୨୦୨୨-୨୩ରେ ବିଜେପିକୁ ୭୨୦ କୋଟି ଦାନ

Must read

  • ୪ ଜାତୀୟ ଦଳକୁ ମିଳିଥିବା ଚାନ୍ଦାଠାରୁ ୫ ଗୁଣ
  • ୮୫୦ କୋଟି ଟଙ୍କାରୁ କଂଗ୍ରେସକୁ ମିଳିଛି ମାତ୍ର ୮୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ରିପୋର୍ଟ ବୁଧବାର ପ୍ରକାଶ କରିଛି। ଏହି ହିସାବରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଜେପିକୁ ପାଖାପାଖି ୭୨୦ କୋଟି ଟଙ୍କାର ଚାନ୍ଦା ମିଳିଛି। କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଆପ୍), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇ-ଏମ୍) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍ ପିପି)କୁ ମିଳିଥିବା ଚାନ୍ଦାଠାରୁ ବିଜେପିକୁ ମିଳିଥିବା ଦାନ ରାଶି ପାଞ୍ଚ ଗୁଣରୁ ଅଧିକ। ପଞ୍ଜୀକୃତ ରାଜନୈତିକ ଦଳଗୁଡ଼ିକ ଗୋଟିଏ ଆର୍ଥିକ ବର୍ଷରେ ୨୦,୦୦୦ ଟଙ୍କାରୁ ଅଧିକ ଚାନ୍ଦା ପାଇଛନ୍ତି କି ନାହିଁ ତାହା ପ୍ରକାଶ କରିବା ଆବଶ୍ୟକ। ୨୦୨୨-୨୩ରେ ଜାତୀୟ ଦଳଗୁଡ଼ିକୁ ମୋଟ ୮୫୦.୪୩ କୋଟି ଟଙ୍କା ଚାନ୍ଦା ମିଳିଛି। ଏଡିଆର ଅନୁଯାୟୀ, ମୋଟ ଦାନ ମଧ୍ୟରୁ କଂଗ୍ରେସ ମାତ୍ର ୭୯.୯୨ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। ସମୁଦାୟ ୧୨,୧୬୭ ଟି ଚାନ୍ଦା ମଧ୍ୟରୁ ବିଜେପିକୁ ୭,୯୪୫ ଟି ଏବଂ କଂଗ୍ରେସକୁ ୮୯୪ ଟି ଚାନ୍ଦା ମିଳିଛି।

ବିଏସପିକୁ ମାତ୍ର ୨୦ ହଜାର ଟଙ୍କା ଚାନ୍ଦା

ଦେଶର ଷଷ୍ଠ ଜାତୀୟ ଦଳ ବହୁଜନ ସମାଜ ପାର୍ଟି (ବିଏସପି) ୨୦୨୨-୨୩ ରେ ୨୦,୦୦୦ ଟଙ୍କାରୁ ଅଧିକ ଦାନ ପାଇନାହିଁ ବୋଲି ଘୋଷଣା କରିଛି। ବିଗତ ୧୭ ବର୍ଷ ଧରି ବିଏସପି ଏହା ଘୋଷଣା କରିଆସୁଛି। ଏଡିଆର କହିଛି ଯେ ଜାତୀୟ ଦଳଗୁଡ଼ିକ ଦିଲ୍ଲୀରୁ ମୋଟ ୨୭୬.୨୦ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପରେ ଗୁଜରାଟ (୧୬୦.୫୦ କୋଟି) ଏବଂ ମହାରାଷ୍ଟ୍ର (୯୬.୨୭୩ କୋଟି) ରହିଛି।

ବିଜେପିକୁ ଦାନ ୧୭.୧୨% ବୃଦ୍ଧି ପାଇଛି

ଏଡିଆର କହିଛି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକର ମୋଟ ଚାନ୍ଦା ୯୧.୭୦୧ କୋଟି ଟଙ୍କା ବୃଦ୍ଧି ପାଇଛି, ଯାହାକି ପୂର୍ବ ୨୦୨୧-୨୨ ତୁଳନାରେ ୧୨.୦୯ ପ୍ରତିଶତ ଅଧିକ। ୨୦୨୧-୨୨ ରେ ବିଜେପିର ଚାନ୍ଦା ୬୧୪.୬୨ କୋଟି ଟଙ୍କାରୁ ୧୭.୧୨ ପ୍ରତିଶତ ବୃଦ୍ଧି ପାଇ ୨୦୨୨-୨୩ରେ ୭୧୯.୮୫ କୋଟି ଟଙ୍କାରେ ପହଞ୍ଚିଛି। ତେବେ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଦଳର ଚାନ୍ଦା ୪୧.୪୯ ପ୍ରତିଶତ ହ୍ରାସ ପାଇଛି।

୨୦୨୧-୨୨ରେ କଂଗ୍ରେସର ଚାନ୍ଦା ୯୫.୪୫ କୋଟି ଟଙ୍କାଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୬.୨୭ ପ୍ରତିଶତ ହ୍ରାସ ପାଇ ୭୯.୯୨ କୋଟି ଟଙ୍କାରେ ପହଞ୍ଚିଛି। ଏଡିଆର ଅନୁଯାୟୀ, ୨୦୨୦-୨୧ରୁ ୨୦୨୧-୨୨ ମଧ୍ୟରେ ଏହାର ଦାନ ୨୮.୦୯ ପ୍ରତିଶତ ବୃଦ୍ଧି ପାଇଛି।

ଆପ୍ ଓ ସିପିଆଇ(ଏମ୍)କୁ ଦାନ କମିଲା

ଏଡିଆର୍ କହିଛି ଯେ ସିପିଆଇ(ଏମ୍) ୩.୯ କୋଟି ଚାନ୍ଦା ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୯.୫୬ ପ୍ରତିଶତ କମ। ଆପ୍ ୧.୧୪ କୋଟି ଟଙ୍କା ଦାନ ମିଳିବା କଥା କହିଛି, ଯାହାକି ଗତଥର ତୁଳନାରେ ୨.୯୯ ପ୍ରତିଶତ କମ।

More articles

LEAVE A REPLY

Please enter your comment!
Please enter your name here

Latest article