ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭିଯୁକ୍ତଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ, ମାଷ୍ଟରମାଇଣ୍ଡଠାରୁ ସାମ୍ନାକୁ ଆସିଲା ଅନେକ ରହସ୍ୟ !

Must read

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାର ସମସ୍ତ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଲଳିତ ଝା, ବିଶାଲ ଓ ଅମୋଲ ସିନ୍ଦେଙ୍କ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସାଇକୋ ଆନାଲିସିସ୍ ଟେଷ୍ଟ ସହିତ ଅଭିଯୁକ୍ତଙ୍କ ଏଲଭିଏ (ଲେୟରଡ ଭଏସ୍ ଆନାଲିସିସ୍) ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏନ୍ଏଫ୍ଏସ୍ୟୁ (ନ୍ୟାସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି)ରେ ଏହି ପରୀକ୍ଷା କରାଯାଉଛି । ଫରେନସିକ୍ ତଦନ୍ତକାରୀ ଦଳ ସହ ଜଡ଼ିତ ସୂତ୍ରରୁ ଏହା ଜଣାପଡ଼ିଛି । ସେ କହିଛନ୍ତି ଯେ ଏଲଭିଏ ହେଉଛି ଏକ ପରୀକ୍ଷା ଯାହା ସାଧାରଣତଃ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଏବଂ ଏଫବିଆଇ ଭଳି ଏଜେନ୍ସି ଦ୍ୱାରା ବ୍ୟବହୃତ ହୁଏ । ଏହି ପରୀକ୍ଷଣରେ ପଚରାଉଚରା ସମୟରେ ସ୍ୱରର ଫ୍ରିକ୍ୱେନ୍ସିକୁ ବିଶ୍ଳେଷଣ କରାଯାଏ । ଏଲଭିଏ ପରୀକ୍ଷାର ଟେକ୍ନୋଲୋଜି ମଧ୍ୟ ଦିଲ୍ଲୀ ଫରେନ୍ସିକ୍ ଲ୍ୟାବ୍ ପାଖରେ ରହିଛି ।

ସାଇକୋ ଆନାଲିସିସ୍ ଟେଷ୍ଟ କ’ଣ ?

ଏଥିସହିତ ଅଭିଯୁକ୍ତଙ୍କ ଅଭ୍ୟାସ, ତା’ର ବୁଝାମଣା ଓ ଆଚରଣ ଜାଣିବା ପାଇଁ ସାଇକୋ ଆନାଲିସିସ୍ ଟେଷ୍ଟ କରାଯାଏ । ସୂତ୍ରରୁ ପ୍ରକାଶ ଯେ ଗୁରୁବାରଠାରୁ ଏହି ଦୁଇଟି ଯାକ ପରୀକ୍ଷା ଆରମ୍ଭ ହୋଇଛି । ଯାହା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିଥିଲା। ସମ୍ଭବତଃ କିଛି ନୂଆ ତଥ୍ୟ ମିଳିପାରେ । ଜଣେ ବ୍ୟକ୍ତିଙ୍କ ମନୋବିଶ୍ଳେଷଣ ପରୀକ୍ଷା କରିବାକୁ ଅଢ଼େଇରୁ ତିନି ଘଣ୍ଟା ସମୟ ଲାଗିଥାଏ ।

ମାଷ୍ଟରମାଇଣ୍ଡ ଲଳିତ ଝା ଅନେକତଥ୍ୟ ଦେଇଛନ୍ତି

ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତଙ୍କୁ ଉଭୟ ପରୀକ୍ଷା କରିବାକୁ ପଡ଼ିଥିଲା । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କ ପରୀକ୍ଷା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହି ସମୟରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା ଅନେକ ବଡ଼ ଖୁଲାସା କରିଛନ୍ତି । ସାଇକୋ ଆନାଲିସିସ୍ ଟେଷ୍ଟ ବେଳେ ଲଳିତ ଝା ସ୍ୱୀକାର କରିଛନ୍ତି ଯେ ସେ ନିଜ ସଂଗଠନକୁ ଜାତୀୟ ସ୍ତରରେ ବଡ଼ କରିବାକୁ ଚାହୁଁଥିଲେ । ଆହୁରି ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ଗିରଫ ୬ ଅଭିଯୁକ୍ତଙ୍କ ସିମ୍ କାର୍ଡକୁ ସକ୍ରିୟ କରି ମୋବାଇଲ୍ ଫୋନ୍ ଡାଟା ଜବତ କରିବାକୁ ପୁଲିସ ଉଦ୍ୟମ ଚଳାଇଛି । ସେହିପରି ମେଟା, ଇନଷ୍ଟାଗ୍ରାମରୁ ମଧ୍ୟ ସୂଚନା ମିଳିବା ଆରମ୍ଭ ହୋଇଛି ।

ଅଧିକ ପରୀକ୍ଷା ମଧ୍ୟ କରାଯାଇପାରିବ

ଡିସେମ୍ବର ୧୩ତାରିଖରେ ସଂସଦର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ସ୍ପେଶାଲ ସେଲ୍ ୬ ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ, ଅମୋଲ ସିନ୍ଦେ, ଲଳିତ ଝା ଏବଂ ମହେଶ କୁମାଓ୍ଵତଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତଦନ୍ତକାରୀ ସଂସ୍ଥା ସହ ଜଡ଼ିତ ପୁଲିସ ଅଧିକାରୀଙ୍କ କହିବା ନୁଯାୟୀ, ଅଭିଯୁକ୍ତମାନେ ବହୁତ ଚତୁରତାର ସହ କାର୍ଯ୍ୟ କରୁଛନ୍ତି । ତଦନ୍ତ ସମୟରେ ସେମାନେ ସହଯୋଗ କରୁନାହାନ୍ତି । ଆବଶ୍ୟକ ପଡ଼ିଲେ ଆଉ କିଛି ପରୀକ୍ଷା କରାଯାଇପାରିବ ।

More articles

LEAVE A REPLY

Please enter your comment!
Please enter your name here

Latest article