ଜି-୨୦ ଶିଖର ସମ୍ମିଳନୀର କେଉଁ ଦିନ କ’ଣ ହେବ

Must read

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ ତାରିଖ ରାତି ସୁଦ୍ଧା ଜି-୨୦ର ସମସ୍ତ ଦେଶ ଏବଂ ୯ ଜଣିଆ ସ୍ୱତନ୍ତ୍ର ଆମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଭାରତରେ ପହଞ୍ଚିବେ । ରୁଷିଆ ଓ ମେକ୍ସିକୋରୁ ପ୍ରତିନିଧିମାନେ ଆସିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଥିବା ପ୍ରଥମ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରୁ ଅନ୍ୟତମ ହେବେ । ସେପ୍ଟେମ୍ବର ୮ରେ ସେ ପୂରା ଦିନ ଦିଲ୍ଲୀରେ ରହିବେ । ତାଙ୍କ କାର୍ଯ୍ୟକ୍ରମର ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, ସେମାନେ ସେମାନଙ୍କ ଦୂତାବାସ ଅଧିକାରୀଙ୍କ ସହ ବୈଠକ କରିବେ । ଏହା ବ୍ୟତୀତ ହୋଟେଲରେ ହିଁ ସେ କିଛି ବିଶେଷ ଲୋକଙ୍କୁ ଭେଟିପାରିବେ । ସେହିଦିନ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସେପ୍ଟେମ୍ବର ୩ରୁ ସେପ୍ଟେମ୍ବର ୬

ଜି-୨୦ ଦେଶର ଶେର୍ପାମାନଙ୍କର ଏହା ହେଉଛି ଶେଷ ବୈଠକ । ହରିଆଣାର ମାନେସରରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ନେତା ସମ୍ମିଳନୀର ଏଜେଣ୍ଡା ଚୂଡ଼ାନ୍ତ ହେବା ସହ ଏହା ଉପରେ ସହମତି ସୃଷ୍ଟି ପାଇଁ ପ୍ରୟାସ କରାଯିବ ।

ସେପ୍ଟେମ୍ବର ୮: ସାଂସ୍କୃତିକ କାର୍ଯ୍ୟକ୍ରମ

ଆଠ ତାରିଖ ରାତିରେ ସମସ୍ତ ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ପ୍ରତିନିଧିଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏହି କାର୍ଯ୍ୟକ୍ରମ ୨ ଘଣ୍ଟାର ହେବ ।

ସେପ୍ଟେମ୍ବର ୯: ଦ୍ୱିପାକ୍ଷିକ ବୈଠକ

ଜି-୨୦ ଶିଖର ସମ୍ମିଳନୀର ଏହା ସବୁଠାରୁ ବ୍ୟସ୍ତବହୁଳ ଦିନ ହେବ । ଏହି ଗ୍ରୁପର ତିନୋଟି ପୃଥକ ବୈଠକ ହେବ, ଯେଉଁଥିରେ ସମସ୍ତ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବେ ।

ଏହି ବୈଠକ ମଧ୍ୟରେ ଥିବା ବିରତିରେ ସମସ୍ତ ଦେଶକୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସମୟ ପ୍ରଦାନ କରାଯିବ । ଏଭଳି ୫୦ଟି ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏହି ଦିନ ଗୋଷ୍ଠୀର ଦେଶଗୁଡ଼ିକର ଏକ ପୃଥକ୍‍ ବୈଠକ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ଭାରତ ମଣ୍ଡପରେ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମ ପାଇଁ ଅଲଗା ଅଲଗା ହଲ ରହିଛି । ଦେଶ ଅନୁଯାୟୀ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ ଦିଆଯାଇଛି ।

ରାତିରେ ରାଷ୍ଟ୍ରପତି ଭବନରେ ସମସ୍ତ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଏକ ରାଷ୍ଟ୍ରୀୟ ରାତ୍ରୀ ଭୋଜନର ଆୟୋଜନ କରାଯିବ ।

ସେପ୍ଟେମ୍ବର ୧୦: ରାଜଘାଟରେ ଗ୍ରୁପ୍ ଫଟୋ

୧୦ ତାରିଖ ସକାଳେ ସମସ୍ତ ରାଷ୍ଟ୍ରମୁଖ୍ୟ ଏକାଠି ରାଜଘାଟ ଯାଇପାରିବେ । ଏଥିରେ ଏକ ଗ୍ରୁପ୍ ଫଟୋ ରହିବ । ଏହାକୁ ଜି-୨୦ ସମ୍ମିଳନୀର ଏକ ଅନୌପଚାରିକ ସମାରୋହଭାବେ ବିବେଚନା କରାଯାଉଛି ।

ଏହି ଦିନ ଜି-୨୦ର ଶେଷ ବୈଠକ ଅନୁଷ୍ଠିତ ହେବ, ଯାହା ପରେ ସମସ୍ତଙ୍କ ସହମତିରେ ଏକ ମିଳିତ ବିବୃତି ଜାରି କରାଯିବ, ଯାହା ଦୁଇ ଦିନିଆ ଶିଖର ସମ୍ମିଳନୀର ଫଳାଫଳ କହିବ ।

ଏହି ଦିନ ମଧ୍ୟାହ୍ନରୁ ସମସ୍ତ ରାଷ୍ଟ୍ରମୁଖ୍ୟ ନିଜ ନିଜ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

More articles

LEAVE A REPLY

Please enter your comment!
Please enter your name here

Latest article