ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ କମିଟି ଗଠନ ହେବ: ଓମ୍‍ ବିର୍ଲା

Must read

ମହାରାଷ୍ଟ୍ର ବିଧାନସଭାବାଚସ୍ପତି ରାହୁଲ ନାର୍ଭେକର ଏହାର ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ: ଦଳବଦଳ ବିରୋଧୀ ଆଇନର ପୁନର୍ବିଚାର ପାଇଁ ଏକ କମିଟି ଗଠନ କରିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଏହାର ଅଧ୍ୟକ୍ଷ ହେବେ । ବିର୍ଲା ୮୪ତମ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଓମ୍ ବିର୍ଲା କହିଛନ୍ତି ଯେ ବିଧାନସଭାର ରକ୍ଷକ ହିସାବରେ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ୱ ହେଉଛି ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ଏବଂ ସଦସ୍ୟମାନଙ୍କ ଦକ୍ଷତା ବଢ଼ାଇବା ଭଳି ନିଷ୍ପତ୍ତି ନେବା । ଆମର ନିଷ୍ପତ୍ତି ଏପରି ହେବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ପାଲଟି ପାରିବ ।

ରାହୁଲ ନାର୍ଭେକରଙ୍କ ନାଁ କାହିଁକି ?

ଜାନୁଆରି ୧୦ ତାରିଖରେ ନାର୍ଭେକର ଶିବସେନା ଗୋଷ୍ଠୀ ପକ୍ଷରୁ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା କ୍ରସ୍ ପିଟିସନ୍ ଉପରେ ରାୟ ଶୁଣାଇଥିଲେ । ବାସ୍ତବରେ ୨୦୨୨ରେ ଶିବସେନାରେ ବିଭାଜନ ହେବା ପରଠାରୁ ଉଭୟ ଗୋଷ୍ଠୀ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ପରସ୍ପରର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରି ଆସୁଛନ୍ତି । ନାର୍ଭେକର ବର୍ତ୍ତମାନ ଏନସିପିର ଅଜିତ ଏବଂ ଶରଦ ଗୋଷ୍ଠୀଦ୍ୱାରା ଦାୟର ସମାନ ପିଟିସନର ଶୁଣାଣି କରୁଛନ୍ତି।

ଦଳବଦଳ ବିରୋଧୀ ଆଇନ କ’ଣ ?

୧୯୬୭ରେ ହରିୟାଣାର ବିଧାୟକ ଗୟା ଲାଲ ଗୋଟିଏ ଦିନରେ ୩ ଥର ଦଳ ବଦଳାଇଥିଲେ । ସେବେଠାରୁ ରାଜନୀତିକୁ ଆୟା ରାମ-ଗୟା ରାମଙ୍କ ପ୍ରବଚନ ପ୍ରସିଦ୍ଧି ଲାଭ କରିଥିଲା । ପଦ ଓ ଅର୍ଥ ଲୋଭରେ ଦଳବଦଳ ରୋକିବା ପାଇଁ ରାଜୀବ ଗାନ୍ଧୀ ସରକାର ୧୯୮୫ମସିହାରେ ଦଳବଦଳ ନିରୋଧୀ ଆଇନ ଆଣିଥିଲେ ।

ଏଥିରେ କୁହାଯାଇଛି ଯେ ଯଦି କୌଣସି ବିଧାୟକ କିମ୍ବା ସାଂସଦ ସ୍ୱେଚ୍ଛାକୃତଭାବେ ଦଳର ସଦସ୍ୟତା ଛାଡ଼ି ଅନ୍ୟଦଳରେ ଯୋଗ ଦିଅନ୍ତି, ତେବେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ସେ ଗୃହରୁ ସଦସ୍ୟତା ହରାଇପାରନ୍ତି । ଯଦି ଗୃହରେ କୌଣସି ପ୍ରସଙ୍ଗରେ ମତଦାନ ସମୟରେ କୌଣସି ସଦସ୍ୟ ନିଜ ଦଳର ହ୍ୱିପ୍ ପାଳନ ନ କରନ୍ତି, ତା’ହେଲେ ମଧ୍ୟ ତାଙ୍କ ସଦସ୍ୟତା ଯାଇପାରିବ ।

ସମ୍ବିଧାନର ଦଶମ ଅନୁସୂଚୀରେ ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ସେମାନଙ୍କ ରାଜନୈତିକ ଦଳରୁ ଦଳବଦଳ ରୋକିବାର ବ୍ୟବସ୍ଥା ରହିଛି । ବିଧାୟକଙ୍କ ଦଳବଦଳ ଆଶଙ୍କାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା କରାଯାଇଛି ।

ଗୃହକୁ ବଳପୂର୍ବକ ଓ ଯୋଜନାବଦ୍ଧ ଭାବେ ମୁଲତବୀ ରଖିବା ଚିନ୍ତାର ବିଷୟ

ଏହି ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି ଯେ ଗଣତନ୍ତ୍ର ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ଚାଲିଥାଏ । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ ହେଉଛି ସେମାନଙ୍କ କାର୍ଯ୍ୟଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବା । କେବଳ ଏତିକି ନୁହେଁ ଆବଶ୍ୟକ ପଡ଼ିଲେ ନିୟମରେ ସଂଶୋଧନ କରାଯିବା ଦରକାର, ଯାହାଦ୍ୱାରା ଏହି ଅନୁଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିବ ।

ସଂସଦରେ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ସଦସ୍ୟମାନଙ୍କ ବିପଦ ଓ ମର୍ଯ୍ୟାଦାର ଯତ୍ନ ନିଆଯିବ

ସଂସଦର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । କ୍ୟାମ୍ପସରେ ୧୪୦ ଜଣ ସିଆଇଏସଏଫ ଯବାନଙ୍କୁ ନିୟୋଜିତ କରାଯାଇ ପର୍ଯ୍ୟଟକ ଓ ସେମାନଙ୍କ ଜିନିଷପତ୍ର ଯାଞ୍ଚ କରାଯାଉଛି ।

ନୂଆ ସଂସଦ ଭବନକୁ ପ୍ରବେଶ କରୁଥିବା ଲୋକଙ୍କୁ ଏକ୍ସ-ରେ ମେସିନ୍, ହ୍ୟାଣ୍ଡ ହେଲ୍ଡ ଡିଟେକ୍ଟର ଦେଇ ଯିବାକୁ ପଡ଼ିବ । ଏଥିସହିତ ସେମାନଙ୍କ ଜିନିଷପତ୍ର, ଜୋତା, ଭାରି ଜ୍ୟାକେଟ୍ ଇତ୍ୟାଦି ଯାଞ୍ଚ କରାଯିବ । ଏପରିକି ବେଲ୍ଟକୁ ଟ୍ରେରେ ରଖି ଏକ୍ସ-ରେ ସ୍କାନର ସାହାଯ୍ୟରେ ଯାଞ୍ଚ କରାଯିବ ।

More articles

LEAVE A REPLY

Please enter your comment!
Please enter your name here

Latest article