ବଜେଟ ୨୦୨୪: ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ହେବ କି ?

Must read

ଅନ୍ତରୀଣ ବଜେଟରେ ମିଳିପାରେ ଅପଡେଟ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ଏଥିରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରାଯାଇପାରେ ବୋଲି ସୂଚନା ମିଳିଛି । ଏନପିଏସର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ବୋଲି ଆଶା କରାଯାଉଛି । କମିଟିର ବୈଠକରେ ଏନପିଏସର ନିୟମରେ କିଛି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ପୁରୁଣା ପେନସନ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ସପକ୍ଷରେ ନାହିଁ । ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି । ଅନେକ ରାଜ୍ୟ ଏହାକୁ ପୁନରୁଦ୍ଧାର କରିଛନ୍ତି । ନିର୍ବାଚନୀ ବର୍ଷରେ ଏହାକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ୁଛି ।

କମିଟିର ରିପୋର୍ଟ ଉପରେ ପଦକ୍ଷେପ ନେବା ପୂର୍ବରୁ ସରକାର ଲୋକଙ୍କଠାରୁ ପରାମର୍ଶ ନେଇପାରିବେ ବୋଲି ସୂତ୍ରରୁ ପ୍ରକାଶ । ଜଣେ ଅଧିକାରୀ କହିଛନ୍ତି ଯେ ରିପୋର୍ଟ ଉପରେ କାମ ଚାଲିଛି । ଏନପିଏସରେ କିପରି ଉନ୍ନତି କରାଯାଇପାରିବ ତାହା ଉପରେ ଏହି ରିପୋର୍ଟରେ ଗୁରୁତ୍ୱ ଦିଆଯିବ । ଏଥିରେ ପେନସନଭୋଗୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ । ରିପୋର୍ଟରେ ଯଦି କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି, ତେବେ ଏହାର ବିତ୍ତୀୟ ପ୍ରଭାବକୁ ଦୃଷ୍ଟିରେ ରଖି କରାଯିବ । ଏହାପରେ ଏହାକୁ ଲୋକଙ୍କ ପରାମର୍ଶ ପାଇଁ ରଖାଯିବ । ଏନପିଏସର ସରକାରୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ଏପ୍ରିଲରେ ଏହି କମିଟି ଗଠନ କରିଥିଲେ ।

ଆରବିଆଇ ବିରୋଧ କଲା

୨୦୦୪ ଜାନୁଆରି ପହିଲାରୁ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ ହୋଇଥିଲା । ପେନସନ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ କରିଛନ୍ତି । ଗତବର୍ଷ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ପୁରୁଣା ପେନସନ ଯୋଜନାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ଶେଷ ଦରମାର ୫୦% ପେନସନ ଆକାରରେ ପାଆନ୍ତି । କେନ୍ଦ୍ର ସରକାର କହୁଛନ୍ତି ଯେ ଓପିଏସ ସରକାରୀ ରାଜକୋଷ ଉପରେ ଏକ ବଡ଼ ବୋଝ ପକାଇଥାଏ । ଏହି କାରଣରୁ ଏହାକୁ ହଟାଇ ଦିଆଯାଇଥିଲା । ରିଜର୍ଭ ବ୍ୟାଙ୍କ ଏବଂ ଅନେକ ଜଣାଶୁଣା ଅର୍ଥନୀତିଜ୍ଞ ଓପିଏସ ପୁନରୁଦ୍ଧାରକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଖରାପ କରିବ ।

More articles

LEAVE A REPLY

Please enter your comment!
Please enter your name here

Latest article