ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କେତେ ସହଜ, କେତେ କଷ୍ଟକର ?

Must read

ବାର କାଉନସିଲ ସବୁ ସମସ୍ୟାର ସମାଧାନ କହିଲା

ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଅର୍ଥାତ୍ ଦେଶର ସମସ୍ତ ନିର୍ବାଚନ ଏକାସାଙ୍ଗରେ ହେବା ଦରକାର । ଏହା ଏକ ପ୍ରସ୍ତାବ ଯେଉଁଥିରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ପରାମର୍ଶ ଦିଆଯାଇଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ସମର୍ଥନ କରିଛନ୍ତି ।

ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସାରାଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ପ୍ରଶ୍ନ ଉଠୁଛି ଏସବୁ କେମିତି ହେବ ? ଏହା ହେବା କେତେ ସହଜ ଏବଂ କେତେ କଷ୍ଟକର ?

ପୂର୍ବରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ?

ସ୍ୱାଧୀନତା ପରେ ଦେଶରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ଧାରଣା ଲାଗୁ ହୋଇଥିଲା । ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା । ଅର୍ଥାତ୍ ଏହି ବ୍ୟବସ୍ଥାରେ ୪ ଥର ନିର୍ବାଚନ ହୋଇଥିଲା । ତା’ପରେ କେତେକ ରାଜ୍ୟରେ ସରକାରଙ୍କ ପତନ ଓ ବିଧାନସଭା ଭଙ୍ଗ ଯୋଗୁଁ ଏହି ପରମ୍ପରା ଭାଙ୍ଗି ଯାଇଥିଲା ।

ପୁଣିଥରେ ଏକାସାଙ୍ଗରେ ନିର୍ବାଚନ କରାଇବା ସମ୍ଭବ କି ?

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଭଲ ଲାଗୁଥିଲେ ମଧ୍ୟ ଏହାକୁ ପୁଣିଥରେ କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ । ସମ୍ବିଧାନର ସାମ୍ପ୍ରତିକ ଢାଞ୍ଚା ଅନୁଯାୟୀ ଏକକାଳୀନ ନିର୍ବାଚନ ହୋଇପାରିବ ନାହିଁ । ଏକାସାଙ୍ଗରେ ନିର୍ବାଚନ କରିବାକୁ ହେଲେ ପ୍ରଥମେ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ ।

ଖାଲି ସେତିକି ନୁହେଁ, ଅଧା ରାଜ୍ୟକୁ ମଧ୍ୟ ଏହି ସଂଶୋଧନକୁ ଅନୁମୋଦନ କରିବାକୁ ପଡ଼ିବ । ଏହାପରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ବିଲ ସଂସଦରେ ସଂଖ୍ୟାଗରିଷ୍ଠତା ସହ ପାରିତ କରିବାକୁ ପଡ଼ିବ । ଅର୍ଥାତ୍ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ସମୟ ଲାଗିବ ବୋଲି କୁହାଯାଇପାରେ ।

ବାର କାଉନସିଲ ପକ୍ଷରୁ ଉଚ୍ଚସ୍ତରୀୟ କମିଟିକୁ ପରାମର୍ଶ

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅନେକ ବ୍ୟାବହାରିକ ପ୍ରଶ୍ନ ଉଠୁଛି । ଉଦାହରଣସ୍ୱରୂପ, ନିର୍ବାଚନ ପରେ ଯଦି କୌଣସି ରାଜ୍ୟରେ ତ୍ରିଶଙ୍କୁ ବିଧାନସଭା ଥାଏ ତେବେ କ’ଣ ହେବ ? ଯଦି ରାଜ୍ୟ ସରକାର ଅକାଳରେ ଭାଙ୍ଗିଯାଏ ତେବେ କ’ଣ ହେବ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ କେନ୍ଦ୍ର ସରକାର ନିକଟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ, ଯାହାର ନେତୃତ୍ୱ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଉଛନ୍ତି । ଏହି କମିଟି ଜନସାଧାରଣ ଓ ବିଶେଷଜ୍ଞଙ୍କଠାରୁ ମତାମତ ଲୋଡ଼ିଛି ।

କେଉଁ ଆଇନଗତ ଏବଂ ପ୍ରଶାସନିକ ପରିବର୍ତ୍ତନ ଆବଶ୍ୟକ ?

ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ଦେଇଥିବା ପରାମର୍ଶ ଅନୁଯାୟୀ, ଗୋଟିଏ ସମୟରେ ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ହେଲେ ପ୍ରଥମେ ସମ୍ବିଧାନରେ କିଛି ପରିବର୍ତ୍ତନ ଜରୁରୀ । ଭାରତୀୟ ସମ୍ବିଧାନର ଧାରା ୮୩, ୮୫, ୧୭୨, ୧୭୪ ଓ ୩୫୬କୁ ବଦଳାଇବାକୁ ପଡ଼ିବ ।

ଜନପ୍ରତିନିଧି ଆଇନ ୧୯୫୧ ଏବଂ ଅନ୍ୟାନ୍ୟ ନିର୍ବାଚନ ଆଇନରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ଏଥିରେ ସମସ୍ତ ନିର୍ବାଚନ ପାଇଁ ଏକକ ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା, ପ୍ରଚାର ସମୟ ନିର୍ଦ୍ଧାରଣ କରିବା ଏବଂ ବ୍ୟୟ ସୀମା ନିର୍ଦ୍ଧାରଣ କରିବା ଅନ୍ତର୍ଭୁକ୍ତ । ଯଦି ପଞ୍ଚାୟତ ଓ ପୌର ସଂସ୍ଥାରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ଚାହୁଁଛନ୍ତି ତେବେ ଧାରା ୨୪୩ କେ ଓ ୨୪୩ ଜେଡଏରେ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ ।

ନିର୍ବାଚନ ଆୟୋଗକୁ ସୁଦୃଢ଼ କରିବା

ଏକାସାଙ୍ଗରେ ନିର୍ବାଚନ ଅର୍ଥ ହେଉଛି କଠିନ ପରିଶ୍ରମକୁ ଦ୍ୱିଗୁଣିତ କରିବା । ତେଣୁ ନିରପେକ୍ଷ ଓ ସ୍ୱଚ୍ଛ ଢଙ୍ଗରେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କୁ ଅଧିକ ସମ୍ବଳ ଓ କ୍ଷମତା ଦେବାକୁ ପଡ଼ିବ । ଏଥିରେ ଏକ ନୂତନ ଢାଞ୍ଚା ସୃଷ୍ଟି କରିବା, ଅଧିକ କର୍ମଚାରୀ ଏବଂ ଟେକନୋଲୋଜି ଆଣିବା ଅନ୍ତର୍ଭୁକ୍ତ ହୋଇପାରେ ।

ଏବେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷ ମନନ କୁମାର ମିଶ୍ର କମିଟିକୁ କିଛି ବିସ୍ତୃତ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ କ’ଣ ଆଇନଗତ ଓ ପ୍ରଶାସନିକ ପରିବର୍ତ୍ତନ ର ଆବଶ୍ୟକତା ରହିଛି ତାହା ବୁଝାଇଛନ୍ତି ।

ମତଦାତାଙ୍କ ସମର୍ଥନ

ସବୁଠାରୁ ବଡ଼ ଶକ୍ତି ହେଉଛି ମତଦାତା । ଏକକାଳୀନ ନିର୍ବାଚନ ଅର୍ଥ ଅଧିକ ସଚେତନତା, ଅଧିକ ମତଦାନ ଏବଂ ଶକ୍ତିଶାଳୀ ଗଣତନ୍ତ୍ର । ତେଣୁ ଏହି ପରିବର୍ତ୍ତନ କାହିଁକି ଜରୁରୀ ଏବଂ ଏହା କିପରି ସେମାନଙ୍କ ପାଇଁ ଲାଭଦାୟକ ହେବ ତାହା ଜନସାଧାରଣଙ୍କୁ କହିବାକୁ ପଡ଼ିବ ।

ରାଜନୈତିକ ପାଣ୍ଠି ସଂସ୍କାର

ନିରପେକ୍ଷଭାବେ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ପାଣ୍ଠି ଏବଂ ନିର୍ବାଚନ ଅର୍ଥ ଆଇନରେ ବଡ଼ ସଂସ୍କାର ଆବଶ୍ୟକ । ରାଜନୈତିକ ପାଣ୍ଠି ଓ ବ୍ୟୟକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱଚ୍ଛ ବ୍ୟବସ୍ଥା କରିବାକୁ ପଡ଼ିବ ।

ପ୍ରଶାସନିକ ପ୍ରସ୍ତୁତି

ଏକକାଳୀନ ନିର୍ବାଚନ କରାଇବା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଜରୁରୀ । ଏଥିରେ ସୁରକ୍ଷା ବ୍ୟବସ୍ଥା, ମତଦାନ କେନ୍ଦ୍ର ପରିଚାଳନା, ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରିବା ଏବଂ ଲଜିଷ୍ଟିକ୍ ଆବଶ୍ୟକତା ଆଦି ଦିଗ ଉପରେ ନଜର ରଖାଯାଇଛି ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ ହେଲେ କ’ଣ ହେବ ?

ବାର୍ କାଉନସିଲ ମଧ୍ୟ ଏକାସାଙ୍ଗରେ ନିର୍ବାଚନ କରିବାର ଅନେକ ଫାଇଦା ବିଷୟରେ ଗଣନା କରିଛି । ପୃଥକ୍‍ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ପ୍ରତିଥର ନୂଆ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ପରିଷଦ କହିଛି । ଏଥିରେ କର୍ମଚାରୀ ନିଯୁକ୍ତି, ମତଦାନ କେନ୍ଦ୍ର ପ୍ରତିଷ୍ଠା, ଭୋଟର ତାଲିକା ପ୍ରସ୍ତୁତି ଓ ମତଦାନ ସାମଗ୍ରୀ କ୍ରୟ ଆଦି ରହିଛି । ଏକାସାଙ୍ଗରେ ନିର୍ବାଚନ କଲେ ଏହି ସବୁ ଖର୍ଚ୍ଚ ହ୍ରାସ ପାଇଥାଏ ।

ବିଭିନ୍ନ ନିର୍ବାଚନରେ ପ୍ରଚାର ଓ ଭ୍ରମଣ ପାଇଁ ରାଜନୈତିକ ଦଳମାନଙ୍କୁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ବାରମ୍ବାର ନିର୍ବାଚନ ହେଉଥିବାରୁ ସରକାରୀ କାରବାର, ସୁରକ୍ଷା ବାହିନୀ ଓ ସମ୍ବଳ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଛି । ଏକକାଳୀନ ନିର୍ବାଚନ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ ଏବଂ ସରକାରଙ୍କ ଧ୍ୟାନ ନିର୍ବାଚନ ପାଇଁ ପ୍ରସ୍ତୁତି ଅପେକ୍ଷା ଜନମଙ୍ଗଳ ଉପରେ କେନ୍ଦ୍ରିତ ହୋଇପାରେ ।

ଏକକାଳୀନ ନିର୍ବାଚନ ସମସ୍ତ ଭୋଟରଙ୍କୁ ଏକାସାଙ୍ଗରେ ସମସ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାର ସୁଯୋଗ ଦେଇଥାଏ । ଏହାଦ୍ୱାରା ଭୋଟରଙ୍କ ଥକାପଣ କମ୍ ହୋଇପାରିବ । ମତଦାତାଙ୍କୁ ବାରମ୍ବାର ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ, ଯାହାଦ୍ୱାରା ନାଗରିକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ ।

ଏବେ ବାରମ୍ବାର ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳଗୁଡ଼ିକ ପ୍ରାୟତଃ କାଳ୍ପନିକ, ଲୋକପ୍ରିୟ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ଯଦି ଏକାସାଙ୍ଗରେ ନିର୍ବାଚନ ହୁଏ, ତେବେ ଦଳଗୁଡ଼ିକୁ ଅଳ୍ପ ସମୟ ମଧ୍ୟରେ ନିର୍ବାଚନ ଲଢ଼ିବାକୁ ପଡ଼ିବ ନାହିଁ, ଯାହା ଦୀର୍ଘମିଆଦୀ ଯୋଜନା ଓ ନୀତି ଉପରେ ଅଧିକ ଧ୍ୟାନ ଦେବାକୁ ସକ୍ଷମ ହେବ । ଏହାବ୍ୟତୀତ ୫ ବର୍ଷରେ ଥରେ ହିଁ ସୁରକ୍ଷା ବାହିନୀ ମୁତୟନ କରିବାକୁ ପଡ଼ିବ ।

ବିରୋଧୀ ଉଠାଇଥିବା ପ୍ରଶ୍ନର ସମାଧାନ କ’ଣ ?

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥାକୁ ବିରୋଧୀ ଲଗାତାର ବିରୋଧ କରୁଛନ୍ତି । ଏଭଳି ପରିସ୍ଥିତିରେ ବାର କାଉନସିଲ ମଧ୍ୟ କମିଟିକୁ ପଠାଯାଇଥିବା ପ୍ରସ୍ତାବରେ ଏହି କଥା ଉଲ୍ଲେଖ କରିଥିବାରୁ ବିରୋଧୀ ବିରୋଧ କରୁଛନ୍ତି । ଏକକାଳୀନ ନିର୍ବାଚନ କେବଳ କେନ୍ଦ୍ରୀୟ ପ୍ରସଙ୍ଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ହଟାଇବ ଏବଂ ଆଞ୍ଚଳିକ ଦଳଗୁଡ଼ିକର ଅସ୍ତିତ୍ୱ ବନ୍ଦ ହୋଇଯିବ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି ।

ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନାକୁ ବାଧ୍ୟତାମୂଳକ କରିବା ପାଇଁ ବିସିଆଇ ପରାମର୍ଶ ଦେଇଛି ଯେ ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ଯେପରି ଆଞ୍ଚଳିକ ପ୍ରସଙ୍ଗରେ ବାଧ୍ୟତାମୂଳକଭାବେ ଆଲୋଚନା କରିପାରିବେ ସେଥିପାଇଁ ନିୟମ ପ୍ରଣୟନ କରିବାକୁ ପଡ଼ିବ ।

ଏଥିସହିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ରାଜ୍ୟ ଉପରେ ପର୍ଯ୍ୟାପ୍ତ କଭରେଜ୍ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଏହାବ୍ୟତୀତ ଉଭୟ ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ମତଦାନ କରିବା ପାଇଁ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ।

ପର୍ଯ୍ୟାୟକ୍ରମେ ଏକ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ବିସିଆଇ ପରାମର୍ଶ ଦେଇଛି । ପ୍ରଥମେ କେତେକ ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଚଳାଇବା ଦରକାର । ଏହି ପଦକ୍ଷେପ ସମସ୍ତ ସମ୍ଭାବ୍ୟ ଆହ୍ୱାନକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ କରିବା ପାଇଁ ସମୟ ପ୍ରଦାନ କରିବ । ଏହାପରେ ଏହା ଧୀରେ ଧୀରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇପାରିବ ।

କ’ଣ କହୁଛି ଆଇନ କମିଶନ

୨୦୧୮ମସିହାରେ ଆଇନ ଆୟୋଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ । ଏହି ଡ୍ରାଫ୍ଟରେ ଅନେକ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଯଦି ଦେଶକୁ ନିର୍ବାଚନ ମୋଡରୁ (ସବୁବେଳେ ନିର୍ବାଚନର ବାତାବରଣ) ମୁକ୍ତ କରିବାକୁ ଚାହୁଁଛି, ତା’ହେଲେ ଏକାସାଙ୍ଗରେ ନିର୍ବାଚନ କରିବାକୁ ପଡ଼ିବ ବୋଲି ଯୁକ୍ତି ହେଉଛି । ଏଭଳି କୌଣସି ବର୍ଷ ନାହିଁ ଯେବେ ନିର୍ବାଚନ ହେଉନାହିଁ ।

ଦ୍ୱିତୀୟତଃ ସବୁଠାରୁ ବଡ଼ ଯୁକ୍ତି ହେଉଛି କୋଟି କୋଟି ଟଙ୍କା ସଞ୍ଚୟ ହେବ । ସେଣ୍ଟର ଫର ମିଡିଆ ଷ୍ଟଡିଜର ରିପୋର୍ଟ ଅନୁଯାୟୀ, ୨୦୧୯ରେ ଲୋକସଭା ନିର୍ବାଚନ କରାଇବା ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସରକାରୀ ରାଜକୋଷରୁ ଆରମ୍ଭ କରି ଦଳଗୁଡ଼ିକର ପାଣ୍ଠି ପର୍ଯ୍ୟନ୍ତ ବିପୁଳ ଅର୍ଥ ପାଣି ପରି ପ୍ରବାହିତ ହେଉଛି ।

ଆଇନ ଆୟୋଗ ରିପୋର୍ଟରେ ତୃତୀୟ ଯୁକ୍ତି ଥିଲା ଯେ ଏକକାଳୀନ ନିର୍ବାଚନ ହେଲେ ସରକାରୀ ନୀତିର ଉନ୍ନତ ରୂପାୟନ ହୋଇପାରିବ । ସରକାର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଭଲଭାବେ ଧ୍ୟାନ ଦେଇପାରିବେ । ସୂଚନାଯୋଗ୍ୟ, ନୂଆ ପ୍ରସ୍ତାବରେ କେବଳ ଲୋକସଭା ଓ ବିଧାନସଭା ନିର୍ବାଚନ ରହିଛି । ପଞ୍ଚାୟତ ଓ ପୌର ନିର୍ବାଚନକୁ ଅନ୍ତର୍ଭୁକ୍ତ କରାଯାଇନାହିଁ ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସ୍ତାବ ବିଶ୍ୱରେ ନୂଆ ନୁହେଁ । ପୃଥିବୀରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି । ଏହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ବେଲଜିୟମ, ବ୍ରିଟେନ୍, ସ୍ୱିଡେନ୍, ଇଣ୍ଡୋନେସିଆ, ଜର୍ମାନୀ, ଫିଲିପାଇନ୍ସ ଇତ୍ୟାଦି । ଅନ୍ୟ ଦେଶରେ ଏକାସାଙ୍ଗରେ ନିର୍ବାଚନ ହୋଇପାରୁଥିବାବେଳେ ଭାରତରେ ମଧ୍ୟ ଏହା ସମ୍ଭବ ।

More articles

LEAVE A REPLY

Please enter your comment!
Please enter your name here

Latest article