ଏକକାଳୀନ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ମତାମତ ମାଗିଲେ କୋବିନ୍ଦ ପ୍ୟାନେଲ

Must read

ଲଜିଷ୍ଟିକ୍ସ ସମ୍ପର୍କରେ ସୂଚନା ଦରକାର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦେଶ ଏକ ନିର୍ବାଚନ କମିଟି ଏକକାଳୀନ ନିର୍ବାଚନ କରାଇବା ଏବଂ ଆବଶ୍ୟକ ଲଜିଷ୍ଟିକ୍ ଉପରେ ନିର୍ବାଚନ କମିଶନରଙ୍କ ମତାମତ ମାଗିଛନ୍ତି ।

କମିଟି ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ିଥିଲା ଏବଂ ଜାନୁଆରୀ ୫ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପରାମର୍ଶ ପଠାଇବା ପାଇଁ ଏକ ୱିଣ୍ଡୋ ମଧ୍ୟ ଖୋଲିଥିଲା । ଏବେ ଏହି ଉଚ୍ଚସ୍ତରୀୟ କମିଟି ନିର୍ବାଚନ କମିଶନଙ୍କ ସହ ଯୋଗାଯୋଗ କରି କମିଟି ସହ ବୈଠକ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଏହି କମିଟି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ଗ୍ରୁପ୍ ସହ ମଧ୍ୟ ଯୋଗାଯୋଗ କରିବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ଆଇନ ମନ୍ତ୍ରାଳୟଦ୍ୱାରା ୨୦୨୩ ସେପ୍ଟେମ୍ବରରେ ଗଠିତ ଏହି କମିଟିକୁ ଲୋକସଭା, ବିଧାନସଭା ଏବଂ ପଞ୍ଚାୟତର ଏକକାଳୀନ ନିର୍ବାଚନ ପାଇଁ ପରାମର୍ଶ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା କମିଟିର ଦୁଇଟି ବୈଠକ ବସିସାରିଛି ।

ଜାନୁଆରୀ ୫ ତାରିଖରେ କମିଟି ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରି ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଉପଯୁକ୍ତ ପରିବର୍ତ୍ତନ କରିବାକୁ ପରାମର୍ଶ ମାଗିଥିଲା। ୨୦୨୩ ଅକ୍ଟୋବରରେ କମିଟି ରାଜନୈତିକ ଦଳଗୁଡ଼ିକୁ ଚିଠି ଲେଖି ସେମାନଙ୍କ ମତାମତ ମାଗିଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଟିକୁ ଚିଠି ଲେଖି କହିଛନ୍ତି ଯେ ଏହି ଚିନ୍ତାଧାରା ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ଅର୍ଥ ରାଷ୍ଟ୍ରପତି ଶାସନ ବ୍ୟବସ୍ଥାକୁ ଯିବା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ସମ୍ବିଧାନର ଭାବନା ବିରୁଦ୍ଧରେ ରହିଛି ।

More articles

LEAVE A REPLY

Please enter your comment!
Please enter your name here

Latest article