ବିହାରଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଅସ୍ଥିର ଇଣ୍ଡି ମେଣ୍ଟ, ତଥାପି କଂଗ୍ରେସର ଆଶା ବଞ୍ଚି ରହିଛି

Must read

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ବିବାଦ ଭିତରେ ଚାଲିଥିବାବେଳେ ଇଣ୍ଡି ମେଣ୍ଟ ଏବେବି ଅଡ଼ୁଆରେ ପଡ଼ିଛି । ଅନେକ ରାଜ୍ୟରେ ପାରସ୍ପରିକ ସମନ୍ୱୟ ଓ ଆସନ ବୁଝାମଣା ଅଭାବ ଯୋଗୁଁ ମେଣ୍ଟ ଆଗକୁ ବଢ଼ୁ ନ ଥିବା ଦେଖିବାକୁ ମିଳୁଥିଲେ ମଧ୍ୟ କଂଗ୍ରେସ ଆଶା ଛାଡ଼ିନାହିଁ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଦଳ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଶନିବାର ପାଟନା ପଠାଇଥିଲେ ହେଁ କଂଗ୍ରେସ ଭୟ କରୁଛି ଯେ ବିହାରରେ ତାଙ୍କ ବିଧାୟକମାନେ ଦଳ ବଦଳ କରିପାରନ୍ତି । ୩ ଦିନ ପରେ ବିହାରରେ ପ୍ରବେଶ କରୁଛି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା । ଏଭଳି ସ୍ଥିତିରେ ବଘେଲଙ୍କୁ ରାହୁଲଙ୍କ ଗସ୍ତ ଯୋଜନା ପାଇଁ ପ୍ରସ୍ତୁତି କରିବା ସହ ମେଣ୍ଟର ଆଗାମୀ ଚିତ୍ର ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି । ସେପଟେ ନୀତୀଶ କୁମାର ଓ ଜେଡିୟୁକୁ ନେଇ ବୟାନବାଜିରେ ସତର୍କ ରହିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ଖଡଗେ ନୀତୀଶଙ୍କ ଇସ୍ତଫା ବିଷୟରେ ସୂଚନାକୁ ଅସ୍ୱୀକାର କରି କହିଛନ୍ତି ଯେ ଯଦି ବର୍ତ୍ତମାନ କୌଣସି ବୟାନ ଦିଆଯାଏ ତେବେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିବ ।

କଂଗ୍ରେସ ମିଡିଆ ପ୍ରଭାରୀ ଜୟରାମ ରମେଶ ନୀତୀଶ କୁମାରଙ୍କୁ ଇଣ୍ଡି ମେଣ୍ଟର ‘ସ୍ଥାପକ’ ବୋଲି ବର୍ଣ୍ଣନା କରିଛନ୍ତି । ନୀତୀଶ କୁମାରଙ୍କ ନିମନ୍ତ୍ରଣକ୍ରମେ ଗତ ୨୩ ତାରିଖରେ ପାଟନାରେ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ବସିଥିଲା । ଇଣ୍ଡି ମେଣ୍ଟର ବୈଠକରେ ନୀତୀଶ ବିଜେପି ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ବିହାର ପ୍ରଭାରୀ ମୋହନ ପ୍ରକାଶ କଂଗ୍ରେସରେ ବିଭାଜନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଦଳର ଗୋଟିଏ ଖିଅ ମଧ୍ୟ କେହି ଭାଙ୍ଗିପାରିବେ ନାହିଁ, କିନ୍ତୁ ସେମାନେ ନିଜ ଘର ବଞ୍ଚାଇଲେ ଭଲ ।

ସହଯୋଗୀଙ୍କ ସହ ଯୋଗାଯୋଗ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଗଣତନ୍ତ୍ରକୁ ବଞ୍ଚିବାକୁ ହେଲେ ଆମକୁ ଏକଜୁଟ ହେବାକୁ ପଡ଼ିବ ବୋଲି ଖଡଗେ କହିଛନ୍ତି । ସମାନ ଚିନ୍ତାଧାରାର ରାଜନୈତିକ ଦଳମାନେ ଇଣ୍ଡି ମେଣ୍ଟ ଅଧୀନରେ ନିର୍ବାଚନ ଲଢ଼ିଲେ ଭଲ ହେବ । ଗୁରୁବାର ମମତା ବାନାର୍ଜୀଙ୍କୁ ଚିଠି ଲେଖି ନ୍ୟାୟ ଯାତ୍ରାର ସୁରକ୍ଷା ପାଇଁ ସୁପାରିସ କରିଥିଲେ ଖଡଗେ । ଦୁଇ ଦିନର ବିରତି ପରେ ରାହୁଲ ଗାନ୍ଧି ରବିବାର ପୁଣିଥରେ ପଶ୍ଚିମବଙ୍ଗର ଜଳପାଇଗୁଡ଼ିରୁ ଯାତ୍ରା ଆରମ୍ଭ କରୁଛନ୍ତି । କଂଗ୍ରେସ ଏହି ଯାତ୍ରା ମାଧ୍ୟମରେ ସମାଜକୁ ୫ ନ୍ୟାୟ ଦେବା କଥା କହୁଛି । ରାମ ମନ୍ଦିର ନାଁରେ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର ପ୍ରୟାସକୁ କେବଳ ଏହି ୫ ନ୍ୟାୟ ହିଁ ପ୍ରତିହତ କରିପାରିବେ ବୋଲି କଂଗ୍ରେସ ଅନୁଭବ କରୁଛି ।

ୟୁପିରେ ହେଲା ମେଣ୍ଟ

ଏସପି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଆନୁଷ୍ଠାନିକଭାବେ କଂଗ୍ରେସ ସହ ମେଣ୍ଟ ଘୋଷଣା କରିଛନ୍ତି । କଂଗ୍ରେସ ସହ ଆମର ସୌହାର୍ଦ୍ଦ୍ୟପୂର୍ଣ୍ଣ ମେଣ୍ଟ ୧୧ଟି ଶକ୍ତିଶାଳୀ ଆସନରୁ ଭଲ ଆରମ୍ଭ କରୁଛି । ଅଖିଳେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ଆସନ ବୁଝାମଣାରେ ହେଉଥିବା ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ୟୁପିରେ ୨୦ରୁ ୨୨ଟି ଆସନ ଦାବି କରୁଥିବାବେଳେ ଏସପିଠାରୁ ୧୦-୧୨ ଟି ଆସନ ଦେବା ନେଇ ଚର୍ଚ୍ଚା ହେଉଥିଲା । ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ରାଜ୍ୟରେ ଅତି କମରେ ୧୫ଟି ଆସନ ଚାହୁଁଛି । ସପା ୧୧ଟି ଆସନ ଦେବା ଘୋଷଣା ପରେ ମଧ୍ୟ କଂଗ୍ରେସ ଆଶା ଛାଡ଼ିନାହିଁ । ଜୟରାମ ରମେଶ କହନ୍ତି ଯେ ଆସନ ବଣ୍ଟନକୁ ନେଇ ଆମେ ସପା ସହିତ ସକାରାତ୍ମକ ଏବଂ ଗଠନମୂଳକ କଥାବାର୍ତ୍ତା କରୁଛୁ ।

ଆଶା ଛାଡ଼ିନାହିଁ କଂଗ୍ରେସ

ଯଦିଓ ମେଣ୍ଟରେ ଅନେକ ଦଳ ମଧ୍ୟରେ ଟଣାଓଟରା ଚାଲିଛି, ତଥାପି କଂଗ୍ରେସ ଆଶା ଛାଡ଼ିନାହିଁ । ଜୟରାମ ରମେଶ ଆଶା ବ୍ୟକ୍ତ କରିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଇଣ୍ଡି ମେଣ୍ଟରେ ରହିବେ । ଉଭୟ ନୀତୀଶ କୁମାର ଏବଂ ମମତା ବାନାର୍ଜୀ ଇଣ୍ଡିଆ ଆଲାଏନ୍ସର ସ୍ଥାପକମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ନେତା ଜାଣନ୍ତି ଯେ ଏହା ଏକ ଜାତୀୟ ମେଣ୍ଟ । ରବିବାରଠାରୁ ପଶ୍ଚିମବଙ୍ଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବ । ମମତା ବାନାର୍ଜୀଙ୍କୁ ଏହି ଗସ୍ତ ସହ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି । ବାସ୍ତବରେ କଂଗ୍ରେସ ବୁଝିପାରୁଛି ଯେ ପଶ୍ଚିମବଙ୍ଗରେ ମମତାଙ୍କ ପ୍ରକୃତ ଲଢ଼େଇ ବିଜେପି ସହ ରହିଛି, ତେଣୁ ସେ ଚାହିଁଲେ ମଧ୍ୟ ଇଣ୍ଡି ମେଣ୍ଟରୁ ଦୂରେଇ ଯାଇପାରିବେ ନାହିଁ ।

More articles

LEAVE A REPLY

Please enter your comment!
Please enter your name here

Latest article