ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Must read

ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ । ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ

ଶୁଣାଣି ସମୟରେ ପତଞ୍ଜଳି ଆୟୁର୍ବେଦର ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରିବେ ନାହିଁ ଏବଂ ଗଣମାଧ୍ୟମରେ ଯେପରି ଏଭଳି ବୟାନ ନ ପ୍ରକାଶ କରାଯିବ ତାହା ମଧ୍ୟ ସୁନିଶ୍ଚିତ କରିବେ । ଏହି ପ୍ରତିଶ୍ରୁତିକୁ ମଧ୍ୟ କୋର୍ଟ ତାଙ୍କ ଆଦେଶରେ ରେକର୍ଡ କରିଛନ୍ତି ।

ସୁପାରିସଗୁଡ଼ିକୁ ବିଚାର କରି ଉପସ୍ଥାପନ କରନ୍ତୁ

ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆଲୋପାଥି ବନାମ ଆୟୁର୍ବେଦ ବିତର୍କରେ ପରିଣତ କରିବାକୁ ଚାହୁଁନାହାଁନ୍ତି ବରଂ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ପ୍ରକୃତ ସମାଧାନ ଖୋଜିବାକୁ ଚାହୁଁଛନ୍ତି । ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉପଯୁକ୍ତ ସୁପାରିସ ଆଣିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରି ୫ରେ ହେବ ।

More articles

LEAVE A REPLY

Please enter your comment!
Please enter your name here

Latest article