ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ପାକିସ୍ତାନରେ ମନ୍ତ୍ରୀ ହେଲେ

Must read

ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର ଏବଂ ମହିଳାଙ୍କ ଉପରେ ସ୍ୱତନ୍ତ୍ର ପରାମର୍ଶଦାତାଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ଜଣେ ପାକିସ୍ତାନୀ ନାଗରିକ । ୨୦୦୯ରେ ଦୁହେଁ ବିବାହ କରିବା ପରେ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁଶାଲ ସବୁବେଳେ କାଶ୍ମୀରକୁ ନେଇ ବିଷ ଉଦ୍‍ଗାରୁଛନ୍ତି । ମୁଶାଲ ପେଶାରେ ଜଣେ କଳାକାର ଏବଂ ୟାସିନ ମଲ୍ଲିକଙ୍କ ସହ ତାଙ୍କର ସାକ୍ଷାତ୍‍ କିଛି କମ୍ ଆକର୍ଷଣୀୟ ନୁହେଁ । ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ ବର୍ଷର ପାର୍ଥକ୍ୟ ରହିଛି ।

ପ୍ରେମର କାରଣ ପାଲଟିଲା ଫୈଜଙ୍କ କବିତା

କଳାକାର ମୁଶାଲ ଏବଂ ୟାସିନ ୨୦୦୯ ମସିହାରେ ବିବାହ କରିଥିଲେ । ସେହି ସମୟରେ ମଲ୍ଲିକ ପାକିସ୍ତାନ ଯାଇ ମୁଶାଲଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଏକ ୧୧ ବର୍ଷର ଝିଅ ରଜିଆ ଅଛି । ୨୦୧୦ମସିହାରେ ୟାସିନ ଓ ମୁଶାଲ ନିଜର ପ୍ରଥମ ବିବାହ ବାର୍ଷିକୀରେ ଭାରତ ଆସିଥିଲେ । ସେହି ସମୟରେ ସେ କାଶ୍ମୀରରେ କିଛି ସମୟ ବିତାଇଥିଲେ । ଓପନଡେମ୍ ପତ୍ରିକାର ରିପୋର୍ଟ ଅନୁଯାୟୀ, ୨୦୦୫ ମସିହାରେ ୟାସିନ୍ ମଲ୍ଲିକ କାଶ୍ମୀରର ସ୍ୱାଧୀନତା ପାଇଁ ସମର୍ଥନ ପାଇବା ପାଇଁ ପାକିସ୍ତାନ ଯାଇଥିଲେ ।

ଏକ କାର୍ଯ୍ୟକ୍ରମରେ ମୁଶାଲ ତାଙ୍କ ଭାଷଣରେ ଫୈଜ ଅହମ୍ମଦ ଫୈଜଙ୍କ କବିତାର ଏକ ଧାଡ଼ି ପାଠ କରିଥିବା ଶୁଣିଥିଲେ । ତାଙ୍କ ସହ ମୁଶାଲଙ୍କ ମା’ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିଥିଲେ । ମୁଶାଲଙ୍କ କହିବା ଅନୁଯାୟୀ, ସେ ୟାସିନଙ୍କ ପାଖକୁ ଯାଇ ତାଙ୍କ ଭାଷଣର ପ୍ରଶଂସା କରିଥିଲେ । ଦୁହେଁ ହାତ ମିଳାଇଥିଲେ ଏବଂ ମୁଶାଲ ୟାସିନଙ୍କ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ । ଏହାପରେ ୟାସିନ ମଲ୍ଲିକ ମଧ୍ୟ ମୁଶାଲଙ୍କୁ କାଶ୍ମୀର ପାଇଁ ଚାଲିଥିବା ଆନ୍ଦୋଳନକୁ ନିମନ୍ତ୍ରଣ କରିଥିଲେ ।

ହଜରେ ବିବାହ ସ୍ଥିର

ପାକିସ୍ତାନରୁ ଫେରିବାର ଗୋଟିଏ ଦିନ ପୂର୍ବରୁ ୟାସିନ ମଲ୍ଲିକ ମୁଶାଲଙ୍କ ମା’ଙ୍କ ମୋବାଇଲକୁ କଲ୍ କରିଥିଲେ । ମୁଶାଲଙ୍କ ମା’ ତାଙ୍କୁ କହିଥିଲେ ଯେ ତାଙ୍କ ପ୍ରାର୍ଥନା ୟାସିନଙ୍କ ସହ ଅଛି । ଏହାପରେ ମା’ ତାଙ୍କ ଝିଅ ସହ କଥା ହୋଇଥିଲେ । ଦୁଇ ମିନିଟ୍ କଥାବାର୍ତ୍ତା ପରେ ୟାସିନ୍ ମୁଶାଲଙ୍କୁ ଇଂରାଜୀରେ ‘ଆଇ ଲଭ୍ ୟୁ’ କହିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କ ମା’ ହଜ ଯାତ୍ରାରେ ୟାସିନଙ୍କ ମା’ଙ୍କୁ ଭେଟିଥିଲେ, ସେତେବେଳେ ବିବାହ ସ୍ଥିର ହୋଇଥିଲା । ଶେଷରେ ୨୦୦୯ ଫେବ୍ରୁଆରି ୨୨ତାରିଖରେ ୪୩ ବର୍ଷୀୟ ୟାସିନ୍ ମଲ୍ଲିକ ପାକିସ୍ତାନରେ ୨୪ ବର୍ଷୀୟ ମୁଶାଲଙ୍କୁ ବିବାହ କରିଥିଲେ । ସେପ୍ଟେମ୍ବର ୨୦୦୯ରେ ମୁଶାଲ ପ୍ରଥମ ଥର ପାଇଁ ନିଜ ପୂରା ପରିବାର ସହ କାଶ୍ମୀର ଆସିଥିଲେ ।

ମୁଶାଲଙ୍କ ପରିବା ବହୁତ ଧନୀ

ମୁଶାଲ ପାକିସ୍ତାନର ଏକ ବହୁତ ଧନୀ ପରିବାରରୁ ଆସିଛନ୍ତି । ତାଙ୍କ ପିତା ପ୍ରଫେସର ଏମ୍ ଏ ହୁସେନ୍ ମଲ୍ଲିକ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ । ସେ ଏକ ସମୟରେ ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ । ନୋବେଲ ପୁରସ୍କାର ଜୁରୀରେ ସାମିଲ ହେବାରେ ସେ ହେଉଛନ୍ତି ପ୍ରଥମ ପାକିସ୍ତାନୀ । ମା’ ରେହାନା ହୁସେନ୍ ମଲ୍ଲିକ ହେଉଛନ୍ତି ପାକିସ୍ତାନ ମୁସଲିମ୍ ଲିଗର ମହିଳା ଶାଖାର ପୂର୍ବତନ ସାଧାରଣ ସମ୍ପାଦିକା । ମୁଶାଲଙ୍କ ଭାଇ ୱାଶିଂଟନରେ ବୈଦେଶିକ ନୀତି ବିଶେଷଜ୍ଞ । ମୁଶାଲ ନିଜେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ୟାସିନ ମଲିକ ଜଣେ ଆତଙ୍କବାଦୀ !

ଯେତେବେଳେ କି ୟାସିନ ମଲ୍ଲିକ ଏକ ସାଧାରଣ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି । ୧୯୮୦ ଦଶକର ମଧ୍ୟଭାଗରେ କାଶ୍ମୀରରୁ ପାକିସ୍ତାନ ସୀମା ଅତିକ୍ରମ କରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୟାସିନ୍ ଅନ୍ୟତମ । ଏହି ଆତଙ୍କବାଦୀଙ୍କ ଯୋଗୁଁ ଉପତ୍ୟକାରେ ଆତଙ୍କବାଦ ବୃଦ୍ଧି ପାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୯୯୦ମସିହାରେ ସେ ଜେଲରୁ ମୁକୁଳିଥିଲେ । ସେବେଠାରୁ ସେ କାଶ୍ମୀରର ସ୍ୱାଧୀନତାକୁ ସମର୍ଥନ କରି ଆସୁଛନ୍ତି । ସ୍କୁଲଶିକ୍ଷା ଖୁବ୍ କମ୍ ଥିବା ୟାସିନ୍ କେବେ ବି ବିବାହ କରିବାକୁ ଚାହୁଁନଥିଲେ । ଥରେ ସେ ଏକ ବୟାନ ଦେଇଥିଲେ ଯେ ନିକାହନାମା ପଢ଼ିବା ଅପେକ୍ଷା ଜାତିସଂଘର ଭାଷଣ ପଢ଼ିବା ଭଲ ହେବ । କିନ୍ତୁ ମୁଶାଲ ନିଜର ଚିନ୍ତାଧାରା ବଦଳାଇ ଦେଇଥିଲେ । ତେବେ ମୁଶାଲଙ୍କ ସହ ୟାସିନଙ୍କ ବିବାହ କାଶ୍ମୀରରେ ତାଙ୍କ ଘନିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କୁ କ୍ରୋଧିତ କରିଥିଲା ।

More articles

LEAVE A REPLY

Please enter your comment!
Please enter your name here

Latest article