ଇଣ୍ଡି ମେଣ୍ଟ ନେତାଙ୍କ ଦାୟିତ୍ୱହୀନ ବକ୍ତବ୍ୟ : ଉତ୍ତର ଭାରତରେ ସ୍ଥିତି ସଙ୍ଗୀନ

Must read

ନୂଆଦିଲ୍ଲୀ: ଜାତୀୟ ଏକତା ଏବଂ ସନାତନ ଚିନ୍ତାଧାରାକୁ ସମର୍ଥନ କରୁଥିବା ବିଜେପିକୁ ପରାସ୍ତ କରିବା ପାଇଁ ଦୁଇ ଡଜନରୁ ଅଧିକ ବିରୋଧୀ ଦଳ ଇଣ୍ଡି ମେଣ୍ଟ ଗଠନ କରିଛନ୍ତି । ଏଥିରେ ସାମିଲ ହୋଇଥିବା ଦଳର ନେତାମାନେ ହିନ୍ଦୀ ଏବଂ ହିନ୍ଦୁ ଧର୍ମ ଉପରେ ନିରବଚ୍ଛିନ୍ନ ଆକ୍ରମଣ ଜାରି ରଖିଛନ୍ତି । ଏବେ ଇଣ୍ଡି ମେଣ୍ଟର ଦକ୍ଷିଣ ଭାରତୀୟ ସହଯୋଗୀମାନେ ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟ ନିଧି ଷ୍ଟାଲିନ ପ୍ରଥମେ ସନାତନ ଧର୍ମକୁ ସଂକ୍ରାମକ ରୋଗ ସହ ତୁଳନା କରି ମୋର୍ଚ୍ଚା ଖୋଲିଥିଲେ । ଡିଏମକେ ସାଂସଦ ଏ ରାଜା ମଧ୍ୟ ମୈଦାନକୁ ଓହ୍ଲାଇଥିଲେ । ସେତେବେଳେ ସେନ୍ଥିଲ କୁମାର ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିଥିଲେ ଏବଂ ଏବେ ଡିଏମକେ ସାଂସଦ ଦୟାନିଧି ମାରାନ ମଧ୍ୟ ଉତ୍ତର ଭାରତୀୟଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ବିଜେପି ବିରୋଧୀ ନାଁରେ ଡିଏମକେ ନେତାଙ୍କ ଏଭଳି ବୟାନ ଉତ୍ତର ଭାରତୀୟ ଭୋଟରଙ୍କ ମଧ୍ୟରେ ଇଣ୍ଡି ମେଣ୍ଟ ବିରୋଧରେ ବାତାବରଣ ସୃଷ୍ଟି କରିବା ବିଜେପି ପାଇଁ ସହଜ କରିବ ବୋଲି ସ୍ପଷ୍ଟ ହୋଇଛି ।

ଉଦୟନିଧି ଷ୍ଟାଲିନ ସନାତନଧର୍ମକୁ ଏଚଆଇଭି ସହ ତୁଳନା କରିଛନ୍ତି

ଡିଏମକେ ନେତା ଉଦୟନିଧି ଷ୍ଟାଲିନ ହେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ । ସେ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ସନାତନଧର୍ମକୁ ନେଇ ସେ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି । ସେ ସନାତନଧର୍ମକୁ କୁଷ୍ଠ ଓ ଏଚଆଇଭି ଭଳି ସଂକ୍ରାମକ ରୋଗ ସହ ତୁଳନା କରିଥିଲେ । ଏହାର ପ୍ରଭାବ ହିନ୍ଦୀ ବେଲ୍ଟ ରାଜ୍ୟର ବିଧାନସଭା ନିର୍ବାଚନରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ପୂର୍ବାପେକ୍ଷା କମୋ ସଫଳତା ହାସଲ କରିଛି । ବୟାନକୁ ନେଇ ଉଦୟନିଧିଙ୍କ ଅହଂକାର ଏତେ ଥିଲା ଯେ ସେ ଏହାକୁ ପ୍ରତ୍ୟାହାର କରିବାକୁ କିମ୍ବା କ୍ଷମା ମାଗିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ଉଦୟନିଧି କହିଥିଲେ ଯେ ସନାତନ ଧର୍ମ ଜାତି ଓ ଧର୍ମ ନାମରେ ଲୋକଙ୍କୁ ବିଭାଜନ କରିବାର ଏକ ଚିନ୍ତାଧାରା, ଯାହାର ଅନ୍ତ ମାନବିକତା ଏବଂ ସମାନତାକୁ ପ୍ରୋତ୍ସାହିତ କରୁଛି । ଯେମିତି ମଶା, ଡେଙ୍ଗୁ, ମ୍ୟାଲେରିଆ ଓ କରୋନାକୁ ଆମେ ନିପାତ କରୁଛୁ, ଠିକ୍ ସେହିପରି ସନାତନ ଧର୍ମକୁ ବିରୋଧ କରିବା ଯଥେଷ୍ଟ ନୁହେଁ । ଏହାକୁ ସମାଜରୁ ସମ୍ପୂର୍ଣ୍ଣରୂପେ ହଟାଇ ଦିଆଯିବା ଦରକାର ।

ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ବୟାନକୁ ସମର୍ଥନ ଦେଲେ ରାଜା

ସନାତନ ଧର୍ମକୁ ନେଇ ଉଦୟନିଧିଙ୍କ ବୟାନକୁ ନେଇ ଚର୍ଚ୍ଚା ଥମି ନ ଥିଲାବେଳେ ଯେ ତାଙ୍କ ନିଜ ଦଳର ସାଂସଦ ଏ ରାଜା କହିଥିଲେ ଯେ ସନାତନ ଧର୍ମ ଏକ ସାମାଜିକ ରୋଗ । ଏହା କୁଷ୍ଠ ଓ ଏଚଆଇଭିଠାରୁ ଅଧିକ ବିପଜ୍ଜନକ । ଉଦୟ ନିଧି ଏବଂ ଏ ରାଜାଙ୍କ ବୟାନ ବିଜେପିକୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏହା ହିନ୍ଦୁ ଭୋଟରମାନଙ୍କୁ ବିଜେପି ସପକ୍ଷରେ ଏକଜୁଟ ହେବାର ସୁଯୋଗ ଦେଇଥିଲା । ସନାତନ ଧର୍ମକୁ ସଂକ୍ରାମକ ବୋଲି ବର୍ଣ୍ଣନା କରି ରାଜା କହିଥିଲେ ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ସନାତନ ଧର୍ମର ସୁରକ୍ଷା କରନ୍ତୁ । ତାଙ୍କୁ ଅନୁସରଣ କରନ୍ତୁ । ଯଦି ସେ ନିଜେ ସନାତନ ଧର୍ମ ଅନୁସରଣ କରିଥାନ୍ତେ, ତେବେ ସେ ଏତେଥର ବିଦେଶ ଯାତ୍ରା କରିନଥାନ୍ତେ ।

ଡିଏମକେ ନେତାଙ୍କ ଟାର୍ଗେଟରେ ଏବେ ଉତ୍ତର ଭାରତର ଜନତା

ସଂସଦର ଶୀତକାଳୀନ ଅଧିବେଶନରେ ଡିଏମକେ ସାଂସଦ ସେନ୍ଥିଲ କୁମାର ହିନ୍ଦୀ ବେଲ୍ଟ ରାଜ୍ୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ବୟାନକୁ ନେଇ ହଟ୍ଟଗୋଳ ହେବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ସେ କ୍ଷମା ପ୍ରାର୍ଥନା କରିଥାଇପାରନ୍ତି, କିନ୍ତୁ ତାଙ୍କ ବୟାନ ତାଙ୍କ ଉଦ୍ଦେଶ୍ୟ ପ୍ରକାଶ କରିଛି । ଜମ୍ମୁ-କଶ୍ମୀର ବିଲ୍ ଉପରେ ଆଲୋଚନାବେଳେ ସେନ୍ଥିଲ କୁମାର ବିଜେପିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି କ୍ରମରେ ତାଙ୍କ ଜିଭରୁ ଏଭଳି ଏକ ଜିନିଷ ବାହାରିଥିଲା, ଯାହା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଦୂରତା ବଢ଼ାଇବାର ବୀଜ ବୁଣିଦେଇଥିଲା । ସେ କହିଥିଲେ ଯେ ଦେଶର ଜନତା ଭାବିବା ଉଚିତ ଯେ ନିର୍ବାଚନ ଜିତିବା ପାଇଁ ବିଜେପିର କ୍ଷମତା କେବଳ ହିନ୍ଦୀ ବେଲ୍ଟ ରାଜ୍ୟରେ ରହିଛି । ଆମେ ସାଧାରଣତଃ ହିନ୍ଦୀ ଅଞ୍ଚଳର ରାଜ୍ୟଗୁଡ଼ିକୁ ଗୋମୂତ୍ର ଅଞ୍ଚଳ ବୋଲି କହିଥାଉ । ଏହି ବୟାନକୁ ନେଇ ହଙ୍ଗାମା ହେବା ପରେ ସେନ୍ଥିଲ କୁମାର କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ବୟାନକୁ ମଧ୍ୟ ଲୋକସଭା କାର୍ଯ୍ୟରୁ ହଟାଇ ଦିଆଯାଇଥିଲା ।

ଶୌଚାଳୟ ସଫା କରନ୍ତି ଉତ୍ତର ଭାରତୀୟ : ମାରାନ

ଉତ୍ତର ଭାରତୀୟଙ୍କ ଉପରେ ଦୟାନିଧି ମାରାନଙ୍କ ବୟାନ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି, ଯେଉଁମାନେ ଇଂରାଜୀ ଶିଖନ୍ତି, ସେମାନଙ୍କୁ ସହଜରେ ଭଲ ଚାକିରି ମିଳିଥାଏ । ଯେଉଁମାନେ କେବଳ ହିନ୍ଦୀ ଶିଖନ୍ତି- ୟୁପି ଏବଂ ବିହାରର ଲୋକମାନେ ଯେଉଁମାନେ କି ରାସ୍ତା ଏବଂ ଶୌଚାଳୟ ସଫା କରନ୍ତି । ଯେତେବେଳେ ଜଣେ କେବଳ ହିନ୍ଦୀ ଶିଖିଥାଏ ସେତେବେଳେ ଏହା ହୋଇଥାଏ । ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କହିଥିଲେ ଯେ ତେଲେଙ୍ଗାନାର ଡିଏନଏ ବିହାରର ଡିଏନଏଠାରୁ ଭଲ । ଏହା ନୀତୀଶ କୁମାରଙ୍କ ସହ ଯୋଡ଼ି ହୋଇଥିଲା । ଏଭଳି ବୟାନକୁ ନେଇ ବିଜେପି ମୁହଁ ଖୋଲିଛି । ବିଧାନସଭା ନିର୍ବାଚନରେ ମଧ୍ୟ ଏହାର ଫାଇଦା ଉଠାଇଛି । ଏବେ ବିଜେପି ଇଣ୍ଡି ମେଣ୍ଟରେ ସାମିଲ ୟୁପି-ବିହାରର ବିରୋଧୀ ଦଳର ନେତାମାନଙ୍କୁ ନୀରବତା ଭାଙ୍ଗିବାକୁ ଚ୍ୟାଲେଞ୍ଜ କରୁଛି । ବିଜେପିର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂହ କହିଛନ୍ତି ଯେ ଅଖିଳେଶ ଯାଦବ ଏବଂ ନୀତୀଶ କୁମାର ଏଥିରେ ରାଜି ଅଛନ୍ତି କି ନାହିଁ ସେ ବିଷୟରେ ମୁହଁ ଖୋଲିବା ଉଚିତ ।

More articles

LEAVE A REPLY

Please enter your comment!
Please enter your name here

Latest article