁ ସଂଖ୍ୟକ ପିଲା ସ୍କୁଲ ଛାଡ଼ିଥିବା ଦାବି ଭୁଲ ପ୍ରମାଣିତ ହୋଇଛି ।

କ’ଣ ରହିଛି ରିପୋର୍ଟରେ…

  • ୧୮ ବର୍ଷରୁ ଅଧିକ ବୟସର ୩୨.୬ ପ୍ରତିଶତ ଲୋକ କୌଣସି ସ୍କୁଲ କିମ୍ବା କଲେଜକୁ ଯାଉନାହାନ୍ତି ।
  • ୧୪ ବର୍ଷରୁ କମ୍ ବୟସର ୩.୯ ପ୍ରତିଶତ ଯୁବକ ପାଠ ପଢ଼ୁନାହାନ୍ତି । ସେହିପରି ୧୬ ବର୍ଷର ୧୦.୯% ଯୁବକ କୌଣସି ସ୍ଥାନରେ ପାଠ ପଢ଼ୁନାହାନ୍ତି ।
  • ୨୦୧୦ମସିହାରେ ୬ରୁ ୧୪ ବର୍ଷ ବୟସର ୯୬.୬ ପ୍ରତିଶତ ପିଲା ସ୍କୁଲ ଯାଉଥିଲେ । ୨୦୧୪ରେ ୯୬.୭ ପ୍ରତିଶତ, ୨୦୧୮ରେ ୯୭.୨ ପ୍ରତିଶତ, ୨୦୨୨ରେ ୯୮.୪ ପ୍ରତିଶତ ପିଲା ପାଠ ପଢ଼ୁଛନ୍ତି ।

ଅଧାରୁ ଅଧିକ ମାନବିକତା ଧାରାକୁ ବାଛିଥିଲେ

ରିପୋର୍ଟରେ ଦର୍ଶାଯାଇଛି ଯେ ୧୪ରୁ ୧୮ ବର୍ଷ ବୟସବର୍ଗର ଅଧାରୁ ଅଧିକ (୫୫ ପ୍ରତିଶତ) ଛାତ୍ରଛାତ୍ରୀ ମାନବିକତା ବିଷୟ ବାଛିଛନ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ୫୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ମାନବିକତା ପସନ୍ଦ କରୁଥିବାବେଳେ ବିଜ୍ଞାନ ଓ ବାଣିଜ୍ୟକୁ ପସନ୍ଦ କରନ୍ତି ।

ଏଥିରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଝିଅମାନେ ପୁଅମାନଙ୍କ ତୁଳନାରେ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ) ବିଭାଗରେ କମ୍ ନାମ ଲେଖାଇଥାନ୍ତି । ଦେଶରେ ବର୍ତ୍ତମାନ ମାତ୍ର ୫.୬ ପ୍ରତିଶତ ପିଲା ଧନ୍ଦାମୂଳକ ତାଲିମ ନେଉଛନ୍ତି କିମ୍ବା ସମ୍ବନ୍ଧୀୟ ପାଠ୍ୟକ୍ରମ ଗ୍ରହଣ କରୁଛନ୍ତି ।

୨୦୧୭ରେ ତୃତୀୟ ଓ ଚତୁର୍ଥ ଶ୍ରେଣୀଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯.୫ ପ୍ରତିଶତ ଗଣିତରେ ସରଳ ବିଭାଜନ ସମସ୍ୟାର ସମାଧାନ କରିପାରିଥିବା ବେଳେ ୨୦୨୩ରେ ଏହା ୪୩.୩ ପ୍ରତିଶତ ଥିଲା । ଅଧାରୁ ଅଧିକ ବିଭାଜନ ପ୍ରଶ୍ନର ସମାଧାନ କରିପାରିନଥିଲେ । ୧୪-୧୮ ବର୍ଷ ବୟସ୍କଙ୍କ ମଧ୍ୟରୁ ମାତ୍ର ୪୩.୩% ଏଭଳି ପ୍ରଶ୍ନର ସଠିକ୍ ସମାଧାନ କରିପାରିଥିଲେ। ଏହି କୌଶଳ ସାଧାରଣତଃ ତୃତୀୟରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଶିଖିଥାଏ ।

୨୬ଟି ରାଜ୍ୟରେ ସର୍ଭେ

ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ୨୬ଟି ରାଜ୍ୟର ୨୮ଟି ଜିଲ୍ଲାରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧୬୬୪ଟି ଗାଁକୁ ମଧ୍ୟ ସାମିଲ କରାଯାଇଥିଲା । ଏଥିରେ ୧୪ରୁ ୧୮ ବର୍ଷ ବୟସବର୍ଗର ମୋଟ ୩୪,୭୪୫ ଜଣ ଛାତ୍ରଛାତ୍ରୀଙ୍କ ତଥ୍ୟ ନିଆଯାଇଥିଲା । ତଥ୍ୟକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଗ୍ରାମୀଣ ଭାରତର ପିଲାଙ୍କ ପାଠପଢ଼ା ଓ ଶିକ୍ଷଣ ସ୍ଥିତିର ଏକ ଚିତ୍ର ଉପଲବ୍ଧ କରାଯାଇଛି । ଯୁବକମାନଙ୍କୁ ପାଞ୍ଚ ପ୍ରକାରକାର୍ଯ୍ୟ ଦିଆଯାଇଥିଲା – ମୌଳିକ ପଢ଼ିବା, ଗଣିତ ଏବଂ ଇଂରାଜୀ ଦକ୍ଷତା ଏବଂ ଦୈନନ୍ଦିନ ଗଣନାରେ ମୌଳିକ ଦକ୍ଷତା ବ୍ୟବହାର କରିବା ।

More articles

LEAVE A REPLY

Please enter your comment!
Please enter your name here

Latest article