ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: ଡେରେକ୍ ଓ’ବ୍ରାଏନ ରାଜ୍ୟସଭାରୁ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବିତ

Must read

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ନବମ ଦିନର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ । ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହକୁ ଆସିବା ପରେ ଅଧ୍ୟକ୍ଷ ଜଗଦୀପ ଧନଖର କ୍ଷୁବ୍ଧ ହୋଇଥିଲେ । ସେ ଡେରେକଙ୍କୁ ଗୃହ ଛାଡ଼ିବାକୁ କହିଥିଲେ । ଏହାପରେ ଡେରେକଙ୍କୁ ବାକି ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା ।

ସେହିପରି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସାଂସଦମାନେ ଏଭଳି ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଯେପରି ପାସ ନ ଦିଅନ୍ତି ସେଥିପ୍ରତି ଯତ୍ନବାନ ହେବା ଉଚିତ, ଯେଉଁ କାରଣରୁ ଅରାଜକତା ବ୍ୟାପିବାର ଆଶଙ୍କା ରହିଛି । ବିରୋଧୀ ସାଂସଦଙ୍କ ହଙ୍ଗାମା ଭିତରେ ଲୋକସଭା ବାଚସ୍ପତି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ ।

ଲୋକସଭା ଆରମ୍ଭ ହେବାମାତ୍ରେ ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ

ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ପହଞ୍ଚିବା ମାତ୍ରେ ସଂସଦର ସୁରକ୍ଷାକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ । ଓମ୍ ବିର୍ଲା ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ । ଗତକାଲି ଘଟିଥିବା ଘଟଣାକୁ ନେଇ ସମସ୍ତେ ଚିନ୍ତିତ, ଏହି ଘଟଣା ଦୁର୍ଭାଗ୍ୟଜନକ ଏବଂ ଏହା ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ଲୋକସଭା ବାଚସ୍ପତି ହିସାବରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ବୋଲି ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି ଯେ ଗତକାଲିର ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ବାଚସ୍ପତି ଏହି ଘଟଣାକୁ ଗୁରୁତ୍ୱ ଦେଇଛନ୍ତି । ସଂସଦରେ ପ୍ରବେଶ କରିବା ପାଇଁ ଆମେ କାହାକୁ ପାସ୍ ଦେବୁ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ । ବିଶୃଙ୍ଖଳିତ ବାତାବରଣ ସୃଷ୍ଟି କରୁଥିବା ଲୋକଙ୍କୁ ପାସ୍ ନ ଦେବା ପାଇଁ ସାଂସଦମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ । ଭବିଷ୍ୟତରେ ସମସ୍ତ ସତର୍କତା ଅବଲମ୍ବନ କରାଯିବ ।

ରାଜ୍ୟସଭାରେ ମଧ୍ୟ ଟିଏମସି ସାଂସଦଙ୍କୁ ରାଜ୍ୟସଭାରୁ ବହିଷ୍କାର କଲେ ଅଧ୍ୟକ୍ଷ

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। ସାଂସଦମାନେ ସଂସଦର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ । ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହ ମଝିକୁ ଆସିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହାକୁ ତୀବ୍ର ବିରୋଧ କରିଥିଲେ । ସେ ରାଜି ନ ହେବାରୁ ଅଧ୍ୟକ୍ଷ ତାଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ କହିଥିଲେ ।

ଚେୟାରମ୍ୟାନ୍ ଡେରେକଙ୍କୁ କହିଲେ, ‘ତୁମେ କ’ଣ କରୁଛ ? ତୁମେ ଅଧିକାର ଉଲ୍ଲଂଘନ କରୁଛ । ତୁମର ଆଚରଣ ଦେଖି ମୋ ମୁଣ୍ଡ ଲଜ୍ଜାରେ ନଇଁପଡ଼ୁଛି ।’ ଏହାପରେ ସେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନ ୧୨ଟାରେ ଗୃହ ଆରମ୍ଭ ହେବାମାତ୍ରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ ବିରୋଧୀ ଦଳ

ଡିସେମ୍ବର ୧୩ ତାରିଖରେ ସଂସଦରେ ସୁରକ୍ଷା ଉଲ୍ଲଂଘନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଇଣ୍ଡି ମେଣ୍ଟର ନେତା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚେମ୍ବରରେ ବୈଠକ ପରେ ବିରୋଧୀ ଦଳ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‍ ପାଇଁ ସମୟ ମାଗିବେ । ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ଉଭୟ ଗୃହରେ ଅମିତ ଶାହାଙ୍କ ବୟାନ ଦାବି କରିବେ ।

ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ

ସଂସଦର ସୁରକ୍ଷାରେ ତ୍ରୁଟି ନେଇ ମଙ୍ଗଳବାର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ କହିଛନ୍ତି- ଏହା କେବଳ ଲୋକସଭା ଓ ରାଜ୍ୟସଭାର ପ୍ରଶ୍ନ ନୁହେଁ । ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ସତ୍ତ୍ୱେ ଦୁଇଜଣ କିପରି ଭିତରକୁ ପଶି ସୁରକ୍ଷା ଉଲ୍ଲଂଘନ କଲେ ।

ଅପରାହ୍ନ ୪ଟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିଲେ ।

ଆଜି ୩ଟି ଅପରାଧିକ ବିଲ୍ ଉପରେ ବିତର୍କ ହେବ

ଏଠାରେ ଆଜି ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଉପରେ ଆଲୋଚନା ହେବାକୁ ଯାଉଛି । ଡିସେମ୍ବର ୧୫ ତାରିଖ ଶୁକ୍ରବାର ଭୋଟ୍ ଗ୍ରହଣ ହେବ । ଗତ ଡିସେମ୍ବର ୧୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ପୁରୁଣା ଅପରାଧିକ ବିଲ୍ ପ୍ରତ୍ୟାହାର କରି ଆଗତ କରିଥିଲେ । ସେ କହିଛନ୍ତି ଯେ ପୁରୁଣା ବିଲ୍‍ର ୫ଟି ବିଭାଗକୁ ପରିବର୍ତ୍ତନ କରାଯାଇଛି । ଅଧିକାଂଶ ଉନ୍ନତି ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ । ବାଚସ୍ପତି ଓମ୍ ବିର୍ଲା ୩ଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦେଇଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article